ଧର୍ମଗଡ: ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ କୁ ମହା ଶିବ ରାତ୍ରି ବା ଜାଗର ଓଷା ଭାବେ ପାଳନ କରାଯାଏ । ରାଜ୍ୟ ରେ ଥିବା ବିଭିନ୍ନ ଶିବାଳୟ ରେ ଶିବ ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ ଲାଗିଥାଏ । ବିଭିନ୍ନ ଶିବ ଧାମ ଗୁଡିକ ର ଭିନ୍ନ ଭିନ୍ନ ମହତ୍ତ୍ଵ ରହିଛି ତେବେ ଧର୍ମଗଡ ଠାରେ ଥିବା ପାରଦ ରେ ନିର୍ମିତ ପାରଦେଶ୍ୱର ଶିବ ଲିଙ୍ଗ ର ଦର୍ଶନ ଓ ପାଦୁକା ଗ୍ରହଣ ର ସ୍ଵତନ୍ତ୍ର ମହତ୍ତ୍ଵ ରହିଛି ।
ଆମ ରାଜ୍ୟ ରେ ଥିବା ଅନେକ ଶୈବ ପୀଠ ମଧ୍ୟ ରୁ ଧର୍ମଗଡ ଠାରେ ଥିବା ପାରଦେଶ୍ଵର ପୀଠ ସ୍ଵତନ୍ତ୍ର ଅଟେ । ଅନ୍ୟ ଶୈବ ପୀଠ ମାନଙ୍କରେ ପ୍ରସ୍ଥର ନିର୍ମିତ ଶିବ ଲିଙ୍ଗ ପୂଜା ପାଉଥିବା ବେଳେ ଏଠାରେ ପାରଦରେ ନିର୍ମିତ ଶିବ ଲିଙ୍ଗ ପୂଜା ପାଉଛନ୍ତି । ଯାହା କି ରାଜ୍ୟ ର ଅନ୍ୟ କୌଣସି ଶୈବ ପୀଠ ରେ ଦେଖିବାକୁ ମିଳି ନ ଥାଏ । ୨୦୦୧ ମସିହାରେ ସ୍ଥାପିତ ଏହି ପାରଦ ରେ ନିର୍ମିତ ଶିବ ଲିଙ୍ଗ ତତ୍କାଳୀନ ସମୟ ର ଏସିଆ ମହାଦେଶ ରେ ଏହା ଦ୍ଵିତୀୟ ସର୍ବ ବୃହତ ପାରଦରେ ନିର୍ମିତ ଶିବ ଲିଙ୍ଗ ବୋଲି କୁହାଯାଏ । ଭାରତ ର ପ୍ରଥମ ପାରଦ ର ଶିବ ଲିଙ୍ଗ ଦକ୍ଷ ପ୍ରଜାପତି ଶିବ ମନ୍ଦିର ହରିଦ୍ଵାର ଠାରେ ରହିଥିବା ବେଳେ ସର୍ଵ ବୃହତ ପାରଦ ର ଶିବ ଲିଙ୍ଗ (୧୫୦୦କିଲୋ ଗ୍ରାମ ଓଜନ) ମଧ୍ୟ ପ୍ରଦେଶ ଉଜ୍ଜେନ୍ ର ସିଦ୍ଧ ଆଶ୍ରମ ରେ ରହିଛି ।
ପୁରାଣ ବର୍ଣ୍ଣିତ କଥା ଅନୁଯାୟୀ ଏକଦା ଦେବୀ ପାର୍ବତୀ ମହାଦେବ ଙ୍କୁ ପାରଦ ର ଶିବ ଲିଙ୍ଗ ଓ ଅନ୍ୟ ଶିବ ଲିଙ୍ଗ ମଧ୍ୟ ରେ ଥିବା ପାର୍ଥକ୍ୟ ସମ୍ପର୍କ ରେ ପଚାରିବାରୁ ଉତ୍ତର ରେ ମହାଦେବ ପାରଦ ର ଶିବ ଲିଙ୍ଗ ସ୍ଵୟଂ ଶିବ ବୋଲି କହିଥିଲେ । ଏହାର ପାଦୁକା ପାଇଲେ ସମସ୍ତ ରୋଗ କଷ୍ଟ ରୁ ମୁକ୍ତି ମିଳିଥାଏ । ଏହି ପାଦୁକା କୁ ଦେହ ରେ ମାରିଲେ ଚର୍ମ ରୋଗ ରୁ ଆରୋଗ୍ୟ ମିଳେ ବୋଲି ବିଶ୍ଵାସ ରହିଛି । ପାରଦେଶ୍ୱର ଙ୍କୁ ଦର୍ଶନ କଲେ ଅନେକ ପୁଣ୍ୟ ପ୍ରାପ୍ତି ହୁଏ । ଏ ନେଇ କିମ୍ବଦନ୍ତୀ ମଧ୍ୟ ରହିଛି । କିମ୍ବଦନ୍ତୀ ଅନୁଯାୟୀ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେ ଯେଉଁ ପୁଣ୍ୟ ମିଳେ କେବଳ ପାରଦେଶ୍ୱର ଦର୍ଶନ ରେ ସେହି ସମାନ ପୁଣ୍ୟ ମିଳେ ବୋଲି ବିଶ୍ଵାସ କରାଯାଏ । ପାରଦ ଶିବ ଲିଙ୍ଗ କୁ ରୋଷ ଲିଙ୍ଗ ମଧ୍ୟ କୁହାଯାଏ । ପାରଦ ଏକ ତରଳ ପଦାର୍ଥ ହୋଈ ଥିଲେ ହେଁ ଆୟୁର୍ବେଦ ପଦ୍ଧତି ରେ ଅଷ୍ଟ ଦୋଷ ମୁକ୍ତ କରି ଦିବ୍ୟ ଜଡ଼ି ବୁଟି ଦ୍ଵାରା ଏହାକୁ ଶୋଧନ ପୂର୍ବକ ପାରଦ କୁ ଘନୀଭୂତ କରାଯାଇ ଲିଙ୍ଗ ସ୍ଵରୂପ ପ୍ରଦାନ କରାଯାଇଛି । ୫୨ କିଲୋ ଓଜନ ର ଏହି ପାରଦ ର ଶିବ ଲିଙ୍ଗ ଗୁଜୁରାଟ ର ଭୂଜ ଅଞ୍ଚଳ ରେ ବିଶୋଧନ କରି ଅଣା ଯାଇ ଏଠାରେ ନିର୍ମିତ ଭବ୍ୟ ମନ୍ଦିର ରେ ସ୍ବର୍ଗତ ବାବା ଅଯୋଧ୍ୟାଦାସ ମହାରାଜ ଙ୍କ କର କମଳ ରେ ସ୍ଥାପନ କରାଯାଇ ଥିଲା। ଲିଙ୍ଗ ର ସୁରକ୍ଷା ପାଇଁ ପରବର୍ତ୍ତୀ ସମୟ ରେ ବିଶେଷଜ୍ଞ ଙ୍କ ମତ ଅନୁସାରେ ଲିଙ୍ଗ ର ସୁରକ୍ଷା ନିମନ୍ତେ ଏକ ରୂପା ଢାଙ୍କୁଣି ସର୍ବଦା ଘୋଡା ଯାଇଛି । ନିୟମିତ ପୂଜା ଓ ବିଶେଷ ଉପଚାର ସମୟ ରେ ଏହି ରୂପା ଢାଙ୍କୁଣି କୁ ଖୋଲା ଯାଇ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଈ ଥାଆନ୍ତି ବାବା ପାରଦେଶ୍ୱର ଆଶୁତୋଷ ମହାଦେବ ।
୫୨ ଫୁଟ ଉଚ୍ଚତା ବିଶିଷ୍ଟ ଏହି ମନ୍ଦିର ଆଧୁନିକ ଶୈଳୀରେ ନିର୍ମିତ ହୋଈ ଥିବା ବେଳେ ମନ୍ଦିର ବେଢ଼ା ମଧ୍ୟରେ ମାଁ ପାର୍ବତୀ ଙ୍କ ମଧ୍ୟ ଏକ ମନ୍ଦିର ରହିଛି । ମୂଖ୍ୟ ମନ୍ଦିର ର ପ୍ରବେଶ ପଥ ସିଂହ ଦ୍ଵାର ଭାବେ ପ୍ରତୀତ ହେଉଥିବା ବେଳେ ଉତ୍ତର ଦିଗ ରେ ହସ୍ତୀ ଦ୍ଵାର ଏବଂ ଦକ୍ଷିଣ ରେ ବୃଷଭ ଦ୍ଵାର ଅବସ୍ଥିତ । ମହା ଶିବରାତ୍ରୀ ସମେତ ଶୀତଳ ଷଷ୍ଠୀ, ଶିବ ଚତୁର୍ଦ୍ଦଶୀ ସମୟ ରେ ସ୍ୱତନ୍ତ୍ର ମେଳା ଅନୁଷ୍ଠିତ ହୋଇଥାଏ । ମନ୍ଦୀର ପ୍ରତିଷ୍ଠା ଦିବସ ଠାରୁ ପ୍ରତ୍ୟହ ପ୍ରାତଃ କାଳୀନ ରୁଦ୍ରା ଭିଷେକ ଅନୁଷ୍ଠାନ ଏହି ମନ୍ଦିର ର ଅନ୍ୟତମ ବିଶେଷତ୍ଵ । ବିଶିଷ୍ଟ ଶିଳ୍ପପତି ସୁବାସ ଚନ୍ଦ୍ର ପଣ୍ଡା ୨୦୦୧ ମସିହାରେ ଏହି ମନ୍ଦିର ନିର୍ମାଣ କରିଥିଲେ । ସମ୍ପ୍ରତି ଏହା ଏକ ଟ୍ରଷ୍ଟ ବୋର୍ଡ ଦ୍ଵାରା ପରିଚାଳିତ ହେଉଛି । ବିଭିନ୍ନ ଦିଗରୁ ମହତ୍ତ୍ଵ ବହନ କରୁଥିବା ଏହି ପାରଦେଶ୍ୱର ଶିବ ମନ୍ଦିର ଧାର୍ମିକ ଦୃଷ୍ଟି କୋଣ ରୁ ଚର୍ଚ୍ଚିତ ହୋଈ ଥିଲେ ହେଁ ରାଜ୍ୟ ପର୍ଯ୍ୟଟନ ମାନ ଚିତ୍ର ରେ ଅଦ୍ୟାବଧି ସ୍ଥାନିତ ହୋଇ ପାରିନାହି ।