କୋକସରା,୨/୧- ଆଦିମ ମଣିଷର ଆଦି ପର୍ଵ ଟୋକିମରା ପର୍ଵ ରବିବାର କୋକସରା ବ୍ଲକର ଗମ୍ଭାରୀଗୁଡା ପଞ୍ଚାୟତ ଓଲମା ଠାରେ ପାଳନ ହୋଇଯାଇଛି । ଧରଣୀପେନୁ ବା ମାଟି ଦେବତାଙ୍କୁ ସନ୍ତୁଷ୍ଟ କରିବାପାଇଁ ଆଦିବାସୀ କନ୍ଧ ସମ୍ପ୍ରଦାୟର ଜନଜାତି ମାନଙ୍କ ଦ୍ୱାରା ପ୍ରତି ୧୨ ବର୍ଷ ଅନ୍ତରାଳରେ ଟୋକିମରା ପର୍ବ ପାଳନ ହେଉଥିବା ବେଳେ ଆଜି ମହାସାମାରୋହରେ ଓଲମା ଗ୍ରାମରେ ପାଳନ ହୋଇଯାଇଛି ।
ପ୍ରତିବର୍ଷ ପୌଷମାସ ଶେଷ ରବିବାର ଦିନ ଏହି ପର୍ବକୁ ପାଳନ କରାଯାଉ ଥିବାବେଳେ ସ୍ଥାନୀୟ ଆଦିବାସୀ ଭାଷାରେ ଟୋକି ଅର୍ଥାତ କୁଆଁରୀ ଝିଅକୁ ପୂର୍ବକାଳରେ ମାଟିଦେବତାଙ୍କୁ ପ୍ରସନ୍ନ କରିବାପାଇଁ ଆଦିବାସୀମାନେ ବଳି ଦେଉଥିଲେ ।
କାଳକ୍ରମେ ସରକାରୀ କଟକଣାର ଚାପରେ ହେଉ କି ଅନ୍ୟ କୌଣସି କାରଣରୁ ହେଉ କୁଆଁରୀ ଝିଅ (ଟୋକି) ବଦଳରେ ଗଡରା (ମେଣ୍ଢା)କୁ ପ୍ରତୀକ ରୂପେ ବଳି ଦିଆଯାଉଛି । କନ୍ଧ ପରମ୍ପରାର କୃଷି ଭିତ୍ତିକ ଟୋକିମରା ପର୍ବ ଏକ ନିଆରା ପର୍ବ । ମାଟି ଦେବତା ହେଉଛନ୍ତି ଏହି ସମ୍ପ୍ରଦାୟର ଆରାଧ୍ୟ ଦେବତା ।
ସେମାନଙ୍କ ବିଶ୍ୱାସ, ମାଟିଦେବତା ସନ୍ତୁଷ୍ଟ ହେଲେ ଚାଷ ଅମଳ ଭଲହେବା ସହ ଗ୍ରାମବାସୀ ଖୁସିରେ କାଳାତିପାତ କରିବେ । ଟୋକିମରା ପର୍ବ ପୂର୍ବରୁ ଦେବୀଙ୍କ ପୀଠରେ ପୂର୍ବ ବର୍ଷ ପୋତା ହୋଇଥିବା ଅସ୍ତ୍ର (କଣ୍ଡରୀ)କୁ ବାହାର କରି ମାଜଣା କରିବାପରେ ପାରମ୍ପାରିକ ବାଜା ସହ ଗ୍ରାମ ପରିକ୍ରମା କରାଯାଏ ।
ଏହି ସମୟରେ ଦେବୀଙ୍କ କଣ୍ଡରୀ ଏବଂ ଛତରକୁ ଗ୍ରାମବାସୀଙ୍କ ଘର ସମ୍ମୁଖରେ ପୂଜାପାଠ କରିବାପରେ ତା’ ପରଦିନ ଅର୍ଥାତ ଶନିବାର ଦିନ ବଡି ଭୋରରୁ ସୂର୍ଯ୍ୟଦେବତାଙ୍କୁ ପୂଜାପାଠ କରାଯାଇ ବିଧି ମୁତାବକ ଏହି ପୂଜାପାଠ ସୂର୍ଯ୍ୟୋଦୟ ପୂର୍ବରୁ କରାଯାଇଥାଏ ଓ ଏହାକୁ ନିଷ୍ଠାର ସହ ପାଳନ କରାଯାଏ । ଏହାକୁ ଧରମ ପୂଜା ବୋଲି କୁହାଯାଏ ।
