ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଆଜି ପବିତ୍ର ମହା ଶିବରାତ୍ରି , ଧର୍ମଗଡର ପାରଦେଶ୍ୱର ମନ୍ଦିର ଆଜି ଚଳଚଞ୍ଚଳ

ଆଜି ପବିତ୍ର ମହା ଶିବରାତ୍ରି ତଥା ଜାଗର,ମହାଶିବରାତ୍ରି ଅବସରରେ ଚଳଚଞ୍ଚଳ ହୋଇପଡ଼ିଛି ରାଜ୍ୟର ସମସ୍ତ ଶୈବପୀଠ । ଜାଗର ଉପଲକ୍ଷେ ବିଭିନ୍ନ ଶୈବପୀଠ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି। ଭୋରୁ ରାଜ୍ୟର ସମସ୍ତ ଶୈବପୀଠରେ ଶ୍ରଦ୍ଧାଳୁ ଦର୍ଶନ କରୁଛନ୍ତି। 

କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ସହରରେ ପାରଦେଶ୍ୱରଙ୍କ ମନ୍ଦିର ଅବସ୍ଥିତ । ୫୨ ଫୁଟ ଉଚ୍ଚତା ବିଶିଷ୍ଟ ଏହି ମନ୍ଦିରର ନିର୍ମାଣ କାରୁକାର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ପୁରୀ ବଳରାମକୋଠ ମଠର ମଠାଧୀଶ ସ୍ୱର୍ଗତ ଅଯୋଧ୍ୟା ଦାସ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ମନ୍ଦିରଟି ୨୦୦୧ ମସିହାରେ ନିର୍ମାଣ ହୋଇଥିଲା। ଧର୍ମଗଡ ର ଜୈନିକ ଭକ୍ତ ସୁବାସ ଚନ୍ଦ୍ର ପଣ୍ଡା ଏହି ମନ୍ଦିର ନିର୍ମାଣ କରିଥିଲେଓ ଏକଲକ୍ଷ ପଦ୍ମଫୁଲ ଚଢାଇ ପାରଦେଶ୍ୱର ଆଶୁତୋଷ ବାବାଙ୍କ ଅଭିଷେକ କରିଥଲେ। ଏହି ମନ୍ଦିର ପାର୍ଶ୍ୱରେ ରହିଛି ମା’ ଅମ୍ବେଙ୍କ ମନ୍ଦିର, ଏଥି ସହିତ ଦେବୀଙ୍କ ଷୋଡ଼ଶ ରୂପର ପ୍ରତିମୂର୍ତ୍ତି ସହିତ ସିଂହଦ୍ୱାର, ଷଣ୍ଢଦ୍ୱାର ଓ ହାତୀଦ୍ୱାର ଏହିପରି ୩ଟି ଦ୍ୱାର ରହିଛି । ପୃଥିବୀରେ ଦେଖାଯାଉଥିବା ପ୍ରାୟ ସବୁପ୍ରକାର ଶିବଲିଙ୍ଗ ସ୍ଫଟିକ, ରତ୍ନ, ପାର୍ଥିବ, ପ୍ରସ୍ତର ବା ସ୍ୱୟମ୍ଭୂ କିନ୍ତୁ ପାରଦ ଲିଙ୍ଗ ସମଗ୍ର ବିଶ୍ୱରେ ବିରଳ । ପୁରାଣଶାସ୍ତ୍ର ଅନୁସାରେ ଦେବାଧିଦେବ ମହାଦେବ ଶିବଙ୍କ ଅନେକ ଲିଙ୍ଗ ମଧ୍ୟରୁ ପାରଦେଶ୍ୱର ଲିଙ୍ଗକୁ ଶ୍ରେଷ୍ଠ ଲିଙ୍ଗ ଭାବେ ବିଚାର କରାଯାଏ । ଭାରତର ପ୍ରଥମ ପାରଦ ଶିବଲିଙ୍ଗ ହରିଦ୍ୱାରରେ ଥିବାବେବେଳେ ଦ୍ୱିତୀୟଟି ଧର୍ମଗଡ଼ରେ ରହିଛି । ଏହାକୁ ରସଲିଙ୍ଗ ମଧ୍ୟ କୁହାଯାଏ । ପାରଦ ଏକ ତରଳ ପଦାର୍ଥ ହୋଇଥିଲେ ମଧ୍ୟ ଆୟୁର୍ବେଦିକ ପଦ୍ଧତିରେ ଅଷ୍ଟଦୋଷ ମୁକ୍ତି କରିବା ପରେ ଦିବ୍ୟ ଜଡ଼ିବୁଟିଦ୍ୱାରା ଏହାକୁ ବନ୍ଧିତ କରି ତାକୁ ଲିଙ୍ଗାକାର ସ୍ୱରୂପ ପ୍ରଦାନ କରାଯାଏ ଗୁଜରାଟର ଭୁଜ ଅଞ୍ଚଳରେ ନିର୍ମିତ ଏହି ଲିଙ୍ଗରେ ୫୨ କିଲୋଗ୍ରାମ ପାରଦ ବ୍ୟବହାର କରାଯାଇଛି । ବିଭିନ୍ନ ଆୟୁର୍ବେଦ ରସାୟନଦ୍ୱାରା ଲିଙ୍ଗର ସୁରକ୍ଷା ପାଇଁ ପ୍ରକ୍ରିୟାକରଣ କରାଯାଇ ଏଥିରେ ରୁପାର ଢାଙ୍କୁଣି ଦିଆଯାଇଛି ।

