କେତେବେଳେ ହନୁମାନ ତୁଳସୀ ଦାସଙ୍କ ସମ୍ମୁଖରେ ପ୍ରକଟ ହେଲେ
ଶ୍ରୀରାମଚରିତ ମାନସ ଲେଖିବା ପରେ ତୁଳସୀଦାସ ଲେଖିଲେ-
ସିୟାରାମ ମୟ ଜଗ ଜାନୀ ;
କରହୁ ପ୍ରଣାମ ଜୋରୀ ଜୁଗ ପାନୀ !
ଅର୍ଥାତ୍ ସମସ୍ତଙ୍କ ଠାରେ ରାମ ଅଛନ୍ତି ଏବଂ ଆମେ ସେମାନଙ୍କୁ ହାତଯୋଡି ପ୍ରଣାମ କରିବା ଉଚିତ ।
ଏହା ଲେଖି ସାରିବା ପରେ ତୁଳସୀ ଦାସ ଯେତେବେଳେ ନିଜ ଗ୍ରାମ ଉତ୍ତରପ୍ରଦେଶର ରାଜାପୁର ଆଡକୁ ଯାଉଥିଲେ- ସେହି ସମୟରେ ଜଣେ ବାଳକ ତାଙ୍କୁ କହିଲେ ମହାତ୍ମାଜୀ ସେପଟେ ଯାଆନ୍ତୁ ନାହିଁ । ବଳଦ ରାଗିକରି ରହିଛି । ତୁଳସୀ ଦାସ ବିଚାର କଲେ ଏଇ ଛୋଟିଆ ବାଳକ ମୋତେ ଉପଦେଶ ଦେଉଛି । ଏବେତ ଲେଖିଥିଲି ସବୁଠାରେ ରାମ ଅଛନ୍ତି । ମୁଁ ଏହି ବଳଦକୁ ପ୍ରଣାମ କରି ଚାଲିଯିବି । ଯେତେବେଳେ ତୁଳସୀ ଦାସ ଆଗକୁ ବଢିଲେ ବଳଦ ତାଙ୍କୁ ଆଘାତ କଲା ଏବଂ ସେ ତଳେ ପଡିଗଲେ । କୌଣସି ଉପାୟରେ ଶୀଘ୍ର ଶୀଘ୍ର ଫେରିଆସିଲେ, ଯେଉଁଠାରେ ଶ୍ରୀରାମଚରିତ ମାନସ ଲେଖୁଥିଲେ । ସେହି ଲେଖାକୁ ଧରି ଚିରିବାକୁ ଉଦ୍ଯତ ହେବା ସମୟରେ ଶ୍ରୀହନୁମାନଜୀ ପ୍ରକଟ ହେଲେ ଏବଂ କହିଲେ ତୁଳସୀ ଦାସଜୀ ଆପଣ ଏ କ’ଣ କରୁଛନ୍ତି । ତୁଳସୀ ଦାସ କ୍ରୋଧରେ କହିଲେ ଏହି ଲେଖା ଭୁଲ୍ ହୋଇଗଲା ।
ହନୁମାନ ହସି ହସି କହିଲେ ଲେଖାଟି ଏକଦମ୍ ଠିକ୍ ଅଛି । ଆପଣ ବଳଦ ଭିତରେ ଭଗବାନଙ୍କୁ ଦେଖିଲେ, କିନ୍ତୁ ବାଳକ ଭିତରେ କାହିଁକି ନାହିଁ ? ବାଳକ ତ ଆପଣଙ୍କୁ ରୋକିଥିଲା, କିନ୍ତୁ ଆପଣ ମାନିଲେ ନାହିଁ ।।
ସଂଗ୍ରାହକ – କବିକମଳ ନରେନ୍ଦ୍ର ପ୍ରସାଦ ବେହେରା,
ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର