ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ
ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବୀ ପତ୍ର ପ୍ରଦାନ
ରାଇଘର ୮/୨ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ଅନିୟମିତତାକୁ ନେଇ ଆଜି ସ୍ଥାନୀୟ ବିଜେପି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଥିଲା | ଏହି ଅବସରରେ ଆଜି ଦିନ ଦ୍ବିପହାରରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ସନ୍ତୋଷ ମହାପାତ୍ର , ମଣ୍ଡଳ ସଭାପତି ଶିବ ଗଣ୍ଡ ମନହର ଦଣ୍ଡସେନା , ଶିବନାଥ ବାନାର୍ଜୀ , ଶରତ ଜେନା , ଜିତୁ ଶ୍ରୀବାସ୍ତବ , ତିରୁପତି ପାତ୍ର , ରୀଙ୍କୁ ଶ୍ରୀବାସ୍ତବ ପ୍ରମୂଖଙ୍କ ସମେତ ପ୍ରାୟ ୪ ହଜାରରୁ ଅଧିକ ବିଜେପି କର୍ମୀ ଓ ସମର୍ଥକଙ୍କ ଉପସ୍ଥିତରେ ଏକ ବିଶାଳ ରାଲି ସ୍ଥାନୀୟ ନୂତନ ବସଷ୍ଟାଣ୍ଡ ଠାରୁ ବାହାରି ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ l ସେଠାରେ ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ବରିଷ୍ଟ ନେତାମାନେ ନିଜ ନିଜ ଅଭିଭାଷଣ ରଖିଥିଲେ l ବ୍ଲକରେ ମୋଟ ୨୬ ଗୋଟି ପଂଚାୟତର ପ୍ରାୟ ୫ ହଜାର ୨ ଶହ ହିତାଧିକାରୀ ପ୍ରଧାନ ମନ୍ତ୍ରୀ ଆବାସରେ ଘର ପାଇବାକୁ ଯୋଗ୍ୟ ଥିବା ସହିତ ସେମାନଙ୍କ ଜିଓଟେଗ୍ ସରି ଯାଇଥିବା ବେଳେ ବର୍ତ୍ତମାନ ପ୍ରାୟ ୪ ହଜାର ୧୦୮ ଜଣଙ୍କ ତାଲିକାରେ ସ୍ଥାନ ଦିଆଯାଇଥିବା ଜଣାପଡିଛି | ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳି ନଥିବା ବେଳେ ସରକାରୀ ଦଳର କର୍ମକର୍ତ୍ତାଙ୍କୁ ଆବାସ ଦିଆଯାଉଛି ବୋଲି ଅଭିଯୋଗ କରିଥିଲେ | ପ୍ରଶାସନ ପକ୍ଷରୁ ମଧ୍ୟ ସେମାନଙ୍କୁ ଅଣଦେଖା କରାଯାଉଥିବା ବେଳେ ପୁନର୍ବାର ସର୍ଭେ କରି ନିରୀହ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଉ ବୋଲି ଦାବି କରିଥିଲେ | ଦାବୀ ପୂରଣ ନ ହେଲେ ଆଗାମୀ ଦିନରେ ଆଂଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ରାଇଘର ଅଂଚଳର ସମସ୍ତ ଭାଜପା କର୍ମକର୍ତା ତଥା ସମର୍ଥିତ ସରପଂଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ।