ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ବିବିଧ

ବେଣୁଧର ସୂତାର ଙ୍କ କବିତା // ପ୍ରତୀକ୍ଷା ର ପ୍ରତିଧ୍ବନି

 ପ୍ରତୀକ୍ଷା ର ପ୍ରତିଧ୍ବନି

      //ବେଣୁଧର ସୂତାର//

ପ୍ରତୀକ୍ଷାର ଏଇ ନିଃଶବ୍ଦ ପ୍ରହରେ
ତନ୍ଦ୍ରାଭିଜା ଆଖିତଳେ
ଗୋପନଅନ୍ତର ଅନ୍ତରାଳେ କେତେ
ମହୁଆ ଚମକ ଖେଳେ
ଗାଏ ତୁମ ଆବାହନୀ
ହେଲେ ମୋ ମନର
                    ବ୍ୟାକୁଳତା ତୀରେ
ପ୍ରତୀକ୍ଷାର ପ୍ରତିଧ୍ବନି ।୦।
ଅନେକଜନ୍ମର ତପସ୍ୟାରେ ମୋର
ମେଣ୍ଟିନାହିଁ ଅବସାଦ
ମୋ ମନ ସପନ ମିଠା କଳ୍ପନାରେ
ପଡିନାହିଁ ପୂର୍ଣ୍ଣଛେଦ
ସାଜଅଛି ଅଭିମାନୀ
ତୁମରି ପ୍ରେମର ପୁଣ୍ୟ ପରିଧିରେ
ମୁଁ ଯେ ଚିର ତପସ୍ବିନୀ
ପ୍ରତୀକ୍ଷାର ପ୍ରତିଧ୍ବନି………..।୧।
ପିଆସୀ ମନର ପ୍ରିୟତମ ମୋର
ଆସୁଛ ସପନେ ତୁମେ
ଭାବ ଆବେଗରେ ଶିହରଣ ଭରି
ଏ ଦେହର ପ୍ରତି ଲୋମେ
ମୁଁ ପ୍ରୀତିର ପ୍ରଣୟିନୀ
ଛୁଇଁ ଯାଅ ହୃଦ ସୀମା ସରହଦ
ଭାବରସ ମନ୍ଦାକିନୀ
ପ୍ରତୀକ୍ଷାର ପ୍ରତିଧ୍ବନି………..।୨।
ତମେତ ଭରିଛ ଏମନ ସପନେ
ଶାଶ୍ବତ ପ୍ରେମର ଗୀତି
ପ୍ରୀତି ପ୍ରଣତିର ମଧୁର ସ୍ବାକ୍ଷରେ
ଏ ଜୀବନ ଯାଉ ବିତି
ଅନୁରାଗ ସୁଧା ଘେନି
ତୁମେ ପ୍ରୀତିକଳ୍ପ ମୋମନ ସଙ୍କଳ୍ପ
ମୁକ୍ତିତୀର୍ଥ ସଞ୍ଜିବନୀ
ପ୍ରତୀକ୍ଷାର ପ୍ରତିଧ୍ବନି………..।୩।
ତୁମ ପ୍ରତୀକ୍ଷାରେ ଜାଗିଉଠେମନେ
ନୀଳଆଶା ସମ୍ଭାବନା
ତୁମେ ପ୍ରିୟ ମୋର ଜନ୍ମ ଜନ୍ମାନ୍ତର
ନିର୍ବାଣର ନିରଞ୍ଜନା
ମୁଁ ଯେ ଚିର ଚାତକିନୀ
ତୁମେ ମୃତ୍ୟୁଞ୍ଜୟୀ ମୁଁ ନଶ୍ବରଦେହୀ
 ବିରହିଣୀ କୁମୁଦିନୀ
ପ୍ରତୀକ୍ଷାର ପ୍ରତିଧ୍ବନି…………।୪।          

କେଶଦୁରାପାଳ କେନ୍ଦୁଝର

Related posts

ବେଣୁଧର ସୂତାର ଙ୍କ କବିତା l l ବୟସ ଯାଇଛି ହଜି

Sunil Chandra Nayak

ଦେଶ ବିଦେଶ…ବିଶ୍ବର ଦାମୀ ସ୍କୁଲ…

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା // ସ୍ବପ୍ନମୟୀ ନିଶିଥିନୀ

Sunil Chandra Nayak

Leave a Comment

error: Content is protected !!