ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ସମାଜ,ସମୟ,ସମ଼୍ବାଦ,ପ୍ରଜାତନ୍ତ୍ର

ସମାଜ,ସମୟ,ସମ଼୍ବାଦ,ପ୍ରଜାତନ୍ତ୍ର

              ଅପର୍ତ୍ତି ସେଠୀ

ସମାଜକୁ ଆଜି ସମୟ ପକାଏ
      ସମ୍ବାଦର ଅଡୁଆରେ,
ପ୍ରଜାତନ୍ତ୍ର ପୁଣି ବନ୍ଦୀ ହୋଇ ରୁହେ
      ରାଜତନ୍ତ୍ର କାରାଗାରେ।
ଧରିତ୍ରୀ ମା’ ଆଜି ଭାରାକ୍ରାନ୍ତ ହୁଏ
       ଦୁର୍ନୀତିର ବୋଝ ବହି,
ବୁଢିଆଣୀ ଜାଲେ ସତ୍ୟ ଛନ୍ଦି ହୁଏ
       ଅସତ୍ଯ କିନ୍ତୁ ହସଇ।
ପ୍ରଗତିବାଦୀର ଦ୍ଵାହୀ ଦିଆଯାଏ
       ମାତ୍ର ଅବନତି ହୁଏ,
ସ୍ଵାଧୀନତା ସ୍ଵାଦ ବାରି ହୁଏ ନାହିଁ
       ଅଶାନ୍ତ ଆଜି ସଭିଏଁ।
ପାପଗୁଡା ଏଠି ଛାତିକୁ ଫୁଲେଇ
       ଅଟ୍ଟହାସ କରୁଛନ୍ତି,
ଅପରାଧୀ ଭଳି ପୂଣ୍ଯମାନେ ଆଜି
       ଲଜ୍ଜାରେ ମୁହଁ ପୋତନ୍ତି।
ଯେଉଁଠି ଦେଖିବ ଦୁଃଖର ହାଟ ଯେ
       ହସ ସେଠି ମିଳେନାହିଁ,
କ୍ଷୀର ଲାଗେ ପିତା ମଦ ଲାଗେ ମିଠା
        ପ୍ରତିକୂଳ ବେଳ ଏହି।
“ତୁମରି” ଉପରେ “ମୁଁ”ର ଜାହିର
        ଅହଂତ୍ଵର ବଡପଣ,
ଯିଦିଟା ଅଟଳ “ମୁଁ” ମହାବଳ
      “ତୁମେ” ତେଣୁ ହୀନଜନ।
ଦୁରାଚାର ମାନେ ବ୍ୟଭିଚାର ଅସ୍ତ୍ରେ
        ନିରୀହ ତଣ୍ଟି କାଟନ୍ତି,
ଅପମାନଗୁଡା ସମ୍ମାନ ଉପରେ
        ଶକ୍ତ ଚାପୁଡ଼ା ମାରନ୍ତି।
ଶାନ୍ତି ଲୁଚିଲାଣି ନିଜ ପ୍ରାଣ ନେଇ
        ଅଶାନ୍ତିର ପ୍ରଦୁର୍ଭାବେ,
ପ୍ରେମ ପାଏ ଧୋକ୍କା ପ୍ରତାରଣା ଏକା
        ବଞ୍ଚିରହେ ଏଠି ଦମ୍ଭେ।
ସ୍ଵାର୍ଥ ଅଫିସର ଦୟା ଯେ ଚାକର
        ଲୁଟ୍ ହୋଇଅଛି ରାଜା,
ଉପକାର ଆଉ ଅନୁଗ୍ରହ ଯେତେ
        ସଭିଏଁ ତାର ପରଜା।
ଅତ୍ୟାଚାର ମାରେ ବିନା କାରଣରେ
       ନ୍ଯାୟକୁ ଚାବୁକ୍ ମାଡ଼,
ସରଳ ଫୁଲକୁ କପଟି ଭ୍ରମର
       କରେ ଦୁଷ୍କର୍ମ ଶୀକାର।
ଭକ୍ତିଗୁଡା ଆଜି ପୁରାଣ ବହିର
       ଊଇଲଗା କାଗଜରେ,
କ୍ଷତାକ୍ତ ହୋଇକି କଷ୍ଟ ପାଉଥାନ୍ତି
       କିଏ ବା ଭାବୁଛି ଥରେ?
ନୃତ୍ୟ କରେ ଦୁଷ୍ଟ ମଦିରା ସ୍ଵାଦନେ
       ସନ୍ଥ ପାଏ ପରାଭବ,
ଧର୍ମ କାନ୍ଦୁଅଛି ଅଧର୍ମ ଦୁଆରେ
       ଚାଣ୍ଡାଳ ବଧୁଛି ଜୀବ।
 କହୁଛି କରୋନା କିଛି ହେ କରନା
        ଘରେଘରେ ବସିରୁହ,
ଓଲେଇ ଗାଈଙ୍କ ପରି ତୁମେମାନେ
        ମୁହେଁ ତୁଣ୍ଡି ବାନ୍ଧିଥାଅ।
 ରାମରାଜ୍ଯ ଅର୍ଥ ଯେବେ ନ ବୁଝିବ
        ରାବଣ ସୈନ୍ୟ ମାତିବ,
ପ୍ରଜାତନ୍ତ୍ର ନିଶ୍ଚେ ପରାହତ ହେବ
        ଗୋଳକୁଣ୍ଡା ଲାଗିଯିବ।

ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା,

   
      
      
      
    ‌

Related posts

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ ଅନୁଷ୍ଠିତ

Sunil Chandra Nayak

ନବରଙ୍ଗପୁର ରେ ଅହିଂସା ରଥ କୁ ଭବ୍ୟ ସ୍ଵାଗତ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା  ଦାଣ୍ଡ ଝରକା, ମଉନସଖା 

Sunil Chandra Nayak

Leave a Comment

error: Content is protected !!