ଏହି ଦିନ ସନ୍ଧ୍ୟାରେ ମୁଡାମରା ପର୍ବ ପାଳନ ହୁଏ । ଏହଦ୍ୱାରା ପ୍ରେତାତ୍ମା ଓ ବାହ୍ୟ ନକରାତ୍ମକ ଶକ୍ତି ଗାଁ ମଧ୍ୟକୁ ପ୍ରବେଶ କରି ପାରନ୍ତିନାହିଁ । ସେଥିପାଇଁ କଦଳୀ ଗଛର ଗଣ୍ଡି ଦ୍ୱାରା ଗ୍ରାମର ସବୁ ରାସ୍ତାକୁ ଶିରବିଦ୍ଧ କରାଯାଏ । ସେହି ଦିନ ନିଶାର୍ଦ୍ଧରେ ଗ୍ରାମରେ ଥିବା ଦେବୀ ମନ୍ଦିରରେ ନିଶିପୂଜା ଅନୁଷ୍ଠିତ ହୋଇଥାଏ ଏବଂ ବଳିଦାନ ସହ ଶୁଭଫଳ ଦେବାପାଇଁ ଗୁରୁମାଈଙ୍କ ମାଧ୍ୟମରେ ପ୍ରାର୍ଥନା କରାଯାଏ । ଏହି ସମୟରେ ମାନଭରେନ ନାମରେ ଆଉ ଏକ ଅନୁଷ୍ଠାନ କରାଯାଏ ।
ପରେ ଦିଶାରୀ ଓ ଗୁରୁମେଙ୍କ ମନ୍ତ୍ର ଉଚ୍ଚାରଣ ସହ ଧନୁରେ ଆକାଶକୁ ଲକ୍ଷ୍ୟ କରି ଏକ ଶର ନିକ୍ଷେପ କରାଯାଇଥାଏ । ରବିବାର ସକାଳେ ଶୁଭଲଗ୍ନ ଅନୁସାରେ ଟୋକି ବା ଗଡରାକୁ ବଳି ଦିଆଯାଇଥାଏ । ଓଲମା ଠାରେ ଅନୁଷ୍ଠିତ ଟୋକିମରା ପର୍ବର ମୁଖ୍ୟ ପୁରୋଧା ଗ୍ରାମ ପୁଝାରୀଙ୍କ ଘରୁ ବଳି ପଡିବାକୁ ଥିବା ଗଡରାକୁ ପୂଜାର୍ଚ୍ଚନା ପରେ ଗୁରୁମେଙ୍କ ଦ୍ୱାରା ଗ୍ରାମ ପରିକ୍ରମା ସହ
ଆଖପାଖ ଅଞ୍ଚଳର ହଜାର ହଜାର ଜନସାଧାରଣ ଟୋକିମରା ପର୍ବରେ ସାମିଲ ହୋଇଥିବା କନ୍ଧ ସମ୍ପ୍ରଦାୟର ଶତାଧିକ ଆଦିବାସୀ ମାନେ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ସହ ଏକ ବିରାଟ ପଟୁଆରରେ ଟୋକିମରା ପଡିଆକୁ ବାହାରିଥାନ୍ତି । ପଡିଆକୁ ପହଞ୍ଚିଲା ପରେ ମାଟିଦେବତା ବା ଧରଣୀପେନୁଙ୍କ ଖମ୍ବ ନିକଟରେ ଗ୍ରାମପୁଝାରୀ ଓ ଗୁରୁମେ ପୂଜାର୍ଚ୍ଚନା କଲାପରେ ଟୋକି ରୂପକ ଗଡରାକୁ ସର୍ବସମ୍ମୁଖରେ ବଳି ଦିଆଯାଇଥାଏ । ବଳି ପଡବା ପରେ ମେଣ୍ଢାର ମାଂସ ନେବାକୁ ଆଦିବାସୀ ମାନଙ୍କ ମଧ୍ୟରେ ପ୍ରତିଯୋଗୀତା ଦେଖିବାକୁ ମିଳିଥାଏ ।
