ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟ ନାରାୟଣ ମହାପାତ୍ର ଙ୍କ ଉପସ୍ଥାପନା ମାଣିକ୍ୟ ଦେବୀ ମା ମାଣିକେଶ୍ଵରୀ

ମାଣିକ୍ୟ ଦେବୀ ମା ମାଣିକେଶ୍ଵରୀ

 

ଅଧୁନା କଳାହାଣ୍ଡି ରୂପେ ପରିଚିତ ଭୌଗଳିକ ଭୂଖଣ୍ଡ ଇତିହାସ ବକ୍ଷରେ କାନ୍ତର, ମହାକାନ୍ତର, ଆଟବିକ ରାଜ୍ୟ, ଇନ୍ଦ୍ରବନ, ଚକ୍ରକୋଟ ମଣ୍ଡଳ, କମଳ ମଣ୍ଡଳ, କାରୁଣ୍ଡ ଓ ଶେଷରେ କଳାହାଣ୍ଡି ରୂପେ ପରିଚୟ ବହନ କରିଆସିଛି। ୧୦ମ ଶତାବ୍ଦୀ ବେଳକୁ ଏହି ଅଞ୍ଚଳ ଚକ୍ରକୋଟ ମଣ୍ଡଳର ଅନ୍ତର୍ଭୁକ୍ତ ଥିଲା। ଛିନ୍ଦକ ନାଗବଂଶୀ ମାନେ ଚକ୍ରକୋଟ ମଣ୍ଡଳୀର ଶାସକ ଥିଲେ। ମାଣିକ୍ୟ ଦେବୀ ଛିନ୍ଦକ ନାଗବଂଶୀ ଶାସକ ମାନଙ୍କ ଇଷ୍ଟଦେବୀ। କଳାନ୍ତରରେ ମାଣିକ୍ୟ ଦେବୀ ହିଁ ମାଣିକେଶ୍ଵରୀ ରୂପେ କଳାହାଣ୍ଡିରେ ପ୍ରତିଷ୍ଠିତା ଓ କଳାହାଣ୍ଡିର ଇଷ୍ଟଦେବୀ ରୂପେ ପୁଜିତା ହେଉଛନ୍ତି। ଏଣୁ ମାଣିକେଶ୍ୱରୀ ସଂସ୍କୃତି ଅତି କମରେ ୧୧ଶହ ବର୍ଷ ପ୍ରାଚୀନ ସଂସ୍କୃତି।

ପରବର୍ତ୍ତୀ ସମୟରେ କଳାହାଣ୍ଡି ଗଡଜାତର ନାଗବଂଶୀ ଶାସକ ମାନେ ମାଣିକେଶ୍ଵରୀ ଙ୍କୁ ନିଜର ଇଷ୍ଟଦେବୀ ରୂପେ ଗ୍ରହଣ କରିଛନ୍ତି ଓ ସୁଦୃଶ୍ୟ ମନ୍ଦିର ନିର୍ମାଣ କରାଇ ବିଭିନ୍ନ ଭୋଗରାଗ ତଥା ନୀତିକାନ୍ତି ର ବ୍ୟବସ୍ଥା କରାଇଛନ୍ତି। କଳାହାଣ୍ଡି ରେ ରତ୍ନ ପଥର ମାଣିକ ବା ମାଣିକ୍ୟ ମିଳୁଥିବାରୁ ମାଣିକରୁ ଅଞ୍ଚଳର ଇଷ୍ଟଦେବୀ ମାଣିକ୍ୟ ଦେବୀ ଓ ମାଣିକେଶ୍ଵରୀ ନାମକରଣ ହୋଇଥିବା ଅନୁମେୟ ହୁଏ। ପୂର୍ବତନ କଳାହାଣ୍ଡି ଗଡଜାତର ରାଜଧାନୀ ଭବାନୀପାଟଣାରେ ରାଜଉଆସ ପରିସରରେ ରହିଛି ମାଣିକେଶ୍ଵରୀ ଙ୍କ ମୁଖ୍ୟ ମନ୍ଦିର। ଏହାବ୍ୟତୀତ କଳାହାଣ୍ଡିର ଥୁଆମୂଳ ରାମପୁର, ଯୁଗସାଇପାଟଣା ଏବଂ ଓଡ଼ିଶାର ରାୟଗଡା ଜିଲ୍ଲାର କାଶୀପୁର, କୋଟଗଡ, ପାଇକପଡା, ମୁନିଗୁଡା, ଗୁଡାରୀ, ଗୁଣପୁର, ପାରଳାଖେମୁଣ୍ଡି, ସୋନପୁର, ସୁନ୍ଦରଗଡ, କେଉଁଝରରେ ମାଣିକେଶ୍ଵରୀ ମନ୍ଦିର ରହିଛି। ଏହା ବ୍ୟତୀତ ଆନ୍ଧ୍ର ର ବିଜୟନଗର ନିକଟରେ ଏକ ଗ୍ରାମରେ ଓ ଛତିଶଗଡ଼ ରାଜ୍ୟର ଅବୁଝମାଡ଼ ଅଞ୍ଚଳରେ ମଧ୍ୟ ମାଣିକେଶ୍ଵରୀ ମନ୍ଦିର ରହିଛି। ତେଣୁ ଏକଦା ମାଣିକେଶ୍ଵରୀ ସଂସ୍କୃତି ଓଡ଼ିଶା,ଆନ୍ଧ୍ର ଓ ଛତିଶଗଡ଼ ଅଞ୍ଚଳରେ ପରିବ୍ୟାପ୍ତ ହୋଇଥିଲା। ତେବେ ବର୍ତ୍ତମାନ ଭବାନୀପାଟଣା ରେ ଥିବା ମାଣିକେଶ୍ଵରୀ ପୀଠ ଓଡ଼ିଶାର ଏକ ପ୍ରମୁଖ ଶକ୍ତିପୀଠ ରୂପେ ଶ୍ରଦ୍ଧାଳୁଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ରବିନ୍ଦୁ ସାଜିଛି।

.ଆଦିବାସୀ ଓ ଆର୍ଯ୍ୟ ସଂସ୍କୃତି ର ଏକ ଅପୂର୍ବ ସମନ୍ୱୟ ହେଉଛି କଳାହାଣ୍ଡିର ମାଣିକେଶ୍ୱରୀ ସଂସ୍କୃତି। ସମଗ୍ର ଭାରତରେ ଦଶହରା କହିଲେ ସାର୍ବଜନୀନ ଦୁର୍ଗାପୂଜା କୁ ବୁଝାଇଥାଏ। ତେବେ କଳାହାଣ୍ଡିରେ ଦଶହରା କହିଲେ ମାଣିକେଶ୍ୱରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା କୁ ହିଁ ବୁଝାଇଥାଏ। ପ୍ରତିବର୍ଷ ଆଶ୍ଵିନ ମୂଳାଷ୍ଟମୀ ତିଥିରେ ଏକ ମାଟି ନିର୍ମିତ ନୂତନ ମୁଣ୍ଡ ମାଣିକେଶ୍ୱରୀ ଙ୍କ ସ୍ଥାପନ ପୁର୍ବକ ନବକଳେବର କରାଯାଇଥାଏ। ମୂଳାଷ୍ଟମୀ ଠାରୁ ମହା ନବମୀ ପର୍ଯ୍ୟନ୍ତ ଦେବୀଙ୍କର ଷୋଡ଼ଶ ଦିନାତ୍ମକ ସ୍ୱତନ୍ତ୍ର ଶାରଦୀୟ ପୁଜାନୀତି କରାଯାଇଥାଏ। ପ୍ରତିଦିନ ଦୁଇ ବେଳା ଚଣ୍ଡୀପାଠ ସହ ପଞ୍ଚମକାର ପୂଜାର୍ଚ୍ଚନା କରାଯାଇଥାଏ। ମହାଷ୍ଟମୀ ରାତ୍ରି ରେ ଦେବୀଙ୍କୁ ଅଷ୍ଟବଳି ଅର୍ପଣ ପରେ ଦେବୀଙ୍କ ବିଜୟ ପ୍ରତିମା “ଛତର” କୁ ଛତ୍ର ବାହକ ଓ ସେବାୟତ ମାନେ ଗର୍ଭ ଗୃହରୁ ବାହାର କରି ମନ୍ଦିର ଠାରୁ ସାଢ଼େ ୩କିମି ଦୂର ସହରର ପଶ୍ଚିମ ଉପକଣ୍ଠରେ ଫାଶି ଡଙ୍ଗର ତଳେ ଥିବା ଜେନାଖାଲ କୁ ନିଆଯାଇଥାଏ। ଜେନାଖାଲ ରେ ଗୁପ୍ତ ବିଧିରେ ପୂଜାର୍ଚ୍ଚନା ପରେ ବଡ଼ି ଭୋର ରୁ ଦେବୀଙ୍କ ଛତର ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଥାନ୍ତି। ଏହାକୁ ପ୍ରସିଦ୍ଧ ଛତର ଯାତ୍ରା କୁହାଯାଏ। ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ମାନସିକ ଯାଚନା କରି ଶ୍ରଦ୍ଧାଳୁ ମାନେ ଛେଳି, କୁକୁଡ଼ା, ପାରା ଆଦି ବଳି ଦେବୀଙ୍କୁ ଅର୍ପଣ କରିଥାନ୍ତି। ପୁଣିଥରେ ବିଜୟ ଦଶମୀ ଅପରାହ୍ନ ରେ ଦେବୀଙ୍କ ଛତର କୁ ମନ୍ଦିରରୁ ବାହାର କରି ଲାଖମରା ଯାତ୍ରା ନିମନ୍ତେ ନକଟିଗୁଡା ଠାରେ ଥିବା ଲାଖମରା ପଡ଼ିଆ କୁ ନିଆଯାଇଥାଏ। ସେଠାରେ ଏକ ଅସ୍ଥାୟୀ ମଣ୍ଡପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଲାଖମରା ପ୍ରତିଯୋଗିତା ଆରମ୍ଭ ହୋଇଥାଏ। ଏକ ଉଚ୍ଚ ସ୍ଥାନରେ ବନ୍ଧା ଯାଇଥିବା ଲାଖ କୁ ବନ୍ଧୁକରେ ଲକ୍ଷ୍ୟ ଭେଦ ନିମନ୍ତେ ପ୍ରତିଯୋଗିତା ହୁଏ। ଲାଖ ଭେଦ କରିଥିବା ପ୍ରତିଯୋଗୀଙ୍କୁ ରଜ ଦରବାର ପକ୍ଷରୁ ପୁରସ୍କୃତ କରାଯାଇଥାଏ। ଏହାପରେ ଛତର ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ବିଜୟାଦଶମୀ ମଧ୍ୟ ରାତ୍ରିରେ ସଂପୂଣ୍ଣ ଗୋପନରେ ମାଣିକେଶ୍ୱରୀ ଙ୍କ ମାଟି ମୁଣ୍ଡକୁ ପୁରୁଷୋତ୍ତମ ସାଗରରେ ବିଶର୍ଜନ କରିବା ସହ ଦେବୀଙ୍କ ଶାରଦୀୟ ଉତ୍ସବ ସମାପନ ହୋଇଥାଏ।

                           ସତ୍ୟ ନାରାୟଣ ମହାପାତ୍ର

                                   ଗବେଷକ ତଥା ବରିଷ୍ଠ ସାମ୍ବାଦିକ

                                      ଭବାନୀପାଟଣା, କଳାହାଣ୍ଡି।

Related posts

ଡକ୍ଟର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

Sunil Chandra Nayak

ତେନ୍ତୁଳିଖୁଣ୍ଟି ପଂଚାୟତ ସମିତି ଓ ପୋଲିସ ପାଳିଲେ ଗାନ୍ଧୀ ଜୟନ୍ତୀ

Sunil Chandra Nayak

ନୂଆପଡା ଜିଲ୍ଲା ସାଂସ୍କୃତିକ ରଙ୍ଗମଞ୍ଚ ରେ ପାଳିତ ହେଲା ଜିଲ୍ଲା ସ୍ତରୀୟ ମଇ ଦିବସ 

Leave a Comment

error: Content is protected !!