ଏଇ ଟୋପାଏ ସିନ୍ଦୂର ପାଇଁ
ଚୁଲିମୁଣ୍ଡକୁ ଶୁଖିଲା ତlଳ ବରଡ଼ା ଟା ମୁହାଉଁ ମୁହାଉଁ ଧୂଆଁ ଲାଗି ଚନ୍ଦ୍ରିକାର ଆଖି ଲୁହରେ ଜୁଡୁବୁଡୁ ହୋଇଯାଇଥିଲା ।ପିନ୍ଧାଶାଢ଼ୀ ଟା ବି ତଦ୍ରୁପ ।କୋଇଲାଆଞ୍ଚ ଟା ଖାଲି ଟା ରେ ଗଡୁଛି । କୋଇଲା ଦି’ଟା ହେଲେସିନା ଜଳିବ । ଆଣିବ କିଏ ? ମୁନାବାପାଟା ଅମଣିଷ ହୋଇଗଲେ । ନିଶାଖାଇ ସର୍ବସ୍ବ ଖାଇଦେଲେ।ଘରୁ ଲକ୍ଷ୍ମୀ ଛାଡ଼ିଗଲେ ।ଜଗନ୍ନାଥଙ୍କ ପରି ଶ୍ୱଶୁରଟିଏ ଥିଲେ ଯେ କି ନିଉଛୁଣିଆ ବେମାର ଟା ଏ ଆସିଲା ଗଲା ଗଣେଶ୍ୱପୂଜା ବାସି ଦିନ ଚାଲିଗଲେ।ଘରେ ଆକଟ କରିବାକୁ କେହିନାହିଁ ।ନିଶାଖିଆ ଲୋକଟାର ମନକୁ ଯେଉଁ ଭାଷା ଆସୁଛି କହିଯାଉଛି ।ତା ପାଇଁ ସାଇପଡ଼ିଶା ବି ଭଲକରି କଥା ହେଉନାହାନ୍ତି ।ପରୋକ୍ଷରେ କେତେକଥା ଶୁଣିବାକୁ ମିଳୁଛି ।ସେଦିନ ତ ଦାସସାହି ବଡବାପା ମୁହେଁମୁହେଁ କହିଦେଲେ -ସାନବୋହୂ, ଭାଗିଆଟାକୁ ତାଗିଦ କର ।ଭୁଲଭୋଟକା କଲାଣି ।ନିଶାଖାଇ ପିଲାମାନଙ୍କୁ ଶୋଧୁଛି ।ଆଜିକାଲିକା ପିଲା, କଣ ବୋଲି କଣ କରିଦେବେ । ଦାଣ୍ଡ ପୋଖରୀ ହୁଡ଼ାରେ କେତେଲୋକ ବସିଥିଲେ, ଭାରି ଲାଜ ଲାଗିଲା । କଣ କରିବ ନିଜେ ତ ନିଆଁ ଖାଇଛି ।
ଡବଡବ ହୋଇ ଭାତ ଫୁଟୁଛି ।ଚନ୍ଦ୍ରିକା ମନରେ ଫୁଟୁଛି କେତେ କଥା । ତା’ ଝିଅ ବୟସର କଥା ।କେଡେ ବଡ ଘରେ ସେ ଜନ୍ମ ହୋଇଥିଲା । ବାପ ବଡ଼ବାପ ଙ୍କ ସାତ ପୁଅର ଗୋଟିଏ ମାତ୍ର ଝିଅ ଥିଲା ସେ । ଘରେ ଡାକୁଥିଲେ ତଅପୋଇ । ଦଇବ ସହିଲା ନାହିଁ ।ଭୁଲ ବାଟକୁ ମନ ଚହଳିଗଲା । ବୟସ ର ଗୋଡ ଖସିଗଲା । ରଜପୁନେଇଁରେ ଦୋଳି ଖେଳୁଖେଳୁ ଭାଗିରଥୀଙ୍କ ସହିତ ଆଖିକୁ ଆଖି ମିଶିଗଲା ।ମନ କୁ ମନ ମିଶିଲା ।ତାଙ୍କର ଗୋରା ତକତକ ଦେହ ସାଙ୍ଗକୁ କଳା ଭଅଁର ର କୁଞ୍ଚୁକୁଞ୍ଚିଆ ଚୁଟି ତା ମନକୁ ଚୋରୀ କରିଥିଲା ।ରଜପିଠା ନେଇ ମାଉସୀ ଘରକୁ ଆସି ମନ ଦେଇ ଯାଇଥିଲା ।ସେତେବେଳେ ସେ କେତେ ଭଲ ଥିଲେ ।ସେଇ ଭଲ ପାଇବାଟା ଯେମିତି କାଳ ହୋଇଗଲା ତା’ ପାଇଁ । ବାହାଘର ହେଲା । ବନ୍ଧୁବାନ୍ଧବ ନାକ ଟେକିଲେ । ବାପା ଦାଦା କହିଲେ ସେ ଭଲ ପାଇ ବାହାହେଲା ତା କଥା ସେ ବୁଝିବ । ପୁଅଘର ଆମ ସମାସ୍କନ୍ଧ ବନ୍ଧୁ ନୁହଁନ୍ତି । ତା ଘରକୁ କେହି ଯିବୁନି । ବାହାଘର ପରେ ବନ୍ଧୁ କଟlକଟି ।
