ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଧନ୍ୟବାଦ ଯୋଜନା

  ଧନ୍ୟବାଦ ଯୋଜନା

     

        ଅପର୍ତ୍ତି ସେଠୀ

          (ରମ୍ୟ ରଚନା)
ହେ ହ୍ଵାଟ୍‌ସଫ୍ ସାହିତ୍ୟ ସଂସଦ
       ଆପଣଙ୍କୁ କହୁଅଛି,
ଆଜିକା କବିଙ୍କ ହୃଦୟର ବ୍ୟଥା
       କେବେ ଥରେ ବୁଝିଛ କି?
ନିଶ୍ଚେ ଦେଖୁଥିବ ଆଜି ସରକାର
       ଲୋକମାନଙ୍କ ହିତରେ,
କାଳିଆ,ବଳିଆ,ପୀଠା, ହରିଶ୍ଚନ୍ଦ୍ର
      କେତେ ସେ ଯୋଜନା କଲେ।
ଯଦି ସରକାର ଲୋକଙ୍କୁ ଚାହିଁଲେ 
        ତୁମେ ବି ଆମକୁ ଚାହଁ,
“ଧନ୍ୟବାଦ”ବୋଲିକବିଙ୍କ ଉଦ୍ଦେଶ୍ୟେ
        ଯୋଜନାଟି ଖୋଲିଦିଅ‌।
ସ୍ମାର୍ଟଫୋନଗୋଟେଗୋଟେଦେଇପୁଣି
        ରିଚାର୍ଯ‌ ବି କଲେ ଭଲ,
ଏ ସବୁ କରିଲେ କବିତା କି ଗଳ୍ପ
        ବାହାରିବ ଅନର୍ଗଳ।
ମାଗଣା କବିତା କେତେବା ଲେଖିବ
        ଆଜିକା କବି ଲେଖକ,
ପ୍ରତି କବିତାକୁ ପୋଷ୍ଟ କଲାପରେ
        ଫୋନ୍ କେତେ ଘଷୁ ଥିବ?
କବିତା ବଦଳେ କେତେ ଜଣଙ୍କର
        ଧନ୍ୟବାଦ ଆସିଅଛି,
କାମଧନ୍ଦା ଛାଡି ଆଜିକା କବିଟି
       ମୋବାଇଲ ଘାଣ୍ଟୁଅଛି।
ହଜାରେ ଗ୍ରୁପ୍‌ରେ ଯୋଡ଼ି ହୋଇ କରି
        କାହାକୁ ପଢ଼ିବା ପାଇଁ,
ସମୟ ମିଳେନା କାହା ଲେଖାଟିରେ
        ଧନ୍ୟବାଦ ଦେବା ପାଇଁ,
ମାଗି କ‌ଇଲାଣ ଯାଚି ଓଳିଗିର
         ମୂଲ୍ୟ ଏଠାରେ ଅଧିକ,
“ମୋରାଣ ମୋତେ ଭଲପାଆ ଟିକେ”
        ଟଙ୍କା ଦେଲେ ମାନପତ୍ର।
ଧନ୍ୟବାଦ ସ୍କିମ୍ କବି ମନ ସିମ୍‌
         ରିଚାର୍ଯ କରେଇ ଦିଏ,
କବିଙ୍କୁ ଅନେକ ପ୍ରେରଣା ଯୋଗାଇ
         ଆଗକୁ ବାଟ ଦେଖାଏ।
ଉପାଧି ହାଟରେ ଯଦିଓ ଅନେକ
         ସମ୍ମାନ ବିକିରି‌ ହୁଏ,
ପ୍ରକୃତ ପ୍ରତିଭା କରମ‌ ଆଦରି
         ଏଠି ପୁଣି ପଡିଥାଏ।
ମୋ ଲେଖାକୁ ପଢି ମୋତେ ଯିଏଏଠି
         ଧନ୍ୟବାଦ ଦେଉଥାଏ,
ମୁଁ ହିଁ କେବଳ ତାଙ୍କ ଲେଖା ପଢି
         ତାଙ୍କୁ ନିତି ଟେକୁଥାଏ।
ଟଙ୍କା ଦିଆ ମାନପତ୍ର ଛାଡେ କିଏ
        ଫେସବୁକ ମିଡିଆରେ,
ନିଜ ଢୋଲ ନିଜେ ପିଟି ଖୁସିହୁଏ
        ପୁଣି ପଡୁଛି ଆଖିରେ।
କବିତା ଆସର ଘଟଣା କହିଲେ
        ସେ ଜମା ସରିବ ନାହିଁ,
କବିତା ବେଳକୁ ବକତା‌ ବାବୁଙ୍କ
       ଉପସ୍ଥିତି ରହେ ନାହିଁ।
କବିଙ୍କୁ ଅନେକ କଟକଣା ପୁଣି 
       ସମୟ ଅଭାବ କହି,
ଦୁଇ ଦୁଇ ଧାଡ଼ି ନିଜସ୍ଵ କବିତା
       ଦୟାକରି ପଢ ଭାଇ।
ବିନା ପୂର୍ବାଭାଷ‌ ବିନା ସ୍ଵର କରି 
