ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଜ୍ଜନ ଅଗ୍ରୱାଲଙ୍କୁ ଦେବଗିରି ସେବା ସମ୍ମାନ, ଲୋକକଳା ସମ୍ମାନ ପାଇବେ ଭୁବନେଶ୍ୱର ବାଗ

ନର୍ଲା ୨୪/୧୧ (ମନିସ): କରୋନା ମୃତକଙ୍କ ଶବ ସତ୍କାର କରି ସାରା ରାଜ୍ୟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସ୍ଵର୍ଗଦ୍ଵାର ସେବା ସଂଗଠନର ପ୍ରତିଷ୍ଠାତା ବୈଦ୍ୟରାଜ ସଜ୍ଜନ ଅଗ୍ରୱାଲଙ୍କୁ ଏବର୍ଷର ମର୍ଯ୍ୟାଦାଜନକ ‘ଦେବଗିରି ସେବା ସମ୍ମାନ’ ପ୍ରଦାନ କରାଯିବ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦରଠାରେ ଆସନ୍ତା ଡିସେମ୍ବର ୨ ରୁ ୪ ତାରିଖ ଯାଏଁ ଆୟୋଜିତ ହେବାକୁଥିବା ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୦ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଅବସରରେ ତାଙ୍କୁ ସମ୍ମାନିତ କରାଯିବ ବୋଲି ସୂଚନା ରହିଛି। ରୁପ୍ରାରୋଡ ନିବାସୀ ସ୍ଵର୍ଗତ ସମାଜସେବୀ କିସନଲାଲ ଅଗ୍ରୱାଲ ଓ ଗୋମତୀ ଦେବୀ ଅଗ୍ରୱାଲଙ୍କ ସୁପୁତ୍ର ବୈଦ୍ୟରାଜ ସଜ୍ଜନ ଅଗ୍ରୱାଲ ଦୀର୍ଘ ୧୫ ବର୍ଷ ଧରି ମାଗଣାରେ ରୋଗୀମାନଙ୍କୁ ଚିକିତ୍ସା ସହ ଔଷଧ ପ୍ରଦାନ କରି ଆସୁଛନ୍ତି। ପ୍ରାଚୀନ ଆୟୁର୍ବେଦିକ ଚିକିତ୍ସା ପଦ୍ଧତି ଅନୁସାରେ ସେ ସିକଲ୍ ସେଲ୍, କେନ୍ସର୍, କିଡନୀ, ଲିଭର୍, ଫିଟ୍ସ, ପେଟ ସମ୍ବନ୍ଧୀୟ ଅସାଧ୍ୟ ରୋଗ, ସ୍ନାୟବିକ ଦୁର୍ବଳତା ଆଦି ଅନେକ ରୋଗର ଚିକିତ୍ସା କରିଥାନ୍ତି। ତାଙ୍କ ପାଖକୁ ସବୁଦିନେ ରୋଗୀଙ୍କ ଲମ୍ବା ଧାଡ଼ି ଲାଗିଥାଏ। ସଜ୍ଜନଙ୍କ ଆୟୁର୍ବେଦିକ ଉପଚାର ଯୋଗୁଁ ହଜାର ହଜାର ରୋଗୀ ଉପକୃତ ହେଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ସେ କେବେ ବି କୌଣସି ରୋଗୀଙ୍କଠାରୁ ଟଙ୍କାଟିଏ ମଧ୍ୟ ଗ୍ରହଣ କରିନଥାନ୍ତି। ଏହାସହ କରୋନାରେ ମୃତ ରୋଗୀମାନଙ୍କ ଶବ ଦାହ କରି ସେ ସମାଜ ପାଇଁ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ଯେଉଁ ସମୟରେ କରୋନାର କରାଳ ଛାୟାରେ ଜନମାନସ ଭୀତତ୍ରସ୍ତ ହୋଇ ପଡ଼ିଥିଲେ, ସେହି ସମୟରେ ଶ୍ରୀ ଅଗ୍ରୱାଲ ସ୍ଵର୍ଗଦ୍ଵାର ସେବା ସଂଗଠନର ନିଜ ସାଥିମାନଙ୍କ ସହ କରୋନା ମୃତକଙ୍କ ଶବ ସତ୍କାର କରୁଥିଲେ।