ଢେଙ୍କାନାଳ:ଗତ ଶନିବାର ବିଦ୍ୟାଳୟରେ ପଶି ଛାତ୍ରଛାତ୍ରୀମାନଙ୍କୁ ମାଡମାରି ମଧ୍ୟାହ୍ନ ଭୋଜନ ଫୋପାଡିବା ସହିତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲା ଜଣେ ମଦ୍ୟପ ଯୁବକ । ଏପରି ଘଟଣା ଘଟିଥିଲା ଭୁବନ ବ୍ଲକ ମଠକରଗୋଳା ପଞ୍ଚାୟତ ଅନ୍ତର୍ଗତ ନୂଆସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ମୋଟ ପଚାଷ ଜଣ ଛାତ୍ରଛାତ୍ରୀ ଥିବାବେଳେ ମାତ୍ର ଦୁଇ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଶିକ୍ଷାଦାନ ଦେଉଛନ୍ତି । ତେବେ ଘଟଣାରୁ ଜଣାଯାଏ ଯେ ଗତ ଶନିବାର ସକାଳ ଦଶ ଘଟିକା ସମୟରେ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟରେ ଭୋଜନ କରୁଥିଲେ । ସେହି ସମୟରେ ଗ୍ରାମର ଜଣେ ମଦ୍ୟପ ଯୁବକ ଦିପକ କୁମାର ସ୍ବାଇଁ ବିଦ୍ୟାଳୟରେ ପଶି ଛାତ୍ରଛାତ୍ରୀମାନଙ୍କର ଖାଦ୍ୟ ଥାଳି ଫୋପାଡିବା ସହିତ ମାଡ ମାରିଥିଲା । ମଦ୍ୟପ ଯୁବକ ମାଡରେ ଜଣେ ଛାତ୍ରୀ ବେହୋସ୍ ମଧ୍ୟ ହୋଇଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ଏହାପରେ ବିଦ୍ୟାଳୟର ଦୁଇ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିଲା । ଏହି ଘଟଣାକୁ ନେଇ ବିଦ୍ୟାଳୟର କମିଟ ଓ ଅଭିଭାବକଙ୍କ ସହିତ ପ୍ରଧାନଶିକ୍ଷକ ଆଲୋଚନା କରି କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଅଭିଯୋଗ ଅନୁସାରେ ମଦ୍ୟପ ଯୁବକକୁ ଅଟକ ରଖି ପଚରାଉଚରା କରି ଛାଡିଦିଆଯାଇଥିଲା । ମଦ୍ୟପ ଯୁବକକୁ କାହିଁକି ଛାଡି ଦିଆଗଲା କାହିଁକି ତାକୁ ଗିରଫ କରାଗଲା ନାହିଁ ସେଥିପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକ ଆଜି ଧାରଣାରେ ବସିଛନ୍ତି। ଯେପର୍ଯ୍ୟନ୍ତ ସେ ଯୁବକକୁ ଗିରଫ କରାନଯାଇଛି ସେପର୍ଯ୍ୟନ୍ତ ଧାରଣାରେ ବସିବେ , ନଚେତ ପିଲାଙ୍କ ଅନ୍ୟତ୍ର ପଢାଇବାକୁ ବାଧ୍ୟ ହେବେ ବୋଲି ଅଭିଭାବକ ସୂଚନା ଦେଇଛନ୍ତି |
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