ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକବିଂଶ ଶତାବ୍ଦୀରେ କବିତା: ବ୍ୟକ୍ତି, ଦେଶ ଓ ବିଶ୍ୱ ଶୀର୍ଷକ ଆଲୋଚନା ଚକ୍ର ଆୟୋଜିତ

ରାଉରକେଲା/ ସ୍ୱସ୍ତି ସାହିତ୍ୟ ସଂସଦର ୪୨ତମ ବାର୍ଷିକ ଉତ୍ସବର ଉଦ୍‌ଘାଟନୀ ଛେଣ୍ଡ୍‌ କଲୋନୀର ଚିନ୍ମୟ ବିଦ୍ୟାଳୟ ପରିସରରେ ହୋଇଯାଇଛି। ସଂସଦର ସଭାପତି ତଥା ଅବସରପ୍ରାପ୍ତ ପ୍ରଶାସକ ମହେନ୍ଦ୍ର ପଟ୍ଟନାୟକଙ୍କ ପୌରହିତ୍ୟରେ ହୋଇଥିବା ପ୍ରଥମ ପର୍ଯ୍ୟାୟରେ ସଭାରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାସ, କାର୍ଯ୍ୟକ୍ରମର ଉଦ୍‌ଘାଟକ ଭାବେ ବରିଷ୍ଠ ସାହିତ୍ୟିକ ତଥା ଅବସରପ୍ରାପ୍ତ ପ୍ରଫେସର ଡଃ ଭଗବାନ ଜୟସିଂହ, ସମ୍ମାନିତ ଅତିଥିଭାବେ ବରିଷ୍ଠ କବି ପିତାମ୍ବର ତରାଇ ଓ ମୁଖ୍ୟବକ୍ତା ଭାବେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଭିମ ଭୋଇ ଗବେଷଣା ଚେୟାରର ମୁଖ୍ୟ ପ୍ରଫେସର ଡଃ ପ୍ରଦୀପ ପଣ୍ଡା ଯୋଗଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ଦାସ ଶୀର୍ଷକ ଆଲୋଚନା ସମ୍ପର୍କରେ ବକ୍ତବ୍ୟ ଦେଇ ସାମ୍ପ୍ରତିକ ସମୟରେ ପରିବର୍ତ୍ତିତ କବିତାର ରୁପରେଖ ଓ ଏହାର ମାନବବାଦ ଚେତନା ସମ୍ପର୍କରେ କହିଥିଲେ। ଶ୍ରୀ ଦାସ ଏହି ଅବସରରେ କିଛି ସାମ୍ପ୍ରତିକ କବିତା ସମ୍ପର୍କରେ ଆଲୋଚନା କରି ଏହାର ବାର୍ତ୍ତା ସମ୍ପର୍କରେ ସୂଚନା ଦେଇଥିଲେ। ବିଂଶ ଶତାବ୍ଦୀର କବିତା ଓ ଏକବିଂଶ ଶତାବ୍ଦୀର କବିତା ମଧ୍ୟରେ ପାର୍ଥକ୍ୟ ଓ ସାମଞ୍ଜସ୍ୟ ସମ୍ପର୍କରେ ଶ୍ରୀ ଦାଶ ଉଦାହରଣ ମାଧ୍ୟମରେ ଅଲୋଚନା କରିଥିଲେ। ଉଦ୍‌ଘାଟକ ଡ ଜୟସିଂହ ତାଙ୍କ ବକ୍ତବ୍ୟରେ ନିଜର କବିତା ଲେଖିବାର ଅଭିବ୍ୟକ୍ତି ଓ ଅଭିଜ୍ଞତା ସମ୍ପର୍କରେ ସୂଚନା ଦେଇଥିଲେ। ଏହା ସହିତ ସାମ୍ପ୍ରତିକ ସମୟରେ ଲେଖାଯାଉଥିବା କବିତାରେ ବ୍ୟକ୍ତି ଓ ରାଜ୍ୟ ସମ୍ପର୍କରେ ଚିନ୍ତା ଓ ଚେତନା ସମ୍ପର୍କରେ ସେ କହିଥିଲେ। ସମ୍ମାନିତ ଅତିଥି ଶ୍ରୀ ତରାଇ ତାଙ୍କ ବକ୍ତବ୍ୟରେ ଏକବିଂଶ ଶତାବ୍ଦୀର କବିତା ଓ ଏହାର ପରିବ୍ୟାପ୍ତି ସମ୍ପର୍କରେ ଉଦାହରଣ ଦେଇ ସାମ୍ପ୍ରତିକ ସମୟର କବିତା ମୁଖ୍ୟତଃ ବ୍ୟକ୍ତିବାଦ ଓ ବ୍ୟକ୍ତି ଚେତନା ସହିତ ଯନ୍ତ୍ରଣା ଜର୍ଜରିତ ମଣିଷର କଥା ସମ୍ପର୍କୀତ ବୋଲି କହିଥିଲେ। ମୁଖ୍ୟବକ୍ତା ଡ ପଣ୍ଡା ତାଙ୍କ ବକ୍ତବ୍ୟରେ ଶୀର୍ଷକ ଆଲୋଚନା ସମ୍ପର୍କରେ ଏକ ଦୀର୍ଘ କବିତା ମାଧ୍ୟମରେ ବ୍ୟକ୍ତିର ଚେତନା ଓ ବ୍ୟାପ୍ତି ସହିତ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ମଣିଷର ଜୀବନକୁ ସାହିତ୍ୟ ସର୍ବଦା ପରିପୃଷ୍ଟ କରିଥାଏ ଏବଂ ଏକବିଂଶ ଶତାବ୍ଦୀର କବିତା ହୃଦୟଗ୍ରାହୀ ବୋଲି ଡ ପଣ୍ଡା କହିଥିଲେ। ଶିକ୍ଷାବିତ୍‌ ତଥା ସଙ୍ଗଠକ ଅଧ୍ୟାପକ ଭବେଶ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ଶୀର୍ଷକ ଆଲୋଚନାର ପ୍ରାସଙ୍ଗିକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ କବି ଅଙ୍ଗୁରବାଳା ପରିଡ଼ାଙ୍କ ଦ୍ୱାରା ଲିଖିତ କବିତା ସଙ୍କଳନ- ‘ନଈନାରୀ’ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ସଂସଦର ସାଧାରଣ ସମ୍ପାଦକ ତଥା ସଙ୍ଗଠକ ରାଜୀବ ପାଣି, ଉପସଭାପତି ରାଜକୁମାର ମହାନ୍ତି ଓ ବିଭୁତି ଭୂଷଣ ଦାସ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଏହା ସହିତ ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିମାନଙ୍କ ସମେତ ସାହିତ୍ୟିକମାନେ ଉପସ୍ଥିତ ଥିଲେ। ଶେଷରେ ଚିନ୍ମୟ ବିଦ୍ୟଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବିଶତପଥି ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ସଂସଦର କଥା କାହାଣୀ ଓ କବିତାୟନ କାର୍ଯ୍ୟକ୍ରମ ସିଭିକ୍‌ ସେଣ୍ଟରଠାରେ ଦୁଇଟି ସମ୍ପାନ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ସମ୍ପାନରେ ସଂସଦର ଉପ ସଭାପତି ପ୍ରଫେସର ଶଙ୍କର ତ୍ରିପାଠୀଙ୍କ ପୌରହିତ୍ୟ ଓ ଗାଳ୍ପିକ ସଦାନନ୍ଦ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ ହୋଇଥିଲା କଥା କାହାଣୀ କାର୍ଯ୍ୟକ୍ରମ ‘ସହରୀ ଜୀବନ : ଆଜିର କଥା ଓ କାହାଣୀ’ ଶୀର୍ଷକ ବିଷୟରେ କଥାକାର ମାନେ ଯୋଗଦେଇ ଆଲୋଚନା କରିଥିଲେ୤ ଏହି ଅବସରରେ ବିଶିଷ୍ଟ ଅତିଥିଭାବେ ବରିଷ୍ଠ ସାହିତ୍ୟିକ ଭୁପେନ ମହାପାତ୍ର, ବରିଷ୍ଠ କଥାକାର ଲୋପାମୁଦ୍ରା ମହାନ୍ତି, ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର, ପ୍ରଦୋଷ ମିଶ୍ର, କାଶିନାଥ ନନ୍ଦୀ, ମୋନାଲିଶା ମିଶ୍ର ଏବଂ ମହାଶ୍ବେତା ସାହୁ ପ୍ରମୁଖ ବିଭିନ୍ନ ପ୍ରକାରର ସହରୀ ଗଳ୍ପ ଏହାର କାହାଣୀ ଓ ଚରିତ୍ର ଆଦିମାନଙ୍କ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ରାଉରକେଲାର କବି ଇଂ ଅଶୋକ କୁମାର ପଟ୍ଟନାୟକଙ୍କ ପ୍ରଥମ କବିତା ସଙ୍କଳନ ‘ତମିସ୍ରାର ନୀଳଜହ୍ନ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଦ୍ବିତୀୟ ସମ୍ପାନରେ ସଙ୍ଗୀତ, ଆଲୋକ ଓ ନାଟକୀୟ ଛଟା ମାଧ୍ୟମରେ ବରିଷ୍ଠ ଓ ଅଭିଜ୍ଞ କବିମାନେ ସ୍ବରଚିତ କବିତାମାନ ପାଠ କରିଥିଲେ। ନାଟ୍ୟକାର ଭାସ୍କର ମହାପାତ୍ର ଓ ପ୍ରଳୟ ଶତପଥିଙ୍କ ମଞ୍ଚ ସଜ୍ଜା ଏବଂ ଡ ସୁଶାନ୍ତ ପାଣିଙ୍କ ସଙ୍ଗୀତ ସଂଯୋଜନାରେ ହୋଇଥିବା ଏହି ମନୋଜ୍ଞ ସାରସ୍ବତ କାର୍ଯ୍ୟକ୍ରମରେ ମଞ୍ଚ ଉପସ୍ଥାପନା କରିଥିଲେ ଗୀତାଶ୍ରୀ ପ୍ରିୟମ୍ବଦା ଓ ଅଙ୍ଗୁରବାଳା ପରିଡ଼ା। ଏହି ଦୁଇ କବିଙ୍କ ଆକର୍ଷଣୀୟ ସଂଯୋଜନାରେ ଜୀବନ୍ତ ରୂପ ନେଇଥିଲା କବିତା ପାଠ। ଏଥିରେ ବରିଷ୍ଠ କବି ଭଗବାନ ଜୟସିଂହ, ଡଃ ପ୍ରଦୀପ ପଣ୍ଡା, ପିତାମ୍ବର ତରାଇ ଓ ପ୍ରହଲ୍ଲାଦ ଶତପଥୀ ପ୍ରମୁଖ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କବିମାନେ କବିତା ପାଠ କରିଥିଲେ। ଦ୍ୱିତୀୟ ଦିନ ସଂସଦ ପକ୍ଷରୁ ବନବିହାର ମାଧ୍ୟମରେ କଥା ଓ କବିତାୟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।  ତିନୋଟି ପର୍ଯ୍ୟାୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରାଜଗାଙ୍ଗପୁର ବ୍ଲକ୍‌ର ଲାଇଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରକାରୀ ନର୍ସରୀ ପରିସରରେ ବଣଭୋଜି ମାଧ୍ୟମରେ ହୋଇଥିଲା। ସଂସଦର ସଭାପତି ମହେନ୍ଦ୍ର ପଟ୍ଟନାୟକଙ୍କ ପୌରହିତ୍ୟରେ ହୋଇଥିବା ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ କୋରାପୁଟର କବି ରବି ଶତପଥି ସ୍ବତନ୍ତ୍ର ଅତିଥିଭାବେ ଯୋଗଦେଇଥିଲେ। ଶ୍ରୀ ଶତପଥି ତାଙ୍କ ବକ୍ତବ୍ୟରେ କବିତାରେ ଶବ୍ଦ ଅପେକ୍ଷା ଭାବ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ। ବିଂଶ ଶତାବ୍ଦୀରେ ବିଭିନ୍ନ ଓଡ଼ିଆ କବିମାନଙ୍କ କବିତା ସମ୍ପର୍କରେ ଉଦାହରଣ ଦେଇ ଶ୍ରୀ ଶତପଥୀ କବିତାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥିଭାବେ ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଯୋଗଦେଇ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ ସାହିତ୍ୟର ପ୍ରଚାର ଓ ପ୍ରସାର ହେଉଛି ବୋଲି କହିଥିଲେ। ଏହି ଅବସରରେ ବଲାଙ୍ଗୀରରୁ ଆସିଥିବା ଡା ଦୀନବନ୍ଧୁ ସାହୁଙ୍କ ଦ୍ବାରା ବିଭିନ୍ନ ବ୍ୟକ୍ତିଙ୍କ ସ୍ବର ଅନୁକରଣ ସହିତ ପଶୁ ଓ ପକ୍ଷୀମାନଙ୍କର ସ୍ବର ଏବଂ ବାଦ୍ୟଯନ୍ତ୍ରର ସଙ୍ଗୀତ ପ୍ରଦର୍ଶନ ବେଶ୍‌ ଆକର୍ଷଣୀୟ ହୋଇଥିଲା। ବିଜୟିନୀ ଜେନା ଓ ଗୌତମ ଦାଶଙ୍କ ସଂଯୋଜନାରେ ଏହି ପର୍ଯ୍ୟାୟରେ ଚନ୍ଦ୍ରାବତୀ ମହାକୁଡ଼, ବଳରାମ ରାଉଳ, ବ୍ରହ୍ମାନନ୍ଦ ପାଢ଼ୀ, ଶୁଶାନ୍ତ ନାୟକ, ଡଃ ପ୍ରଭାତ ମଲ୍ଲିକ, ବ୍ରଜେନ୍ଦ୍ର ଦାଶ, ସୁସ୍ମିତା ମହାପାତ୍ର, ତ୍ରିଲୋଚନ ସ୍ବାଇଁ, ଅଭିରାମ ପ୍ରଧାନ,ପ୍ରକାଶ ସେଠୀ, ଅକ୍ଷୟ ସାମଲ, ରେବତୀ ବଲ୍ଲଭ ବେହେରା, ନିରଞ୍ଜନ କରଣ ଓ ସୁକାନ୍ତ ମହାପାତ୍ର ସ୍ବରଚିତ କବିତା ପାଠ କରିଥିଲେ ।  

ଦ୍ବିତୀୟ ପର୍ଯ୍ୟାୟରେ ବନ ଉପବନରେ କବିତା କଦମ୍ବ ଶୀର୍ଷକ କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥିଭାବେ ଡା କୃପାସିନ୍ଧୁ ନାୟକ ଯୋଗଦେଇଜଣେ କବି ସର୍ବଦା ସମାଜ ପାଇଁ ଦିଗ୍‌ଦର୍ଶକ ଭାବେ କାର୍ଯ୍ୟ କରିଥାଏ ବୋଲି କହିଥିଲେ। ସାହିତ୍ୟର ବିଭିନ୍ନ ବିଭାଗ ମଧ୍ୟରେ କବିତାର ସ୍ଥାନ ସ୍ବତନ୍ତ୍ର ଏବଂ ଜଣେ କବିତା ମାଧ୍ୟମରେ ଅନେକ କଥା କହିପାରେ ବୋଲି ଡା ନାୟକ କହିଥିଲେ। କବି ଲତିକା ମହାପାତ୍ର, ରଶ୍ମି ସାହୁ ଓ ସୁଶାନ୍ତ କୁମାର ନାୟକ ଙ୍କ ସଂଯୋଜନାରେ ଏହି ପର୍ଯ୍ୟାୟରେ କବି ବସନ୍ତ ବିଶ୍ବକର୍ମା, କୁଞ୍ଜବିହାରୀ ରାଉତ, ଜ୍ୟୋତ୍ସାରାଣୀ ପାତ୍ର, ବନଲତା ମିଶ୍ର, ସାର୍ଥକ ସାହୁ, ଉପେନ୍ଦ୍ର ବସ୍ତିଆ, ମୋନାଲିସା ମିଶ୍ର, ଚିତ୍ତରଞ୍ଜନ ବ୍ରହ୍ମା, ଡଲିରାଣି ବ୍ରହ୍ମା, କିଶୋରୀ ମୋହନ କର, କନକଲତା ମିଶ୍ର,ଅଜୟ କୁମାର ମହାନ୍ତି , ଅଙ୍ଗୁରବାଳା ପରିଡ଼ା, ବବିତା ମହାଳିକ, ଡା ଗୀତାଞ୍ଜଳି ପତ୍ରି, ନିରୁପମା ପତି ଓ ପ୍ରତାପ ପଣ୍ଡା, ପ୍ରମୁଖଙ୍କ ଦ୍ବାରା ସ୍ବରଚିତ କବିତା ପାଠ ସମଗ୍ର ପରିବେଷକୁ ସାହିତ୍ୟାନୁରାଗୀ ଓ ସାରସ୍ବତମୟ କରିଥିଲେ। ମନ୍ଦିରା ଡ୍ୟାମ୍‌ର ସଂରକ୍ଷିତ ବିଶାଳ ଜଳରାଶି ପାର୍ଶ୍ବରେ ହୋଇଥିବା ଏହି କବିତା ପାଠ କାର୍ଯ୍ୟକ୍ରମରେ ପ୍ରାକୃତିକ ଶୋଭାରାଶି ସମସ୍ତଙ୍କୁ ଏକ ସ୍ବତନ୍ତ୍ର ପରିବେଶର ସମ୍ମୁଖୀନ କରାଇଥିଲା। ଏହି ଅବସରରେ ବରିଷ୍ଠ ବ୍ୟଙ୍ଗ କବି ରାଧୁ ମିଶ୍ରଙ୍କ ଅଙ୍ଗେ ନିଭା କଥା ଓ କବିତା ବେଶ୍‌ ଆମୋଦ ଦାୟକ ହୋଇଥିଲା। ଏହି ଅବସରରେ ଡା ସୁଶାନ୍ତ ପାଣି, ସ୍ମିତା ମିଶ୍ର ଓ ଅଜିତ ମୋହନ ପୁଜାରୀ, ମନୋରଞ୍ଜନ ଦାଶ ଙ୍କ ଦ୍ବାରା ସଙ୍ଗୀତ ପରିବେଷଣ ସମଗ୍ର ପରିବେଶକୁ ସଙ୍ଗୀତମୟ କରିଥିଲା। ଏହି ପର୍ଯ୍ୟାୟରେ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥିଭାବେ ଲାଇଙ୍ଗ ଗ୍ରାମପଞ୍ଚାତର ଯୁବ ସରପଞ୍ଚ ରୋଶନୀ ଏକ୍କା ଉପସ୍ଥିତ ରହି ଏହି ଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆୟୋଜକ ମାନଙ୍କୁ ସ୍ବାଗତ କରିବା ସହ ଉପସ୍ଥିତ କବି ଓ ଅତିଥିମାନଙ୍କୁ ସ୍ବାଗତ ଓ ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମ ହେଉଥିବା ନର୍ସରୀର ପରିଚାଳକ ହେମନ୍ତ ପାଣ୍ଡେଙ୍କ ଦ୍ବାରା ସୁମଧୁର ସ୍ବରରେ ବଂଶୀ ର ମୂର୍ଚ୍ଛନା ଏହି ପର୍ଯ୍ୟାୟ କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା।କାର୍ଯ୍ୟକ୍ରମର ଶେଷ ତଥା ଅନ୍ତିମ ପର୍ଯ୍ୟାୟରେ ଇଂ ଗୋପୀନାଥ ପଟ୍ଟନାୟକ ଙ୍କ ସଭାପତିତ୍ବରେ ସାହିତ୍ୟିକ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର, ସଦାନନ୍ଦ ତ୍ରିପାଠୀ,ବରିଷ୍ଠ କବି ଭଗବାନ ଜୟସିଂହ, ଓ ପିତାମ୍ବର ତରାଇ,ଡଃ ସୁମନ ଦତ୍ତ ପ୍ରମୁଖ ସ୍ବସ୍ତି ସାହିତ୍ୟ ସଂସଦର ବନ ବିହାର ମାଧ୍ୟମରେ କବିତାୟନ କାର୍ଯ୍ୟକ୍ରମ ଏକ ଚମତ୍କାର ପରିକଳ୍ପନା ବୋଲି କହିଥିଲେ। ଏହା ସହିତ ଅତିଥିମାନେ ସାହିତ୍ୟର ବିଭିନ୍ନ ଦିଗ ଉପରେ ବିଶେଷ କରି କବିତା ସମ୍ପର୍କରେ ଆଲୋଚନା କରିଥିଲେ। ଏହା ସହିତ ସହରୀ ଜୀବନରେ ମନକୁ ହାଲ୍‌କା ଓ ଭାରାକ୍ରାନ୍ତ ମୁକ୍ତ ନିମନ୍ତେ ପ୍ରାକୃତିକ ପରିବେଶ ମଧ୍ୟରେ ବନ ବିହାରର ଆବଶ୍ୟକତା ଓ ଗୁରୁତ୍ବ ସମ୍ପର୍କରେ ମତ ରଖିଥିଲେ । ଏହି ପର୍ଯ୍ୟାୟରେ କନକଲତା ମିଶ୍ର ଓ ନିରୁପମା ପତିଙ୍କ ସଂଯୋଜନାରେ ଜଗନ୍ନାଥ ରାଉତ, ସୁପ୍ତି କର, ବିଚିତ୍ରା ନନ୍ଦ ସାହୁ, ସ୍ନେହଲତା ପଟ୍ଟନାୟକ, ଅଶୋକ ପଟ୍ଟନାୟକ, ବିଜୟିନୀ ଜେନା, ପୁଷ୍ପାରାଣୀ ପଟେଲ, ବିଜୟ ସାହୁ, ଗୋପକୃଷ୍ଣ ନାୟକ, ମାଧୁରୀ ତ୍ରିପାଠୀ, ନଳିନୀ କାନ୍ତ ଧର ପ୍ରମୁଖ କବିମାନେ ସ୍ବରଚିତ କବିତା ପାଠ କରିଥିଲେ। ଏହି ପର୍ଯ୍ୟାୟରେ କବି ନୃସିଂହ ବିଶ୍ବାଳଙ୍କ ଦ୍ବାରା ଦୁଇଦିନିଆ କବିତାୟନ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଆଶୁ କବିତା ବେଶ୍‌ ମର୍ମସ୍ପର୍ଶୀ ହୋଇଥିଲା୤ ଉଦ୍‌ଯାପନୀ କାର୍ଯ୍ୟକ୍ରମକୁ ଅଧିକ ଜୀବନ୍ତ କରିବା ପାଇଁ ଉପସ୍ଥିତ ନାରୀ କବିମାନଙ୍କ ମଧ୍ୟରେ ମ୍ୟୁଜିକାଲ ଚେୟାର ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା୤ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ ସ୍ବସ୍ତି ସାହିତ୍ୟ ସଂସଦର ସାଧାରଣ ସମ୍ପାଦକ ରାଜୀବ ପାଣି ଓ ଅନ୍ୟ ସଦସ୍ୟଙ୍କ ଦ୍ବାରା ସମ୍ପନ୍ନ ହୋଇଥିଲା। ବିଭୁତି ଭୂଷଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଖୁସୀ ଆନନ୍ଦର ଆସର ଖ୍ରୀଷ୍ଟମାସ ବଡଦିନ

Sunil Chandra Nayak

ଗଛରେ ପିଟିଲା ନାଇଟ କୋଚ ବସ, ୨ ଆହତ , ଅଳ୍ପକେ ବର୍ତ୍ତିଲେ ୫୦ ଜଣ ଯାତ୍ରୀ

Sunil Chandra Nayak

ଜୟପାଟଣା ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ    

Sunil Chandra Nayak

Leave a Comment

error: Content is protected !!