ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରବୀନ୍ଦ୍ରକୁମାର ବେହେରା ଙ୍କ ଗଳ୍ପ ଏଇ ଟୋପାଏ ସିନ୍ଦୂର ପାଇଁ

ଏଇ ଟୋପାଏ ସିନ୍ଦୂର ପାଇଁ

ଚୁଲିମୁଣ୍ଡକୁ ଶୁଖିଲା ତlଳ ବରଡ଼ା ଟା ମୁହାଉଁ ମୁହାଉଁ ଧୂଆଁ ଲାଗି ଚନ୍ଦ୍ରିକାର ଆଖି ଲୁହରେ ଜୁଡୁବୁଡୁ ହୋଇଯାଇଥିଲା ।ପିନ୍ଧାଶାଢ଼ୀ ଟା ବି ତଦ୍ରୁପ ।କୋଇଲାଆଞ୍ଚ ଟା ଖାଲି ଟା ରେ ଗଡୁଛି । କୋଇଲା ଦି’ଟା ହେଲେସିନା ଜଳିବ । ଆଣିବ କିଏ ? ମୁନାବାପାଟା ଅମଣିଷ ହୋଇଗଲେ । ନିଶାଖାଇ ସର୍ବସ୍ବ ଖାଇଦେଲେ।ଘରୁ ଲକ୍ଷ୍ମୀ ଛାଡ଼ିଗଲେ ।ଜଗନ୍ନାଥଙ୍କ ପରି ଶ୍ୱଶୁରଟିଏ ଥିଲେ ଯେ କି ନିଉଛୁଣିଆ ବେମାର ଟା ଏ ଆସିଲା ଗଲା ଗଣେଶ୍ୱପୂଜା ବାସି ଦିନ ଚାଲିଗଲେ।ଘରେ ଆକଟ କରିବାକୁ କେହିନାହିଁ ।ନିଶାଖିଆ ଲୋକଟାର ମନକୁ ଯେଉଁ ଭାଷା ଆସୁଛି କହିଯାଉଛି ।ତା ପାଇଁ ସାଇପଡ଼ିଶା ବି ଭଲକରି କଥା ହେଉନାହାନ୍ତି ।ପରୋକ୍ଷରେ କେତେକଥା ଶୁଣିବାକୁ ମିଳୁଛି ।ସେଦିନ ତ ଦାସସାହି ବଡବାପା ମୁହେଁମୁହେଁ କହିଦେଲେ -ସାନବୋହୂ, ଭାଗିଆଟାକୁ ତାଗିଦ କର ।ଭୁଲଭୋଟକା କଲାଣି ।ନିଶାଖାଇ ପିଲାମାନଙ୍କୁ ଶୋଧୁଛି ।ଆଜିକାଲିକା ପିଲା, କଣ ବୋଲି କଣ କରିଦେବେ । ଦାଣ୍ଡ ପୋଖରୀ ହୁଡ଼ାରେ କେତେଲୋକ ବସିଥିଲେ, ଭାରି ଲାଜ ଲାଗିଲା । କଣ କରିବ ନିଜେ ତ ନିଆଁ ଖାଇଛି ।

    ଡବଡବ ହୋଇ ଭାତ ଫୁଟୁଛି ।ଚନ୍ଦ୍ରିକା ମନରେ ଫୁଟୁଛି କେତେ କଥା । ତା’ ଝିଅ ବୟସର କଥା ।କେଡେ ବଡ ଘରେ ସେ ଜନ୍ମ ହୋଇଥିଲା । ବାପ ବଡ଼ବାପ ଙ୍କ ସାତ ପୁଅର ଗୋଟିଏ ମାତ୍ର ଝିଅ ଥିଲା ସେ । ଘରେ ଡାକୁଥିଲେ ତଅପୋଇ । ଦଇବ ସହିଲା ନାହିଁ ।ଭୁଲ ବାଟକୁ ମନ ଚହଳିଗଲା । ବୟସ ର ଗୋଡ ଖସିଗଲା । ରଜପୁନେଇଁରେ ଦୋଳି ଖେଳୁଖେଳୁ ଭାଗିରଥୀଙ୍କ ସହିତ ଆଖିକୁ ଆଖି ମିଶିଗଲା ।ମନ କୁ ମନ ମିଶିଲା ।ତାଙ୍କର ଗୋରା ତକତକ ଦେହ ସାଙ୍ଗକୁ କଳା ଭଅଁର ର କୁଞ୍ଚୁକୁଞ୍ଚିଆ ଚୁଟି ତା ମନକୁ ଚୋରୀ କରିଥିଲା ।ରଜପିଠା ନେଇ ମାଉସୀ ଘରକୁ ଆସି ମନ ଦେଇ ଯାଇଥିଲା ।ସେତେବେଳେ ସେ କେତେ ଭଲ ଥିଲେ ।ସେଇ ଭଲ ପାଇବାଟା ଯେମିତି କାଳ ହୋଇଗଲା ତା’ ପାଇଁ । ବାହାଘର ହେଲା । ବନ୍ଧୁବାନ୍ଧବ ନାକ ଟେକିଲେ । ବାପା ଦାଦା କହିଲେ ସେ ଭଲ ପାଇ ବାହାହେଲା ତା କଥା ସେ ବୁଝିବ । ପୁଅଘର ଆମ ସମାସ୍କନ୍ଧ ବନ୍ଧୁ ନୁହଁନ୍ତି । ତା ଘରକୁ କେହି ଯିବୁନି । ବାହାଘର ପରେ ବନ୍ଧୁ କଟlକଟି । 