ଏହି ବଳି ମାଂସକୁ ନେଇ ନିଜ ଇଷ୍ଟଦେବୀଙ୍କ ପାଖରେ ଅର୍ପଣ କରିବା ସହ ଚାଷ ଜମିରେ ପୋତିଲେ ଆଗାମୀ ବର୍ଷ ଭଲ ଫସଲ ହେବ ବୋଲି ବିଶ୍ୱାସ ରହିଛି ପର୍ବ ଶେଷରେ ଗ୍ରାମରେ ଶୁଦ୍ଧିପାଇଁ ଗୋବର ପାଣି ସିଞ୍ଚନ କରାଯାଏ । ପରେ ରାତିରେ ଆସିଥିବା ଅତିଥି ମାନଙ୍କ ସତ୍କାର ପାଇଁ ନାଚଗୀତ ସହ ଭୋଜିଭାତର ଆସର ଜମିଥାଏ । ଏହି ଟୋକିମରା ପର୍ଵ ପାଳନ ପାଇଁ ଗ୍ରାମ୍ୟ କମିଟିର ସଭାପତି ଗୌନ୍ତିଆ ତଥା ସଭାପତି ବିଭୁତି ଭୂଷଣ ପଣ୍ଡା, ଉପ ସଭାପତି ହିମାଦ୍ରୀ ବଗର୍ତ୍ତି, ସମ୍ପାଦକ ବ୍ରହ୍ମାନନ୍ଦ ମାଝୀ, ସହ ସମ୍ପାଦକ ବଳରାମ ସାଗର,।କୋଷଧକ୍ଷ୍ୟ ଅଚ୍ୟୁତ କୁମାର ସାହୁ, ତ୍ରିନାଥ ଶବର, ଗାଁ ପୁଝାରି ଧନେଶ୍ୱର ମାଝୀ, ପୁଝାରି ବଳଦେବ ମାଝୀ, ମୁଖ୍ୟ ପୂଜକ ଭୁପେନ୍ଦ୍ର ମାଝୀ, ଧନଞ୍ଜୟ ସାହୁ, ସଞ୍ଜୀବ ପଣ୍ଡା, ବଲ୍ଲଭ ସାହୁ, ଭାଗବତ କଟା, ପବିତ୍ର ମାଝୀ, ଆଶିଷ କୁମାର ପଣ୍ଡା, ଫୁଲଚନ ଶବର, ଶେଷ ରଞ୍ଜନ ପଣ୍ଡା ଓ ଓଲମା ଗ୍ରାମବାସୀ ପ୍ରମୁଖ ପରିଚାଳନା କରିଥିବା ବେଳେ କୋଡିଏ ଖଣ୍ଡ ଗ୍ରାମର କନ୍ଧ ସମ୍ପ୍ରଦାୟର ଆଦିବାସୀମାନେ ଅଂଶଗ୍ରହଣ କରିଥିଲେ । ଟୋକିମରା ପର୍ବକୁ ଶାନ୍ତିଶୃଙ୍ଖଳାରେ ସୁରକ୍ଷା ଦେବାପାଇଁ କୋକସରା ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ନେତୃତ୍ୱରେ ପୋଲିସ ମୁତୟନ କରାଯାଇଥିଲା । ଏହି ଅବସରରେ ୫ ହଜାରରୁ ଉର୍ଦ୍ଧ୍ୱ ଜନସମାଗମ ଦେଖିବାକୁ ମିଳିଥିଲା ।
ମସିହା ନିଉଜ ସର୍ଭିସ୍