ଭାତକୁ ଚଟୁ ରେ ଆଉଟିକେ ଘାଣ୍ଟିଦେଇ ଚନ୍ଦ୍ରିକା ଆଖିରୁ ଲୁହ ପୋଛିଲା । ତିନିଦିନ ତଳେ ପଣ୍ଡାସହି ହରିଆ ଦାଦା ଙ୍କ ଠାରୁ ବାପାଙ୍କ ନମ୍ବର ଆଣି ଫୋନ କରିଥିଲି । ବାପା ରାଗ ରେ ଫଁ ଫଁ ହେଲେ। ସବୁକଥା ଶୁଣିଲା ପରେ ସ୍ୱର ଟିକେ ନରମିଲା ।
କିଏ ବୁଝିବ ମୋ ଦୁଃଖ ବାପା ? ବାହାଘର ର ପାଞ୍ଚ ବର୍ଷ ନ ପୁରୁଣୁ ମୋର ସବୁ ସ୍ବପ୍ନ ଉଜୁଡି ଯାଇଛି । କେତେ ଗାଳି କେତେ ମାଡ଼ ।ହୃଦୟ କୁ ପଥର କରିକରି ଏବେ ପିଠି କୁ ପଥର କରିବାକୁ ପଡୁଛି ।
ହାଣ୍ଡିଶାଳ ଠଣା ଭିତରୁ ମୋବାଇଲ ବାଜିଲା ।ବାପା ଙ୍କ ଫୋନ ।ବାପା ଦେବାଶିଷ ବାବୁ କଲିକତା ର ହୀରା ବ୍ୟବସାୟୀ ।ହୁଗୁଳି ନଦୀକୂଳରେ ଶଙ୍ଖମଲମଲ ପଥର ର ତାଜମହଲ ପରି ଘର ।ଚାକରବାକର ଙ୍କ ଗହଳି । କେଉଁ ବାପା ନିଜଜନ୍ମକରା ଝିଅର ଏତେ ଦୁଃଖ ସହିପାରିବ । ଲାଗିଲାଗି ଫୋନ ଚାଲିଛି । ସାନଭାଇ ଗାଁ କୁ ଯାଇଛି। ତା ସହିତ ତୁ ମୁନା କୁ ନେଇ କଲିକତା ଚାଲିଆ ମା । ଏତେ କଷ୍ଟ ସହି ସେ ନର୍କ ରେ ପଡି ରହନା ।
ଚନ୍ଦ୍ରିକା ଆଖିରେ ଲୁହ । ଥରେ ଚାହିଁଲା ମୋବାଇଲ କୁ ଆଉ ଥରେ ତା ଶଙ୍ଖା କୁ। ଆଉ ଥରେ ଚାହିଁଲା ତା ସିନ୍ଦୂର ଫରୁଆ କୁ । ବାପା ଆଉ ସିନ୍ଦୂର । ସିନ୍ଦୂର ଆଉ ବାପା । ଭୋ କିନା କାନ୍ଦି ଉଠିଲା । କାନ୍ଦୁଆ କଣ୍ଠ ରୁ ବାହାରି ଆସିଲା – ବାପା, ମୋ ସିନ୍ଦୂର ।
ହାଣ୍ଡୀଶାଳର ଚଟାଣ ଉପରେ କାନ୍ଦିକାନ୍ଦି ଗାଡିଯାଉଥିଲା ସେ ।ଶୁଭୁଥିଲା-
-ନା, ସ୍ୱର୍ଗ ମୋର ଦରକାର ନାହିଁ ବାପା ।ଏଇ ସିନ୍ଦୂର ମୋର ସ୍ୱର୍ଗ ।ଏଇ ସିନ୍ଦୂର ମୋର ସାତ ଜନ୍ମ ର ସାଥି ।ଏଇ ସିନ୍ଦୂର ମୋର ନର୍କରୁ ରାସ୍ତା ସ୍ୱର୍ଗ କୁ।ଏଇ ସିନ୍ଦୂର ମୋର ଜୀବନ । ଏଇ ସିନ୍ଦୂର ମୋର ଆତ୍ମା ।
ରବୀନ୍ଦ୍ରକୁମାର ବେହେରା ,
ସହକାରୀ ଶିକ୍ଷକ ,
ସରସ୍ବତୀ ଶିଶୁବିଦ୍ୟମନ୍ଦିର, ଜଗତପୁର,କଟକ