ବାଲେଶ୍ଵର,୨୮/୦୨/୨୩ – ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ପୂର୍ତ୍ତବିଭାଗ ଡାକବଙ୍ଗଳା ପରିସରରେ ବାଲିଆପାଳିଆ ସ୍ବାଭିମାନ ମଞ୍ଚ ପକ୍ଷରୁ ୫ ଦଫା ଦାବି ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ ବାଲିଆପାଳର ଲୋକ ସଂଖ୍ୟା ଦୁଇ ଲକ୍ଷ ଛବିଶ ହଜାର ହୋଇଥିବା ବେଳେ, ସଦ୍ୟ ପ୍ରକାଶିତ ସରକାରଙ୍କ ୧୪୭ ଟି ୫-ଟି (5T) ମେଡିକାଲ ତାଲିକାରେ ବାଲିଆପାଳ ମେଡିକାଲର ସ୍ଥାନ ନାହିଁ । ନିର୍ବାଚନ ମଣ୍ଡଳୀର ବସ୍ତା ବ୍ଲକରେ ୧୪ ଟି ପଞ୍ଚାୟତ ଥିବା ବେଳେ ବାଲିଆପାଳରେ ୨୮ଟି ପଞ୍ଚାୟତ ରହିଛି । ପୁଣି ବସ୍ତା ମେଡିକାଲରୁ ବାଲେଶ୍ଵର ୩୦ କିଲୋମିଟର ହୋଇଥିବା ବେଳେ ବାଲିଆପାଳରୁ ୫୦ କିଲୋମିଟର । ପୁଣି ସରକାର ସାରା ରାଜ୍ୟରେ ସବୁଠି ବାଲି ଖାଦାନ ଚାଲିଥିବା ବେଳେ ବାଲେଶ୍ବର ଜିଲ୍ଲାରେ ପ୍ରଶାସନ ପରିବେଶ ସୁରକ୍ଷାର ଦ୍ୱାହି ଦେଇ ସମସ୍ତ ବାଲି ଖାଦାନ ବନ୍ଦ ରଖିଥିବାରୁ ଲୋକ ମାନେ ଟ୍ରାକ୍ଟର ପିଛା ୪ ହଜାର ଟଙ୍କାରେ ବାଲି କିଣୁଛନ୍ତି । ଖାଦାନକୁ ନେଇ ବଞ୍ଚିଆସୁଥିବା ହଜାର ହଜାର ଲୋକ ଛଟପଟ ହେଉଛନ୍ତି । ସେହିପରି ଏକମାତ୍ର ପର୍ଯ୍ୟଟନ ସ୍ଥଳୀ ଡଗରା ବେଳାଭୂମିରେ ଦିନ କୁ ଦିନ ଅସାମାଜିକ ଲୋକଙ୍କ ଦୌରାତ୍ମ୍ଯ ବୃଦ୍ଧି ପାଉଥିବାରୁ ସେଠାରେ ଏକ ପୋଲିସ ଆଉଟ୍ ପୋଷ୍ଟ ନିର୍ମାଣ ଏବଂ ପ୍ରସ୍ତାବିତ କୋର୍ଟକୁ ତୁରନ୍ତ ବାଲିଆପାଳରେ ନିର୍ମାଣ କରିବାକୁ ମଞ୍ଚ ଦାବି କରିଛି । ସର୍ବଦା ବସ୍ତା ନିର୍ବାଚନ ମଣ୍ଡଳୀର ବାଲିଆପାଳ ବ୍ଲକକୁ ସର୍ବଦା ଉପେକ୍ଷା କରାଯାଉଥିବାରୁ ଆସନ୍ତା ମାର୍ଚ୍ଚ ମାସ କୋଡ଼ିଏ ତାରିଖ ସୁଦ୍ଧା ଏ ସମସ୍ତ ଦାବି ପୂରଣ ନହେଲେ ସ୍ଵାଭିମାନୀ ମଞ୍ଚ ରାଜରାସ୍ତାକୁ ଓହ୍ଲାଇବା ବୋଲି ଚେତାବନୀ ଦେଇଛି ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