ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ଗଣେଶଙ୍କ ବିମୁଖ

ଗଣେଶଙ୍କ ବିମୁଖ

ଜୟ କୁମାର ମିଶ୍ର 

ଗଣେଶଙ୍କ ଦୁଃଖ, ମନର ବିମୁଖ 
ସପନେ ସେ କହି ଗଲେ, 
ଅସହ୍ୟ ବେଦନା, ଅନ୍ତର ଭାବନା 
ଗୋଟି ଗୋଟି ବଖାଣିଲେ ll
ନବଯୁଗ ପିଢ଼ୀ ,ସଉକତା ଭିଡି 
ମନ ଇଚ୍ଛା କାରବାର, 
କରିଣ ଅନୀତି, ରୀତି, ନୀତି, ଗତି,
ପାଶରୁ କରନ୍ତି ଦୂର ll
ବିଚିତ୍ର ବେଭାର, ହେଉଛି ନଜର 
ମୋହର ପୂଜାରେ କେତେ, 
ନବ ଆଧୁନିକ, ଦେଉ ଅଛି ଦୁଃଖ 
ବେଦନା ଦେଉଛି ଚିତ୍ତେ ll
ମୋହର ସ୍ୱରୂପ, କରନ୍ତି କୁରୂପ 
ମଉଜ ବେଭାର କରି, 
ପିନ୍ଧାଏ କେ ଜାମା, ବୁଟୁ ସୁଟ ସହ 
ଟୋପି ପଗଡିକୁ ଧରି ll
ମୋହର ବାହନ, ହୁଏ ହୀନିମାନ 
କରିନ୍ତି କେ ହତାଦର, 
ଯାନରେ ବସାଇ ,କୃତ୍ୟ କୃତ୍ୟ ହୋଇ 
ସଂସ୍କାରକୁ, କଦାକାର ll 
ସାର୍କାସ ଜୋକର, ଭଳି ଦିଶୁଥାଏ 
ଏଇତ ଦୁଃଖଟି ମୋର, 
ମୋହର ଚେହେରା, ସୁଷମାଟି ଭରା 
ଭକତ କରେ କଦାକାର ll
ସ୍ତବ,ମନ୍ତ୍ରପାଠ, ଜଣାଣ, ସଂଗୀତ 
ଅରୁଚି ଅପ୍ରିୟ ହେଲା, 
ଅଶ୍ଳୀଳ, ଆଶ୍ରାବ୍ୟ, ଦୋଅର୍ଥକ ଭାବ 
ଗୀତକୁ ମନ ବଳିଲା ll
ଭଜନ କୀର୍ତ୍ତନ, ସାଧୁ ପ୍ରବଚନ 
ମହିମା ଶ୍ରବଣ ନାହିଁ, 
ଅର୍ଦ୍ଧନଗ୍ନ ନାଚ, ହୁଏ ଆଗ ପଛ 
କାଣ୍ଡ ଜ୍ଞାନ ଭୁଲିଯାଇ ll
ପବିତ୍ରତା ଗଲା, ଅପବିତ୍ର ପାଲା 
ସଭିଏଁ ଛୁଇଁଲେ ଦେହ, 
ଆଗରେ, ମୋହର, ମଦ୍ୟପ ବେଭାର 
ଭରିଦିଏ ଲୁହ, କୋହ ll
ଟୋକା,ଟୋକୀ,ବୁଢ଼ା,ସବୁ ପଥ ହୁଡ଼ା 
ପୂଜାବିଦ୍ଧି, ସବୁ ଛଡା, 
ବେଶ ବିନ୍ୟାସରେ, ମନଘର ଧରେ 
ସବୁଠାରେ ସେଲ୍ଫି କଢ଼ା ll
ଧୂପ, ଦୀପ, ଗନ୍ଧ, ଦୁବ, ଓ ଚାଉଳ 
ଫୁଲ, ଶ୍ରୀଫଳକୁ ହେଳା, 
ଆଳତୀ କର୍ପୁର, ପୂଜାର ବେଭାର 
ହେୟଜ୍ଞାନ ଅବହେଳା ll
ପାଟ, ମଠା, ଶାଢ଼ୀ, ମାରୁଛି ଘୁଙ୍ଗୁଡ଼ି 
