ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦ୍ରକଳା ଦେବୀ ଙ୍କ କବିତା “ଉତ୍କଳୀୟ ପରମ୍ପରାରେ ଲକ୍ଷ୍ମୀ ପୂଜନ”

“ଉତ୍କଳୀୟ ପରମ୍ପରାରେ ଲକ୍ଷ୍ମୀ ପୂଜନ”

ଚନ୍ଦ୍ରକଳା ଦେବୀ

ଓଡ଼ିଆ ସଂସ୍କୃତି ଆମ ପରମ୍ପରା
ଜଗତେ ଅଟେ ନିଆରା,
ବାରମାସେ ତେର ପରବ ପାଳନେ
ହସି ଉଠୁଥାଏ ଧରା ||
ମାର୍ଗଶିର ମାସେ ଲକ୍ଷ୍ମୀଙ୍କ ପୂଜନ
ହୁଏ ପ୍ରତି ଗୁରୁବାର
ଘରର ଘରଣୀ ସଅଳ ଉଠିଣ
ଲିପାପୋଛା ଘରଦ୍ୱାର ||
ସ୍ନାନାଦି ସକଳ ନିତ୍ୟକର୍ମ ସାରି
ଝୋଟି ଆଙ୍କେ ଆସ୍ଥାନରେ
ପଦ୍ମଫୁଲ ସାଥେ ଲକ୍ଷ୍ମୀ ପାଦପଦ୍ମ
କରଇ ବଡ଼ ସୁନ୍ଦରେ ||
ଧୂପ ନଇବେଦ୍ୟ କରଇ ଅର୍ପଣ
ଵିଧି ଆଉ ବିଧାନରେ
ତିନି ପାଳି ପୂଜି ଚତୁର୍ଥ ପାଳିକୁ
ମାଣବସା ପର୍ବ ପାଳେ ||
ରାତ୍ରିର ଚତୁର୍ଥ ପ୍ରହରୁ ଉଠିଣ
ଘରଦ୍ୱାର ଲିପି ପୋଛି
ସ୍ନାନଶୌଚ ଆଦି ନିତ୍ୟକର୍ମ ସାରି
ଝୋଟିଚିତା ଆଙ୍କେ ବସି ||
ନାନାବିଧ ପିଠା ଘରେ ସେ କରଇ
ଲକ୍ଷ୍ମୀଙ୍କ ଆସ୍ଥାନେ ରଖେ
ମାଆଙ୍କୁ ସଜାଏ ଖଟୁଲି ଉପରେ
ନାନାବିଧ ଫୁଲ ସାଥେ ||
ଶୁକଳ ଧାନକୁ ମାଣରେ ପୂରାଇ
ଧାନ ବେଣ୍ଟି ରଖେ ପାଖେ
ଧାନମାଣ ପରେ ଗୁଆ ତିନିଗୋଟି
ଯତନେ ସଜାଇ ରଖେ ||
ଆଖୁ ମୂଳା, କ୍ଷୀର କଦଳୀ ସାକର
ପଞ୍ଚାମୃତ ରଖେ ନେଇ
ଧୂପ ଦୀପ ନଇବେଦ୍ୟ ଅରପିଣ
ପୂଜା ବହି ପଢିଥାଇ ||
ପ୍ରଥମରେ ବାଳ ଧୂପ ସେ ଦିଅଇ
ତାପରେ ଶଙ୍ଖୁଡି ଭୋଗ
ଵିଧି ବିଧାନରେ ତିନି ଧୂପ ଦେଇ
ପୂଜେ ଲକ୍ଷ୍ମୀ ପାଦ ପଦ୍ମ ||
ଜୟ ମହାଲକ୍ଷ୍ମୀ ମା’ଲୋ ଅନ୍ନପୂର୍ଣ୍ଣା
ଜଗତ ରକ୍ଷା କାରିଣୀ
ଦୁଃଖି ରଙ୍କି କେହି ସଂସାରେ ନରହୁ
କରୁଣାକର ଜନନୀ ||

ବନ୍ଧୁଗାଁ,କୋରାପୁଟ

Related posts

ବିଦ୍ୟୁତବିଲ ପୈଠ ନ ହେବାରୁ ଚାରବାହାଲ ଗାଁ ରେ ଜଳ ଯୋଗାଣ ଠପ

Sunil Chandra Nayak

ରାଜ୍ୟରେ ନିର୍ମାଣ ହେବ ମଡେଲ ମଣ୍ଡି, ୧୨୮ ବହୁମୁଖୀ ଗୋଦାମ ଗୃହ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶେଷ ପାଇଁ ନିର୍ଦ୍ଦେଶ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!