ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଆଜିଠାରୁ ବିଶ୍ଵପ୍ରସିଦ୍ଧ ବରଗଡ ଧନୁଯାତ୍ରା, ୧୧ ଦିନ ଧରି ଚାଲିବ କଂସଙ୍କ ରାଜୁତି

ଆଜିଠାରୁ ଆରମ୍ଭ ହେଉଛି ୭୫ତମ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଦୀର୍ଘ ୧୧ ଦିନ ଧରି ଚାଲିବ କଂସ ମହାରାଜଙ୍କ ଶାସନ । ଆଜିଠୁ ବରଗଡ଼ ସହର ପାଲଟିଯିବ ମଥୁରା ନଗରୀ, ସେହିପରି ଅମ୍ବାପାଲି ପାଲଟିଯିବ ଗୋପପୁର, ଜିରା ନଇ ପାଲଟିଯିବ ଯମୁନା, ଆଉ ବରଗଡ଼ ସହରବାସୀ ପାଲଟି ଯିବେ ଜଣେ ଜଣେ କଳାକାର । ମହାରାଜ କଂସଙ୍କ ରାଜ ଦରବାର,ରଙ୍ଗ ମହଲର ନିର୍ମାଣ କାର୍ଯ୍ୟ ଏବେ ଅନ୍ତିମ ପର୍ଯ୍ୟାୟରେ ପହଁଚିଥିବା ବେଳେ କଳାକାର ଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସାଂସ୍କୃତିକ ଦଳ ଏବେ ଧନୁଯାତ୍ରା ଅପେକ୍ଷାରେ ରହିଛନ୍ତି।

ଆଜିଠାରୁ ୧୧ ଦିନ ଧରି ବିଶ୍ଵର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚରେ ଶୁଭିବ କଂସଙ୍କ ଅଟ୍ଟହାସ, ଆଉ ଚାଲିବ ରାଜୁତି। ମଥୁରା ସାଜିବ ବରଗଡ ଓ ଗୋପପୁର ସାଜିବ ଅମ୍ବାପାଲି। ଏଥିପାଇଁ ସଜେଇ ହୋଇଛି ମଥୁରା ଓ ଗୋପପୁର। ନାନା ପ୍ରକାରର ମୁରୁଜରେ ରାସ୍ତା ସଜେଇ ହୋଇଥିବା ବେଳେ ଅମ୍ବାପାଲିରେ ଲୋକଙ୍କ ଘର କାନ୍ଥରେ ଦ୍ବାପର ଯୁଗର କୃଷ୍ଣ, ବଳରାମ, ଗୋପୀ, ଗୋପାଳ, ନନ୍ଦ, ଯଶୋଦା, କଦମ୍ବବନ ଚିତ୍ରସବୁ ସଜ୍ଜିତ ହୋଇଛି।

ସେପଟେ କଂସଙ୍କ ଦରବାରକୁ କାରିଗରମାନେ ନିର୍ମାଣକାର୍ଯ୍ୟର ଶେଷ ସ୍ପର୍ଶ ଦେଉଛନ୍ତି। ୪୨ ଫୁଟ ଉଚ୍ଚତା ୧୨୦ ଫୁଟ ଲମ୍ବ ୩୫ ଫୁଟ ଚଉଡା ଏହି ଦରବାରକୁ ପୁରାଣ ବର୍ଣ୍ଣିତ କଂସଙ୍କ ରାଜା ଦରବାରର ରୂପ ଦିଆଯାଇଛି । ଏଥିପାଇଁ କୋଲକାତାର ୩୦ ଜଣ କାରିଗର ଦୀର୍ଘ ୧୫ ଦିନ ହେବ କାମରେ ଲାଗିଛନ୍ତି । ଯେପରି ଧନୁଯାତ୍ରାର ହୀରକ ଜୟନ୍ତୀରେ ଯାତ୍ରାକୁ ଅଧିକ ଆକର୍ଷଣୀୟ କରାଯାଇ ପାରିବ ଏବଂ ରାଜ ଦରବାରକୁ ରାଜସ୍ଥାନର ରାଜ ମହଲ ରୂପ ଦିଆଯାଇ ପାରିବ ସେନେଇ କମିଟି ଗୁରୁତ୍ୱ ଦେଇଛି ।

ସେହିପରି ସ୍ଥାନୀୟ ଲୋକମଣ୍ଡପ ପଡିଆ ଠାରେ ରଙ୍ଗମହଲ ନିର୍ମାଣ କରାଯାଉଥିବା ବେଳେ ବିଭିନ୍ନ ଛକ ଓ ପ୍ରବେଶ ପଥରେ ସୁଉଚ୍ଚ ତୋରଣ ନିର୍ମାଣ କରାଯାଇଛି,ତାସହିତ ସାରା ସହରକୁ ରଙ୍ଗୀନ ଆଲୁଅରେ ରେ ସଜ୍ଜିତ କରାଯାଇଛି । କଳାକାର ମାନେ ମଧ୍ୟ ଏବେ ପ୍ରସ୍ତୁତ ରହିଥିବା ବେଳେ ଏଥର ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ୧୫୪ ଟି ସାଂସ୍କୃତିକ ଦଳ ନିଜର କଳା ପ୍ରଦର୍ଶନ କରିବେ। ଏଥିରେ ଗୋଟିଏ ଅନ୍ତର୍ଜାତୀୟ ଦଳ ଏବଂ ୧୬ଟି ଜାତୀୟ ଦଳ ସାମିଲ ହେବେ ।

ଏଥର ବରଗଡର ଐତିହାସିକ ଧନୁଯାତ୍ରା ୭୫ ବର୍ଷ ପୂର୍ତ୍ତି କରୁଥିବାରୁ ଏନେଇ ସମସ୍ତେ ଉତ୍ସାହିତ ଅଛନ୍ତି। ସେହିଭଳି ସହରକୁ ବାହାର ରାଜ୍ୟରୁ ଅନେକ ସଂଖ୍ୟାରେ ବ୍ୟବସାୟୀମାନେ ଆସିଛନ୍ତି। କୋଭିଡ କଟକଣା ପାଇଁ ୨ ବର୍ଷ ଯାତ୍ରା ବନ୍ଦ ଥିବାରୁ ଏଥର ଯାତ୍ରା ଖୁବ ଜମିବ ବୋଲି ଆଶା କରାଯାଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମହାପ୍ରଭୁ ବରାହ ଅବତାରରେ ଦର୍ଶନ ଦେଲେ

Sunil Chandra Nayak

ଆସନ୍ତା ୨୧ ତାରିଖ ରୁ ନର୍ଲା ରେ ୨୪ ପ୍ରହର ନମଯଜ୍ଞ

masiha

ଗାଁ ଗାଁ ରେ ପାଳିତ ହେଉଛି ପୁଷପୁନି ତିଆର

Sunil Chandra Nayak

Leave a Comment

error: Content is protected !!