ବାଲେଶ୍ଵର,୦୩/୦୧/୨୨- ହରିନାମ ସଂକିର୍ତ୍ତନରେ ଦୁଲୁକିଲା ଗ୍ରାମ, ବହୁ ଆଡମ୍ବରରେ ଇଂରାଜୀ ନୂଆବର୍ଷ ପାଳନ କଲେ ଗ୍ରାମବାସୀ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଡାଲଙ୍ଗ ପଞ୍ଚାୟତ ଡାଲଙ୍ଗ ଗ୍ରାମରେ । ପ୍ରତ୍ୟେକ ବର୍ଷ ହରିନାମ ସଂକିର୍ତ୍ତନ ସହିତ ବିଭିନ୍ନ ସାଜସଜ୍ଜା ଓ ଆଲୋକ ମାଳାରେ ଗ୍ରାମର କୀର୍ତ୍ତନ ମଞ୍ଚ ମୁଖରିତ ହୋଇଉଠିଥାଏ । ମାତ୍ର ସରକାରଙ୍କ କୋଭିଡ କଟକଣା ଯୋଗୁଁ ୨ ବର୍ଷ ବନ୍ଦ ଥିଲା । ଇଂରାଜୀ ନୂଆବର୍ଷ ପୂର୍ବଦିନରୁ ଆରମ୍ଭ ହୋଇ ୪ଦିନ ଧରି ହରିନାମ ସଂକିର୍ତ୍ତନ ଓ ଅଷ୍ଟମ ପ୍ରହରୀ ନାମଯଜ୍ଞରେ ଗ୍ରାମ ଦୁଲୁକିଥାଏ । ସମସ୍ତ ଗ୍ରାମବାସୀ ଏଥିରେ ପୂର୍ଣ୍ଣ ସହଯୋଗ କରିଥାନ୍ତି । ପ୍ରତ୍ୟେକ ବର୍ଷ ବିଭିନ୍ନ ସଂକିର୍ତ୍ତନ ମଣ୍ଡଳୀ ଦ୍ବାରା ୪ ଦିନ ଧରି ପାଳନ ହେଉଥିବା ଇଂରାଜୀ ନୂଆବର୍ଷକୁ ଉପଭୋଗ କରିବା ପାଇଁ ଶହ ଶହ ଦର୍ଶକଙ୍କ ଗହଳି ଲାଗିଥାଏ । ଏଥର ୪ ଗୋଟି ଦଳ ଯଥା- ଡାଲଙ୍ଗ ତୋଷିକାନ୍ତ ପାଢୀଙ୍କ ଦଳ, ରଫାୟତପୁର ବିଦ୍ୟାଧର ସାହୁଙ୍କ ଦଳ , ଜହ୍ନିଆପଦା ମହେଶ୍ୱର ଓଝାଙ୍କ ଦଳ ଓ ଝାଟିଆ ରବି ପୁଥାଳଙ୍କ ଦଳ ସାମିଲ ହୋଇଥିଲେ । ହେଲେ ସବୁଠାରୁ ଆଗରେ ଓ ଚର୍ଚ୍ଚାରେ ଥିଲା ରଫାୟତପୁର ବିଦ୍ୟାଧର ସାହୁଙ୍କ ଦଳ । ଏହି ଷୋଡ଼ଶ ପ୍ରହରୀ ନାମ ସଂକୀର୍ତ୍ତନ ଓ ଗୀତି ନାଟ୍ଯ ସାଙ୍ଗକୁ ବିଭିନ୍ନ ପ୍ରକାରର ସାଜସଜା ଓ ଭଳିକି ଭଳି ଲାଇଟ୍ ଏବଂ ବାଦ୍ୟ ଯନ୍ତ୍ର ଦର୍ଶକ ମାନଙ୍କୁ ବେଶ୍ ଆକର୍ଷିତ କରିଥିଲା । ଦୀର୍ଘ ୨୪ ବର୍ଷ ଧରି ଏଭଳି ଢଙ୍ଗରେ ଡାଲଙ୍ଗ ଗ୍ରାମବାସୀ ମାନେ ଇଂରାଜୀ ନୂଆବର୍ଷ ପାଳନ କରି ଆସୁଥିବାରୁ ସମ୍ପୃକ୍ତ ଅଞ୍ଚଳବାସୀ ଗ୍ରାମବାସୀଙ୍କୁ ବହୁ ପ୍ରଶଂସା କରିଛନ୍ତି । ଏହା ବାବା ମାଧବାନନ୍ଦ ଜୀଉଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ଦିନ ଶହ ଶହ ଲୋକ ହରିନାମ ସଂକିର୍ତ୍ତନରେ କିଛି ସମୟ ମଜ୍ଜି ରହିଥାନ୍ତି ଏବଂ ଶେଷରେ ପ୍ରସାଦ ସେବନକରି ଘରକୁ ଫେରିଥାନ୍ତି ଯାହା ଏଥର ଦେଖିବାକୁ ମିଳିଥିଲା । ୨ ବର୍ଷ ବନ୍ଦ ଥିବାରୁ ଏବର୍ଷ ପ୍ରାୟ ୬ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାବେଶ ହୋଇଥିବାର ପରିଲକ୍ଷିତ ହୋଇଥିଲା ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