        କବିତା ଆବୃତ୍ତି କର,
କିନ୍ତୁ ଆମ କବି ଯିଦିରେ ଅଟଳ
        ଗାଇଥାନ୍ତି କରି ସ୍ଵର।
କବିତାଆସରେ କାହା କବିତାକୁ
        କେହି ବି ଶୁଣୁ ନ ଥାନ୍ତି,
ନିଜ କବିତାକୁ ପାଠକଲା ପରେ
        ସନ୍ତର୍ପଣେ ଚାଲିଯାନ୍ତି।
ଭାରି ସ୍ଵାଭିମାନୀ ଆମ କବି ବନ୍ଧୁ
        ଦେଖୁ ଦେଖୁ ରାଗୁଥାନ୍ତି,
କବିତା ନମ୍ବର ବିଳମ୍ବିତ ହେଲେ
        ମନ ଆମ୍ବିଳା କରନ୍ତି। 
ଏଇ କ’ଣ ଆମ ସାହିତ୍ୟ ସାଧନା
        ଏଇ କ’ଣ ଆମ ତ୍ୟାଗ,
ସମାଜର ହିତ କେମିତି ସମ୍ଭବ
        କେମିତି ଭାଷା ବଞ୍ଚିବ?
କବିତା ଆସରେ ନିମନ୍ତ୍ରଣ ପାଇ‌
        କବି ଯେତେ ଖୁସିହୁଏ,
ସେଦିନ ତାହାର ବଡ଼ ପର୍ବ ବୋଲି
        ମନେ ମନେ ଭାବିନିଏ‌।
କିନ୍ତୁ ସଭାସ୍ଥଳେ ଅସହାୟ କବି
        କବିତା ପଢ଼ିବା ପାଇଁ,
ଡହଳ ବିକଳ ହେଉଥାଏ କେତେ
        ଧନ୍ୟ ହେ ବକତା‌ ଭାଇ।
ଛାଡ଼ନ୍ତୁ ହେ ଭାଇ ସେ ଅନେକ କଥା
        ଲୋଡ଼ା ଆମ ଧନ୍ୟବାଦ,
ତାଳିର ଆନନ୍ଦେ ପେଟ ପୁରେ ସିନା
         ଗାଳିରେ ଉପୁଜେ ଦ୍ଵନ୍ଦ।
ଦେଖିବାକୁ ଗଲେ କବି ଚାହେଁ ନାହିଁ 
        ସନମାନ‌ ମାନପତ୍ର,
ପାଠକ ସ୍ଵୀକୃତି ତା’ ପାଇଁ ସମ୍ମାନ
        କୈବଲ୍ୟ ସମ ଅମୃତ।
ବହି ଛପେଇକି ଉନ୍ମୋଚନ କରି
        ମାଗଣା ବହି ବାଣ୍ଟିଲେ,
ପାଠକୀୟ ଶ୍ରଦ୍ଧା ଯଦିବା‌ ନ ଥିବ
        କି ଅଛି ଲାଭ ସେଥିରେ?
ଦରକାର ନାହିଁ ମୁହଁ ଦେଖା ସ୍ତୁତି
        ଗାମୁଛା କି ଫୁଲ ତୋଡା‌,
ପାଠକ ହୃଦୟ ଛୁଇଁବା ସବୁଠୁଁ
        ବଡ଼ ସମ୍ବର୍ଦ୍ଧନା ପରା।
ଉପାଧି ପଦବୀ ପ୍ରଶଂସା ପତ୍ରରେ
        କବି ଭୋକ କିବା ମରେ,
ସେ ଏକା ଜାଣିଛି କେତୋଟି ହୃଦୟ
        ଜିଣି‌ଛି ତା’ ଲେଖାଟିରେ।
ସିଏ କେଉଁ ଲେଖା ସମାଜ ହିତରେ
       ଯଦି କିଛି ବାର୍ତ୍ତା ନାହିଁ,
ନା,ସିଏକେଉଁକବିଯେଦୁର୍ବୋଧ ଶବ୍ଦେ
       ଆତ୍ମ ପ୍ରଚାର କର‌ଇ ।       
ନିନ୍ଦା ପ୍ରଶଂସା କି ଗାଳି କରତାଳି
       କବି ଯଦି ସମ କରେ,
ଏଥିରେ ସାଧନା ପୂର୍ଣ୍ଣ ହେବ ନିଶ୍ଚେ
       ପୂଜା ପାଇବ ସଂସାରେ।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡ଼ା

   

Related posts

ସାହିତ୍ୟ ଅଗଣା

Sunil Chandra Nayak

ଯାଦବ ମାଝୀ ଉଚ୍ଚ ବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ହେ ନୀଳାଦ୍ରି ନାଥ

Sunil Chandra Nayak

Leave a Comment

error: Content is protected !!