କୋକସରା,୨୯/୧୧- (ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମାଝୀଗୁଡା ପଞ୍ଚାୟତ ମହୁଳମୁଣ୍ଡା ଗ୍ରାମ ନିକଟରେ ଥିବା ଏକ ଧାନ ଖଳାରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ପଥରରେ ଛେଚି ହତ୍ୟା କରାଯାଇ ଥିବା ନେଇ ସୂଚନା ମିଳିଛି। ହତ୍ୟା ହୋଇଥିବା ଯୁବକ ମହୁଳମୁଣ୍ଡା ଗ୍ରାମର ଦୟାନିଧି ଦୁଣ୍ଡକିଆ ବୋଳି ଜଣାପଡିଛି। ତେବେ ସେ ଦୀର୍ଘ ବର୍ଷ ହେବ ଚିଲିଗୁଡା ଗ୍ରାମରେ ରହୁଥିବା ବେଳେ ତାଙ୍କ ପୈତୃକ ଗ୍ରାମ ମହୁଳମୁଣ୍ଡା ହୋଇଥିବା ଜଣାପଡିଛି। ସୋମବାର ଦୟାନିଧି ଦୁଣ୍ଡକିଆଙ୍କ ଜମିରେ ଧାନ କଟା ଚାଲିଥିବା ବେଳେ ସେ ଚାଷଜମିକୁ ଆସିଥିଲେ। ତେବେ ସନ୍ଧ୍ୟା ସମୟରେ ହତ୍ୟାକାଣ୍ଡ ହୋଇଥିବା ନେଇ ପୁଲିସ ସୁଚନା ଦେଇଥିବା ବେଳେ ହତ୍ୟାକାଣ୍ଡର କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଘଟଣାସ୍ଥଳରେ କୋକସରା ପୁଲିସ ଅଧିକାରୀ ପ୍ରସନ୍ନ ବେହେରା ଓ ଟିମ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ତେବେ ମୃତକଙ୍କ ପତ୍ନୀ ସାଧନୀ ଦୁଣ୍ଡକିଆ ତାଙ୍କ ସ୍ଵାମୀଙ୍କୁ ସମ୍ପର୍କୀୟ କାକା ପୁଅ ଓ ବଡ଼ ବାପା ପୁଅ ଜମି ବିବାଦକୁ ନେଇ ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି। ପୁଲିସର ତଦନ୍ତ ଜାରି ରହିଥିବା ବେଳେ ଆସନ୍ତା କାଲି ସକାଳେ ସାଇଣ୍ଟିଫିକ ଟିମ ଓ ସମସ୍ତ ଘଟଣାର ତଦନ୍ତ ପରେ ହତ୍ୟାକାଣ୍ଡ ପଛର ସତ୍ୟତା ଜଣାପଡିବ ବୋଳି କୋକସରା ପୁଲିସ ପକ୍ଷରୁ କୁହାଯାଇଛି।
ମସିହା ନିଉଜ ସର୍ଭିସ୍