ମହା ଶିବରାତ୍ରୀରେ ଜାଗରଯାତ୍ରା ଏଠାକାର ମୁଖ୍ୟ ପର୍ବ । ଶ୍ରାବଣ ମାସରେ ରାଜ୍ୟ ତଥା ରାଜ୍ୟ ବାହାରରୁ ଶହ ଶହ କାଉଡ଼ିଆ ଏଠାରେ ପାରଦେଶ୍ୱରଙ୍କୁ ଜଳଲାଗି କରିଥାନ୍ତି ।

ରାଜଧାନୀ ଭୁବନେଶ୍ୱରଠାରୁ ଧର୍ମଗଡ଼ର ମୋଟ ଦୁରତା ପ୍ରାୟ ୫୦୦ କିଲୋମିଟର । ନିକଟତମ ରେଳଷ୍ଟସନ କେସିଙ୍ଗାଠାରୁ ଧର୍ମଗଡ଼ର ଦୂରତା ୮୦କିଲୋମିଟର

ପାରଦ ଶିବଲିଙ୍ଗ…

 ପାରା ଓ ରୁପାରେ ନିର୍ମିତ ଶିବଲିଙ୍ଗଙ୍କୁ ପାରଦ ଶିବ ଲିଙ୍ଗ କୁହାଯାଇଥାଏ । ଧାର୍ମିକ ମାନ୍ୟତା ଅନୁସାରେ ଶାବ୍ରଣ ମାସରେ ପାରଦ ଶିବ ଲିଙ୍ଗ ପୂଜା କଲେ ଧନ ସମ୍ପଦ ପାଇଁ କରିଥିବା ମନସ୍କାମନା ପୂର୍ଣ୍ଣ ହୋଇଥାଏ । କୁହାଯାଏ ପାରଦ ଶିବଲିଙ୍ଗ ଦୋକାନ ବା ବେପାର ସ୍ଥାନରେ ରଖିଲେ ବେପାରରେ ବୃଦ୍ଧି ଘଟିଥାଏ । ଏହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ ।

କଳାହାଣ୍ଡି ଜିଲ୍ଲାରେ ଯେତେ ଶୈବପୀଠ ରହିଛି ସେଥିମଧ୍ୟରୁ ଧର୍ମଗଡ଼ସ୍ଥିତ ପରାଦେଶ୍ୱର ମନ୍ଦିର ସ୍ୱତନ୍ତ୍ର। ସମସ୍ତ ଶୈବପୀଠରେ ଶୀଳା ରୂପେ ପୂଜା ପାଉଥିବା ସମୟରେ ଏଠାରେ ପାରଦରେ ନିର୍ମିତ ଲିଙ୍ଗ ପୂଜା ପାଉଛନ୍ତି। ଏହି ଶିବଲିଙ୍ଗ ଏପରି ପରିଚିତ ଯେ, ଏହା ଏସିଆ ମହାଦେଶର ଦ୍ୱିତୀୟ ସର୍ବବୃହତ ପାରଦ ନିର୍ମିତ ଲିଙ୍ଗ ବୋଲି କୁହାଯାଏ।

ମହା ଶିବଲିଙ୍ଗର ଅର୍ଥ ହେଉଛି ଭଗବାନ ଶିବ (ମହାଦେବ)ଙ୍କ ଆଦି-ଅନାଦୀ ସ୍ୱରୂପ । ଶୂନ୍ୟ , ଆକାଶ , ଅନନ୍ତ ବ୍ରହ୍ମାଣ୍ଡ ଏବଂ ନିରାକାର ପରମ ପୁରୁଷଙ୍କ ପ୍ରତୀକ ହୋଇଥିବାରୁ ଏହାକୁ ଲିଙ୍ଗ କୁହାଗଲା । ସ୍କନ୍ଧ ପୁରାଣରେ କୁହାଯାଇଛି , ଆକାଶ ସ୍ୱୟଂ ଲିଙ୍ଗ ଅଟେ । ଧରତୀ ତାହାର ପୀଠ କିମ୍ବା ଆଧାର ଅଟେ ଏବଂ ସମସ୍ତ ଅନନ୍ତ ଶୂନ୍ୟରୁ ଜନ୍ମ ହୋଇଛନ୍ତି , ସେଥିରେ ଲୟ ହେବା କାରଣରୁ ତାହାଙ୍କୁ ଲିଙ୍ଗ କୁହାଗଲା । ବାତାବରଣ ସହିତ ଘୁରୁଥିବା ପୃଥିବୀ କିମ୍ବା ଅନନ୍ତ ବ୍ରହ୍ମାଣ୍ଡ (ବ୍ରହ୍ମାଣ୍ଡ ଗତିମାନ ଅଟେ)ର ଅକ୍ଷ/ଘୁରୀ (axis) ହିଁ ଲିଙ୍ଗ ଅଟେ ।

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ଥିବା ଏହି ପାରଦେଶ୍ୱର ମହାଦେବଙ୍କ ମନ୍ଦିର ଭାରତର ଦ୍ୱିତୀୟ ପାରଦ ଲିଙ୍ଗ। ପ୍ରଥମ ମନ୍ଦିର ହରିଦ୍ୱାରରେ ରହିଥିବା ବେଳେ ଦ୍ୱିତୀୟ ପାରଦଲିଙ୍ଗ ଧର୍ମଗଡରେ ରହିଛି। କୁହାଯାଏ ଯେ ପାରଦ ଲିଙ୍ଗ ଦର୍ଶନ କଲେ କୋଟିଜନ୍ମର ପୂଣ୍ୟ ମିଳିଥାଏ। 

ବିଦ୍ୟାଧର ସାହୁଙ୍କ ଉପସ୍ଥାପନା…..

Related posts

ଅସୁରଗଡ଼ରେ ବୈଦିକ ମହାଯଜ୍ଞ

masiha

ମା ତାରିଣୀଙ୍କ ୮୭ତମ ଚଇତି ପର୍ବ ଆରମ୍ଭ

Sunil Chandra Nayak

ଚିଙ୍ଗୁଡିଖୋଲ ଠାରେ ନନ୍ଦୋତ୍ସବ ପାଳିତ 

masiha

Leave a Comment

error: Content is protected !!