ବାଲେଶ୍ଵର,୨୦/୧୧/୨୨- ଗଣତାନ୍ତ୍ରିକ ପ୍ରକ୍ରିୟାରେ ଉତ୍କଳ ସାମ୍ବାଦିକ ସଙ୍ଘ ବାଲେଶ୍ଵର ଶାଖାର ନିର୍ବାଚନ କିଛି ମାସ ତଳେ ଅନୁଷ୍ଠିତ ହୋଇଥିଲା । ସମସ୍ତ କଳ୍ପନା ଜଳ୍ପନାର ଅନ୍ତଘଟାଇ ସମ୍ପାଦକ ପଦ ମଣ୍ଡନ କରିଥିଲେ ପ୍ରତାପ ପାତ୍ର । ନିର୍ବାଚନରେ ଜିତିଲା ପରେ ଜିଲ୍ଲାର ସମସ୍ତ ବ୍ଲକକୁ ଯାଇ ସଙ୍ଘର ସଦସ୍ୟ ମାନଙ୍କୁ ଭେଟିବା ଥିଲା ସମ୍ପାଦକ ପ୍ରତାପ ପାତ୍ରଙ୍କର ଲକ୍ଷ୍ୟ । ହେଲେ କାର୍ଯ୍ୟ ବ୍ଯସ୍ତତା ଓ ସମୟ ଅଭାବରୁ ବ୍ଲକ ଗସ୍ତ କରିପାରୁ ନ ଥିଲେ । ଗତକାଲି ହଠାତ୍ ସମ୍ପାଦକଙ୍କ ସିମୁଳିଆ, ଖଇରା ଓ ଔପଦା ଗସ୍ତରେ ଆସି ପ୍ରଥମେ ସିମୁଳିଆ ବ୍ଲକରେ ପହଞ୍ଚି ସଦସ୍ୟ ମାନଙ୍କ ସହିତ ସାକ୍ଷାତ ଓ ଆଲୋଚନା କରିଥିଲେ । ପରେ ପରେ ଖଇରା ବ୍ଲକକୁ ଆସି ଉତ୍କଳ ସାମ୍ବାଦିକ ସଙ୍ଘର ସଦସ୍ୟ ନରେନ୍ଦ୍ର ପ୍ରସାଦ ବେହେରା, ଉମେଶ ଜେନା ଓ ଦୁର୍ଗା ମାଧବ ଓଝାଙ୍କୁ ଭେଟିଥିଲେ । ଏହି ଅବସରରେ ସମସ୍ତ ସଦସ୍ୟ ମାନଙ୍କ ସହିତ ସଙ୍ଘ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଆଳାପ ଆଲୋଚନାରେ କିଛି ସମୟ ଅତିବାହିତ କରିଥିଲେ ସମ୍ପାଦକ ଶ୍ରୀ ପାତ୍ର । ଏବଂ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମ ବିଷୟରେ ସମ୍ଯକ ସୂଚନା ପ୍ରଦାନ କରିଥିଲେ । ପ୍ରୋଗ୍ରାମ ପାଇଁ ତାରିଖ ନିର୍ଦ୍ଧାରଣ ହେଲେ ମେସେଜ ମାଧ୍ୟମରେ ସୂଚନା ପଠାଇଦେବେ ବୋଲି ପ୍ରକାଶ କରିଥିଲେ । ସମ୍ପାଦକଙ୍କ ସହିତ ପୂର୍ବତନ ଉତ୍କଳ ସାମ୍ବାଦିକ ସଙ୍ଘର ସଭାପତି ବ୍ରହ୍ମାନନ୍ଦ ସ୍ବାଇଁ, ସୀତାରାମ ପାତ୍ର ଓ ମନୋଜ ପଣ୍ଡା ପ୍ରମୁଖ ଆସିଥିଲେ । ସମ୍ପାଦକଙ୍କ ଆଗମନରେ ଉପସ୍ଥିତ ଖଇରା ସଦସ୍ୟଙ୍କ ମନରେ ଆନନ୍ଦଉଲ୍ଲାସ ଖେଳିଯାଇଛି । ଶେଷରେ ଔପଦା ବ୍ଲକ ଗସ୍ତକରି ସଦସ୍ୟ ମାନଙ୍କୁ ଭେଟି ସଙ୍ଘୀୟ ଆଲୋଚନା କରି ବାଲେଶ୍ଵରକୁ ପ୍ରତ୍ଯାବର୍ତ୍ତନ କରିଥିଲେ ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