ଭାବିଥିଲି ମନେ
ଭାବିଥିଲି ମନେ
ଦେଖାହେଲେ ତୁମେ
କହିଦେବି ମନ ଖୋଲି
ଜୀବନ ଯନ୍ତ୍ରଣା
ହୃଦୟ କଳ୍ପନା
ଲୁହ ହୋଇ ଯିବ ବହି.
ଆଖି ପଲକରୁ
ପଢିନେବ ତୁମେ
ଅକୁହା ଅଲେଖା ଗାଥା
ଭରିଯିବ କ୍ଷତ
ତୁମରି ପରଶେ
ଅୟୁତ ଜନ୍ମର ବ୍ୟଥା.
ତୁମରି ଅଧରୁ
ହସ ଟିକେ ନେଇ
ବଞ୍ଚିଯିବି ହସି ହସି
ଦୁଃଖ ଲୁହ ଯେତେ
ଭୁଲିଯିବି ମନୁ
ସାଜି ହୃଦୟ ପ୍ରେୟସୀ.
ମାଗିନାହିଁ କେବେ
ଶ୍ରାବଣ ବରଷା
ଶୀତଳ ପରଶ ତାର
ଫଗୁଣ ମହକ
ଖୋଜିନି ବି କେବେ
ସ୍ବପ୍ନ ଦେଖି ବସନ୍ତର.
ତୁମେ ଥିଲେ ସାଥେ
ନିଦାଘ ବଦଳେ
ବସନ୍ତ ଆସଇ ଚାଲି
ମେଘ ଭରା ନଭେ
ଜୋଛନା ଢାଳଇ
ଜହ୍ନ ହୃଦୟ ଖୋଲି.
ହୃଦୟ ଭାବନା
ହୃଦୟ ହିଁ ବୁଝେ
ଆନ କେ ପାରେନି ବୁଝି
ଆଖିର ଭାଷାକୁ
ପଢେ ସିନା ଆଖି
କ୍ଳେଶ ଯାଏ ଦୂରେ ହଜି.
ଭାବିଥିଲି ମନେ
ଦୁନିଆ ଭିଡରେ
ତୁମେ ବେଶୀ ଆପଣାର
ତୁମ ଚାରିପଟେ
ଗୋପାଙ୍ଗନା ମେଳ
ପରିଚୟ କାହିଁ ମୋର.
ସୁଜାତା ଦାସ
ବାଲେଶ୍ୱର