ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଏହିତ ବିଚିତ୍ର ସୃଷ୍ଟି

ଏହିତ ବିଚିତ୍ର ସୃଷ୍ଟି

ଅପର୍ତ୍ତି ସେଠୀ

ସବୁ ଓଠ ହସ ମିଠା ଲାଗେ ନାହିଁ
       ସବୁ ମିଠା ମିଠା ନୁହେଁ,
କିଛି କିଛି ମିଠା ଜହର‌ ପାଲଟି
       ଜୀବନ ବି ନେଇଯାଏ।
ସବୁ କଥାଏଠି ହୃଦୟ ଛୁଏଁନି
       କିଛିଟା ଆଘାତ ଦିଏ,
କିଛି କିଛି କଥା ଦେଇ ଶୁଭ ବାର୍ତ୍ତା
       ସ୍ମୂତି ହୋଇ ରହିଯାଏ।
ସବୁ ପ୍ରେମ କେବେ ପ୍ରେମ ହୁଏ ନାହିଁ
       ସବୁ ଭଲ ଭଲ ନୁହେଁ,
ଭଲପାଇବାଟା ବେଳେବେଳେ କିନ୍ତୁ
       ଛଳନା ପାଲଟିଯାଏ।
ସବୁ ଅଭିମାନ ଅଭିମାନ ନୁହେଁ
       ସବୁ କ୍ରୋଧ କ୍ରୋଧ ନୁହେଁ,
କ୍ରୋଧ ବେଳେବେଳେ ସମ୍ପର୍କରସଂଜ୍ଞା
        ଭଲକି ବୁଝାଇ ଦିଏ।
ସବୁ ଆଖି ଲୁହ ଦୁଃଖ ଦିଏ ନାହିଁ
        କିଛି ଆନନ୍ଦରେ ବହେ,
ସେହି ଆନନ୍ଦାଶ୍ରୃ ଛାତିକୁ ଭିଜେଇ
       ମନେ କିନ୍ତୁ ତୃପ୍ତି ଦିଏ।
ସ୍ନେହ କି ମମତା ଯେତେଯାହା ମିଳେ
        ସବୁ ତ ପବିତ୍ର ନୁହେଁ,
ସବୁଠୁଁ ପବିତ୍ର ସେହି ସ୍ନେହ ଯାହା 
        ମାଆ ଠାରୁ ମିଳିଥାଏ। 
ଆଖି ଦେଖା କଥା ସବୁ ସତ ନୁହେଁ
       ବେଳେ ବେଳେ ଭ୍ରମ ହୁଏ,
ସବୁ ଭ୍ରମ ଏଠି ଭ୍ରମେ ପକାଏନା‌
        ଆଚମ୍ବିତ ଲାଗିଥାଏ।
ସବୁ ସନ୍ଦେହ ଯେ ସତ ହୁଏ ନାହିଁ
       ଟାଣ ମନ ଭାଙ୍ଗିଦିଏ,
ମନଟିକୁଦେଲେ ପୁଣି ବେଳେବେଳ
       ଧୋକ୍କା ଯାହା ମିଳିଥାଏ।
ସବୁ ଆଶା ଏଠି ପୂରଣ ହୁଏନା
       ସବୁ ରାସ୍ତା ସଫା ନୁହେଁ,
ସଫାରାସ୍ତାରେବି ବେଳେବେଳେ କିନ୍ତୁ
       ଦୁର୍ଘଟଣା ଘଟିଥାଏ।
ସବୁ ରାଣ ଏଠି ରାଣ କେବେ ନୁହେଁ
        ଅଭିନୟ ହୋଇଥାଏ,
ସେହି ଅଭିନୟ ବିଶ୍ଵାସରେ ବିଷ 
       ଅଜାଣତେ‌ ଭରିଥାଏ ।
ସବୁ ଅଭିନୟ ଅଭିନୟ ନୁହେଁ
       ବେଳେବେଳେ ସତ ହୁଏ,
ବାସ୍ତବତା ମଧ୍ୟେ ଅନ୍ଯ ପାଇଁ କିଛି
        ବଞ୍ଚିବା ବାଟ ଦେଖାଏ।
ସବୁ ରାତି ଏଠି କାଳ ରାତି ନୁହେଁ
        ସବୁ ନିଦ ନିଦ ନୁହେଁ,
କେତେବେଳେ କେଉଁ ଆଖିର ନିଦଟି 
        କିଛି ସ୍ଵପ୍ନ ଆଣିଥାଏ।
ସବୁ ସୁଖ ଏଠି ସୁଖ କେବେ ନୁହେଁ
        ସବୁ ଦୁଃଖ ଦୁଃଖ ନୁହେଁ,
ଦୁଃଖ ପରେ ସୁଖ ସୁଖ ପରେ ଦୁଃଖ
        ବିଧିର ବିଧାନ ଇଏ।
ଜିଭ ସିନା ବାରେ ପିତା ମିଠା ଖଟା 
        ଆତ୍ମା ବାରେ କିନ୍ତୁ ଗୁଣ,
କାନ ଶୁଣେ ଯେତେ ଭଲ ମନ୍ଦବାଣୀ
        ଚେତନା କରେ ଚିନ୍ତନ।
ତେଣୁ ସବୁଦିନେ ନାହିଁ ଜହ୍ନ ରାତି
       ଏହିତ ବିଚିତ୍ର ସୃଷ୍ଟି,
ମାୟା ମମତାର ବୁଢିଆଣୀ ‌ଜାଲେ
       ସର୍ବେ ଛନ୍ଦା ହୋଇଛନ୍ତି।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡ଼ା

       

Related posts

ଧନମତି ଙ୍କ ପାଇଁ ଆବାସ ଯୋଜନା ସାତ ସପନ !

Sunil Chandra Nayak

ମଣ୍ଡି ସମସ୍ୟାନେଇ ଧରମବନ୍ଧା ଅଞ୍ଚଳଚାଷିଙ୍କ ଦ୍ବାରା ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଘେରାଓ

ଶିକ୍ଷା ପ୍ରେରକ ସଂଘର ବୈଠକ

Sunil Chandra Nayak

Leave a Comment

error: Content is protected !!