ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ର. ସଞ୍ଜୟ ଶତପଥୀଙ୍କୁ ଦେବଗିରି ସମ୍ମାନ, ଯୁବ ସମ୍ମାନ ପାଇବେ ଉଦୀୟମାନ ଯୁବ ଲେଖକ ଡିଲେଶ୍ୱର ରଣା

ନର୍ଲା ୨୩/୧୧ (ମନିସ): ବିଶିଷ୍ଟ ଶିକ୍ଷାବିତ, ଲେଖକ, ଅଭିନେତା, ଗୀତିକାର, କଣ୍ଠଶିଳ୍ପୀ, ଉପସ୍ଥାପକ ତଥା କଳାହାଣ୍ଡି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କୁ ଏବର୍ଷର ମର୍ଯ୍ୟାଦାଜନକ ‘ଦେବଗିରି ସମ୍ମାନ’ ପ୍ରଦାନ କରାଯିବ। ଶିକ୍ଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ତାଙ୍କୁ ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ଏହି ସର୍ବୋଚ୍ଚ ସମ୍ମାନ ଦିଆଯିବ ବୋଲି ସୂଚନା ମିଳିଛି। ପ୍ରଫେସର ଶତପଥୀ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ସହ ୨୫ରୁ ଉର୍ଦ୍ଧ୍ବ ପିଏଚଡି ଗବେଷକଙ୍କୁ ଗାଇଡ୍ କରିଛନ୍ତି। ତାଙ୍କର ଅନେକ ଲେଖା ବିଭିନ୍ନ ଅନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶିତ ହେବାସହ ଅନେକ ଜାତୀୟ ଅନ୍ତର୍ଜାତୀୟ ଆଲୋଚନାଚକ୍ରରେ ଭାରତର ପ୍ରତିନିଧିତ୍ଵ କରିଛନ୍ତି। ସେହିପରି କବିତା, ଗଳ୍ପ, ନାଟକ, ଆଲୋଚନା ପୁସ୍ତକ ରଚନା ବାଦ ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ସଂସ୍ଥା ପକ୍ଷରୁ ପ୍ରକାଶିତ ଅନେକ ପୁସ୍ତକ ବିଶ୍ୱବିଦ୍ୟାଳୟ ସ୍ତରରେ ପଢ଼ାଯାଉଛି। ଜଣେ ଉପସ୍ଥାପକ ଭାବେ ସେ ୧୯୭୧ ମସିହାରୁ ମଞ୍ଚ, ରେଡିଓ ଏବଂ ଟେଲିଭିଜନ ଉପସ୍ଥାପନା ସହ ଜଡ଼ିତ। ସେ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର ଓ କଣ୍ଠଶିଳ୍ପୀ ଏବଂ ଦୂରଦର୍ଶନର ନିୟମିତ ଉପସ୍ଥାପକ। ରକ୍ତଦାନ ଶିବିର, ନାରୀ ସଶକ୍ତିକରଣ, ଏଡ୍ସ ସଚେତନତା, ନିଶାମୁକ୍ତି ଅଭିଯାନ, ସଡ଼କ ସୁରକ୍ଷା, ସ୍ୱଚ୍ଛ ଭାରତ ଅଭିଯାନ, କେନ୍ସର ସଚେତନତା, ବୃକ୍ଷରୋପଣ, ଯୁବ ରେଡକ୍ରସ ସହିତ ସାମିଲ ରହିଛନ୍ତି। ସେହିପରି ଏବର୍ଷର ‘ଦେବଗିରି ଯୁବ ସମ୍ମାନ’ ପାଇବେ ଉଦୀୟମାନ ଯୁବ ଲେଖକ ତଥା ଅଭିନେତା ଡିଲେଶ୍ୱର ରଣା। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଧଅଁରାମାଲ ଗ୍ରାମର ବ୍ରଜ ରଣା ଓ ବିଦୁସୁତା ରଣାଙ୍କ ସୁପୁତ୍ର ଡିଲେଶ୍ବର ଗଳ୍ପ ଓ କବିତା ରଚନା ସହ ଅଭିନୟ, ସାହିତ୍ୟ ସଂଗଠନ ଆଦିରେ ସକ୍ରିୟ ରହିଛନ୍ତି। ତାଙ୍କର ଗଳ୍ପ ସଂକଳନ ‘ସେଁର୍‌ରା’ ବିପୁଳ ପାଠକୀୟତା ଲାଭ କରିଥିବା ବେଳେ ନିକଟ ଅତୀତରେ ନେସନାଲ୍ ବୁକ୍ ଟ୍ରଷ୍ଟ ଦ୍ୱାରା ଉପନ୍ୟାସ ‘ମେଳିଭୂଇଁ’ ପ୍ରକାଶିତ ହୋଇଛି। ସାହିତ୍ୟ ସାଧନା ପାଇଁ ସେ ପିଏମ୍ ୟୁବା ମେଣ୍ଟରସିପ୍, କଥା ନବପ୍ରତିଭା ପୁରସ୍କାର, କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର, ତପସ୍ୟା ସମ୍ଭାବନା ପୁରସ୍କାର, ପଲ୍ଲବନ ଶବ୍ଦ ସମ୍ମାନ ପାଇବା ସହ କେନ୍ଦ୍ର ସାହିତ୍ୟ ଏକାଡେମୀର ‘ଯୁବସହିତି’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିସାରିଛନ୍ତି। ସେହିପରି ଦେଶର ବିଭିନ୍ନ ମଞ୍ଚରେ ଅଭିନୟ କରିବା ସହ ବଲିଉଡ ଫିଲ୍ମ ‘ଏ ରେଡ୍ ଶାର୍ଟ’ରେ ଅଭିନେତା ରଘୁବୀର ଯାଦବଙ୍କ ସହ ଅଭିନୟ କରିଛନ୍ତି। ସଂପ୍ରତି ଜିଲ୍ଲା ଶିକ୍ଷା ବିଭାଗର ଜନଜାତି ସାଧନ କେନ୍ଦ୍ରରେ କାର୍ଯ୍ୟରତ ଡିଲେଶ୍ବର ଗ୍ଲୋବାଲ୍ ଲାଇଫରେଚର୍ ଫାଉଣ୍ଡେସନର ଆବାହକ ଅଛନ୍ତି।ଆସନ୍ତା ଡିସେମ୍ବର ୨ ରୁ ୪ ତାରିଖ ଯାଏଁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦର ଠାରେ ଅନୁଷ୍ଠିତ ହେବାକୁ ଥିବା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୦ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଅବସରରେ ଉଭୟଙ୍କୁ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ଓ ସାଧାରଣ ସଂପାଦକ ସୁନୀଲ ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି।

ନର୍ଲା ରୁ ଦୀପକ ଠାକୁର ଙ୍କ ରିପୋର୍ଟ 

 

Related posts

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି; ଓଡ଼ିଶାର ୩ଟି ଆସନ ପାଇଁ ହେବ ମତଦାନ

ଯୁଗଯାତ୍ରୀ ସାହିତ୍ୟ ସଂସଦର ଗଙ୍ଗାଧର ମେହେର ଜୟନ୍ତୀ : ଗଙ୍ଗାଧର ସାହିତ୍ୟ ରେ ଶୃଙ୍ଖଳିତ ସମାଜ ଓ ଆଦର୍ଶ ରାଷ୍ଟ୍ର ଗଠନ ସନ୍ଦେଶ ରହିଛି

Sunil Chandra Nayak

ଅସହାୟ ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲେ ସାମାଜିକ କର୍ମୀ 

Sunil Chandra Nayak

Leave a Comment

error: Content is protected !!