ସେହିପରି ଭାବେ ବିଶିଷ୍ଟ କଳାକାର, ନୃତ୍ୟଶିଳ୍ପୀ, ବାଦ୍ୟକାର ତଥା ନୃତ୍ୟ ଓ ନାଟକ ନିର୍ଦେଶକ ଭୁବନେଶ୍ୱର ବାଗ (ବୁନ୍) ଚଳିତ ବର୍ଷ ପାଇଁ ଦେବଗିରି ଲୋକକଳା ସମ୍ମାନ ପାଇବେ। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ର ଶ୍ରୀ ବାଗ ମୁରଲୀ ମୋହନ ବାଗ ଓ ମିଥିଳା ବାଗଙ୍କ ସୁପୁତ୍ର ଅଟନ୍ତି। ବର୍ତ୍ତମାନ ଭାରତୀୟ ରେଳ ବିଭାଗରେ କାର୍ଯ୍ୟରତ ଶ୍ରୀ ବାଗ ବଜନିଆ, ରସରକେଲି ଓ ଢାପ୍ ନୃତ୍ୟକୁ ସାରା ଭାରତବର୍ଷର କୋଣ ଅନୁକୋଣରେ ପରିବେଷିତ କରି ଏହି ଅନନ୍ୟ ଲୋକକଳାର ପ୍ରଚାର ପ୍ରସାର କରିଛନ୍ତି। ସେ ଗୌହାଟି, ହରିଦ୍ଵାର, ପଞ୍ଜାବ, ଚେନ୍ନାଇ, ଖଡ଼ଗପୁର, ଚକ୍ରଧରପୁର, ଆଦ୍ରା, ସିଆଲଦା, ବିଶାଖାପାଟଣା, ହାଇଦ୍ରାବାଦ, ବାଙ୍ଗାଲୋର, ଭୁଷାବାଲ, ଉଜ୍ଜୟିନୀ, ବିଳାସପୁର, କୁରୁକ୍ଷେତ୍ର, ପାଟନା, କାଜିରଙ୍ଗା ସମେତ ଓଡିଶାର ଅନେକ ମହୋତ୍ସବରେ ନିଜର କଳା ପ୍ରଦର୍ଶନ କରି ସମ୍ମାନିତ ହୋଇଛନ୍ତି। ଡିଏଭି କଲେଜ ଟିଟିଲାଗଡରେ ପଢୁଥିବା ସମୟରେ ସେ ସାଂସ୍କୃତିକ ସଂପାଦକ ଥିଲେ। ସେହି ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ବଲାଙ୍ଗୀର ତଥା ପଶ୍ଚିମ ଓଡ଼ିଶାର କଳା ସଂସ୍କୃତିର ପୁନରୁଦ୍ଧାର ତଥା ପ୍ରଚାର ପ୍ରସାର ପାଇଁ ବ୍ରତୀ ଅଛନ୍ତି ଶ୍ରୀ ବାଗ। ଅନ୍ୟାନ୍ୟ ସମ୍ମାନ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡ଼ାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ପ୍ରକାଶ କରିଛନ୍ତି।

ଦୀପକ କୁମାର ଠାକୁରଙ୍କ ରିପୋର୍ଟ

Related posts

ନୂତନ କ୍ରୀଡା ଅଧିକାରୀ ଙ୍କୁ ଜୁନାଗଡ଼ ରେ ସ୍ୱାଗତ

Sunil Chandra Nayak

କଲେଇଗାଁ ଆଞ୍ଚଳିକ ଯାଦବ ସମାଜର କାର୍ଯ୍ୟକରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

ତେନ୍ତୁଳିଖୁଣ୍ଟି ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅଵସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!