ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଫୁଲେଇ କବିତା ସିଏ

  ଫୁଲେଇ କବିତା ସିଏ

       ଅପର୍ତ୍ତି ସେଠୀ

ହେଇପାରେ ସିଏ ଆଉ କାହାପାଇଁ
       ଖିଆଲି ମନର କଥା,
କିନ୍ତୁସେ ମୋପାଇଁ ପ୍ରୀତିର ରାଗିଣୀ
       ମେଘ ମହ୍ଲାରର ଗାଥା।
ଯଦି କା’ହୃଦୟ ଏକାମ୍ର କାନନେ
       କେବେ ସେ ଗୋଲାପ ହୁଏ,
ତଥାପି ତ କେଉଁ ଦରଦୀ କବିର
       ସେ ଗେହ୍ଲୀ ଦୁହିତାଟିଏ।
ଟିକେ ଚୁଲ୍‌ବୁଲି ଟିକେ ସେ ଚଗଲୀ
        ଅନୁଭବୀ ମନ ପ୍ରିୟା,
ସ୍ଵପ୍ନ ମହଲର ଅପରୂପାଟିଏ
        ଭାବନାର ସୂକ୍ଷ୍ମ କାୟା।
ସଂସ୍କୃତିର ଶାଢ଼ୀ ଦେହେହୋଇ ବେଢି
         ଶବ୍ଦର ପାଉଁଜି ପିନ୍ଧି,
ଅସୀମ ଆବେଗେ ପ୍ରେମ ବାଣ୍ଟିଦେଇ
         ମନ କରିପାରେ ବନ୍ଦୀ।
କେତେବେଳେତାରମେଘମାଳାବେଣୀ
         ଆକାଶୁଁ ଧରିତ୍ରୀ ଛୁଏଁ,
କେତେବେଳେ ବାଳ ଅରୁଣ ଉଦୟେ
         ତା’ ମଥା ଟିକିଲି ହୁଏ।
କଳା‌ ଆଭୂଷଣେ ବିମଣ୍ଡିତା କେବେ
         ଗଭାର ରଜନୀଗନ୍ଧା,
କବିତା ନାଆଁରେ କବି ଲେଖନୀର
         ନିଃସୃତ ଅଳକାଛନ୍ଦା।
ବର୍ଣ୍ଣ ଚାତୁରୀରେ ଦୁଇ ପାଦ ଆଜି
         ଆଗକୁ ସେ ବଢିଲାଣି, 
ଚିନ୍ତା ଚେତନାର ଆଧୁନିକତାରେ
         ଅସ୍ତିତ୍ବ ହରେଇଲାଣି।
ଅନାବନା ଶବ୍ଦ ଅକ୍ଷର ମାଳାରେ
         ନଗ୍ନତା ଫୁଟିଉଠୁଛି,
ଅର୍ଥ ପଦ ହୀନ ଚେତନା ବିହୀନ
        ଭାବହୀନ ଲାଗୁଅଛି।
କଳ୍ପନାର ଇଚ୍ଛା ଦେବାକୁ ଉପମା
        ଆଜି କିଆଁ କୁଣ୍ଠାବୋଧ,
କାହିଁ ଆକର୍ଷଣ କାହିଁ ସେ ସ୍ପନ୍ଦନ
       କାହିଁ ପୁଣ୍ୟ ବ୍ରହ୍ମନାଦ ?
ଅଳଙ୍କାର ଲାଗେ ସତେ ମୁକ୍ତାମାଳ
       ଶବ୍ଦ ଫୁଲ ଗୁନ୍ଥା ହେଲେ,
କାଳଜୟୀ କବି ଅମର କବିତା
      ଯାହା ଲେଖି ଯାଇଥିଲେ।
ଯୁଗ ସାଥେ ପାଦ ପାଦ ସାଥେ ପଦ
       ତାଳ ଦେଇ ଗତି କରେ,
କବି କବିତାକୁ ଜନ୍ମ କଲାପରେ
        କବିତା ଚମ୍ପଟ ମାରେ।
ସେ ହୋଇଯାଏ ପାଠକ ମନର
        ନିଃଶବ୍ଦ ସ୍ଵପ୍ନ ନାୟୀକା,
ଦୁହେଁ ଅନ୍ତରଙ୍ଗ ମୁହୂର୍ତ୍ତ କଟାନ୍ତି
       ନଥାଏ ମନେ ଆଶଙ୍କା।
ପାଠକ କେବଳ କବିତା ରଙ୍ଗକୁ
       ଭଲ ଭାବେ ଦେଖିପାରେ,
ସେ ହିଁ କେବଳ କବିତାର ବାସ୍ନା
       ସହଜରେ ବାରିପାରେ।
ଏମିତି ଫୁଲେଇ କବିତାଟି ସିଏ
        କା’ ପାଖେ ସ୍ଥିର ରହେନା,
ଯିଏ ଯେତେବେଳେ ମନବଳେଇଲା 
        ତାକୁ ବି କରୁନି ମନା।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡ଼ା

     

Related posts

ଚିତ୍ରା ରାଣୀ ପାତ୍ର ଙ୍କ କବିତା ତାରୁଣ୍ୟ

Sunil Chandra Nayak

ଭୁବନେଶ୍ୱରରେ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ଜାତୀୟ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଓଡ଼ିଶା ଫୁଡ୍‌ପ୍ରୋ-୨୦୨୨ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!