      ଭାତକୁ ଚଟୁ ରେ ଆଉଟିକେ ଘାଣ୍ଟିଦେଇ ଚନ୍ଦ୍ରିକା ଆଖିରୁ ଲୁହ ପୋଛିଲା । ତିନିଦିନ ତଳେ ପଣ୍ଡାସହି ହରିଆ ଦାଦା ଙ୍କ ଠାରୁ ବାପାଙ୍କ ନମ୍ବର ଆଣି ଫୋନ କରିଥିଲି । ବାପା ରାଗ ରେ ଫଁ ଫଁ ହେଲେ। ସବୁକଥା ଶୁଣିଲା ପରେ ସ୍ୱର ଟିକେ ନରମିଲା ।

       କିଏ ବୁଝିବ ମୋ ଦୁଃଖ ବାପା ? ବାହାଘର ର ପାଞ୍ଚ ବର୍ଷ ନ ପୁରୁଣୁ ମୋର ସବୁ ସ୍ବପ୍ନ ଉଜୁଡି ଯାଇଛି । କେତେ ଗାଳି କେତେ ମାଡ଼ ।ହୃଦୟ କୁ ପଥର କରିକରି ଏବେ ପିଠି କୁ ପଥର କରିବାକୁ ପଡୁଛି ।

   ହାଣ୍ଡିଶାଳ ଠଣା ଭିତରୁ ମୋବାଇଲ ବାଜିଲା ।ବାପା ଙ୍କ ଫୋନ ।ବାପା ଦେବାଶିଷ ବାବୁ କଲିକତା ର ହୀରା ବ୍ୟବସାୟୀ ।ହୁଗୁଳି ନଦୀକୂଳରେ ଶଙ୍ଖମଲମଲ ପଥର ର ତାଜମହଲ ପରି ଘର ।ଚାକରବାକର ଙ୍କ ଗହଳି । କେଉଁ ବାପା ନିଜଜନ୍ମକରା ଝିଅର ଏତେ ଦୁଃଖ ସହିପାରିବ । ଲାଗିଲାଗି ଫୋନ ଚାଲିଛି । ସାନଭାଇ ଗାଁ କୁ ଯାଇଛି। ତା ସହିତ ତୁ ମୁନା କୁ ନେଇ କଲିକତା ଚାଲିଆ ମା । ଏତେ କଷ୍ଟ ସହି ସେ ନର୍କ ରେ ପଡି ରହନା ।

     ଚନ୍ଦ୍ରିକା ଆଖିରେ ଲୁହ । ଥରେ ଚାହିଁଲା ମୋବାଇଲ କୁ ଆଉ ଥରେ ତା ଶଙ୍ଖା କୁ। ଆଉ ଥରେ ଚାହିଁଲା ତା ସିନ୍ଦୂର ଫରୁଆ କୁ । ବାପା ଆଉ ସିନ୍ଦୂର । ସିନ୍ଦୂର ଆଉ ବାପା । ଭୋ କିନା କାନ୍ଦି ଉଠିଲା । କାନ୍ଦୁଆ କଣ୍ଠ ରୁ ବାହାରି ଆସିଲା – ବାପା, ମୋ ସିନ୍ଦୂର ।

   ହାଣ୍ଡୀଶାଳର ଚଟାଣ ଉପରେ କାନ୍ଦିକାନ୍ଦି ଗାଡିଯାଉଥିଲା ସେ ।ଶୁଭୁଥିଲା-

  -ନା, ସ୍ୱର୍ଗ ମୋର ଦରକାର ନାହିଁ ବାପା ।ଏଇ ସିନ୍ଦୂର ମୋର ସ୍ୱର୍ଗ ।ଏଇ ସିନ୍ଦୂର ମୋର ସାତ ଜନ୍ମ ର ସାଥି ।ଏଇ ସିନ୍ଦୂର ମୋର ନର୍କରୁ ରାସ୍ତା ସ୍ୱର୍ଗ କୁ।ଏଇ ସିନ୍ଦୂର ମୋର ଜୀବନ । ଏଇ ସିନ୍ଦୂର ମୋର ଆତ୍ମା ।

 

     ରବୀନ୍ଦ୍ରକୁମାର ବେହେରା ,

          ସହକାରୀ ଶିକ୍ଷକ ,

       ସରସ୍ବତୀ ଶିଶୁବିଦ୍ୟମନ୍ଦିର,  ଜଗତପୁର,କଟକ

Related posts

ଜିଲ୍ଲା ଅକ୍ଷମ ସମିତି ପକ୍ଷରୁ ଜନମତ ସଂଗ୍ରହ, ରାଜ୍ୟ ଭିନ୍ନକ୍ଷମ କମିଶନର ଜଣେ ଭିନ୍ନକ୍ଷମ ହେବାକୁ ସରକାରଙ୍କୁ ଅନୁରୋଧ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ମାଧୁର୍ଯ୍ୟମୟୀ କାଶତଣ୍ଡି 

Sunil Chandra Nayak

ବ୍ରଜନାଥ ବଡ଼ଜେନା ସାହିତ୍ୟ ପରିଷଦ ର ଅଷ୍ଟବିଂଶ ଆଭାସି କବିତା ଆସର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!