ସାଇତା ହୋଇଣ ଘରେ, 
ପେଣ୍ଟ ଶାର୍ଟ, ଜାମା, ଦେଖାଏ ମହିମା 
ହୋଇ ଝିଲ୍ଲୀମିଲି ବାରେ ll
ଖାଲି ଵିଜ୍ଞାପନ, ଶରୀର, ଭୂଷଣ 
ଅମରମତ୍ତାଟି ବେଶି, 
ଅପକର୍ମ ନାଟ, ହୁଏ ଭେଟ ଘାଟ ମଉକାରେ ସବୁ ଖୁସି ll
ଘଣ୍ଟ, ଘଣ୍ଟା, ଗିନି, ହୁଳହୁଳି, ଶଙ୍ଖ 
ମଉନବ୍ରତ ସେ କଲେ, 
ଦେଖି ଡିଜେ ରଡି,ଭୟେ ଭିଡାଭିଡି 
କାତରେ ଲୁଚି ସେ ଗଲେ ll
ମୋହର ନାମରେ, ବେପାରଟି ବାରେ 
ଚାନ୍ଦା,ଭେଦା ଭୟତୁଲେ, 
ଲୋକ ଦେଖାଣିଆ ଭୋଜି ଭାତ ନୁଆଁ 
ଲଡ଼ୁକୁ ନିଲାମ କଲେ ll
ଉପଢ଼ଉକନ, ବିକ୍ରି ହେଲା ଜାଣ
ବଚନେ ମସଲା ବୋଳି, 
ଗରାଖ ବାପୂଡା, ବୀର ପରି ଛିଡା 
ପଛେ ତାଳି, ଶୁଶୁକାଳି ll
ବିସର୍ଜନ କାଳେ, ମନମାନି ଚଳେ
ଅକୁହା ବେଦନା ତାହା, 
କିଏ ଅଙ୍ଗ ଭାଙ୍ଗେ, ହୋଇ ନବରଙ୍ଗେ 
କଚାଡି ଫିଙ୍ଗଇ କିଏ, 
ବହୁତ ବାଧୁଛି, ମୁଁ ଗଣେଶ କହୁଛି 
ତନୁ ମନେ ପୀଡା ପାଏ ll
ନିଦ୍ରା ମୁଁ ତେଜିଲି, ସବୁ ଲେଖି ଦେଲି 
ସ୍ୱପ୍ନାଦେଶ ସବୁ କଥା, 
ଭକତ ବୁଝିବେ ଭୁଲ ନବୁଝିବେ 
ଅନ୍ତରେ କରିବେ ଚିନ୍ତା ll

ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 

ଡାକ-ଗୋରିବନ୍ଧା, ମାଧ୍ଯମ-କାଶୀନଗର,
ଜିଲ୍ଲା-ଗଜପତି , ଓଡିଶା, 761206

Related posts

ମିଶନ ଶକ୍ତି ଋଣ ମେଳା ରେ ୧୮୧ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ତିନି କୋଟି ୭୨ ଲକ୍ଷ ଋଣ ପ୍ରଦାନ 

Sunil Chandra Nayak

ସଚିନ ଦାସ ଙ୍କ କବିତା ସତ୍ୟର ହୋଇବ ଜୟ

Sunil Chandra Nayak

କନ୍ଧମାଳ ରୁ ନୟାଗଡ଼ କୁ ଚାଲାଣ ବେଳେ ୧ କୁଇଣ୍ଟାଲ ୭ କେଜି ଗଞ୍ଜେଇ ଜବତ , ୨ ଗିରଫ

Sunil Chandra Nayak

Leave a Comment

error: Content is protected !!