କୋକସରା,୧୫/୦୩- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ଉଠା ଜଳସେଚନ ପ୍ରକଳ୍ପରେ ଚାଷ କାର୍ଯ୍ୟ ପାଇଁ ଲାଗିଥିବା ୪ ପାଣି ମୋଟର ପମ୍ପ ଚୋରି ଅଭିଯୋଗରେ ମଙ୍ଗଳବାର ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି କୋକସରା ପୁଲିସ। କୋକସରା ଥାନା ଅନ୍ତର୍ଗତ ଖୁଣ୍ଟିଆ ଗ୍ରାମର ଉଦ୍ଧବ ମେହର ଗତ ୧୧/୦୩ ତାରିଖରେ କୋକସରା ଥାନାରେ ନିଜ ଚାଷ ଜମିର ମୋଟର ଚୋରି ନେଇ ଅଭିଯୋଗ କରିଥିଲେ। କୋକସରା ପୁଲିସ ଘଟଣାର ତଦନ୍ତ କରି ଚୋରି ଘଟଣାରେ ଖୁଣ୍ଟିଆ ଗ୍ରାମର ଉପେନ୍ଦ୍ର ପଟେଲ(୩୨), ମହେନ୍ଦ୍ର ପଟେଲ(୨୮) ଓ ଗୟଲ ଧରୁଆ(୪୦) ଙ୍କୁ ଗିରଫ କରି ଚୋରି ଘଟଣାରେ ସମ୍ପୃକ୍ତ ଥିବା ସ୍ପଷ୍ଟ ପ୍ରମାଣିତ ହେବାପରେ କୋର୍ଟ ଚାଲାଣ କରିଥିବା ନେଇ କୋକସରା ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ସୁଚନା ଦେଇଛନ୍ତି । ଏ ସଂକ୍ରାନ୍ତରେ କୋକସରା ଥାନା କେଶ ନମ୍ବର ୮୩/୨୩ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏହି ଚୋରି ଘଟଣାରେ ଦୁଇ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ନେଇ ମଧ୍ୟ ସୂଚନା ଦେଇଛନ୍ତି । ତେବେ କୋକସରା ବ୍ଲକର କୋକସରା ଓ ଆମପାଣି ଥାନା ଅଞ୍ଚଳରେ ଦୀର୍ଘ ୩ ମାସରୁ ଉର୍ଦ୍ଧ୍ବ ସମୟ ହେଲା ମୋଟର ଚୋରି କରୁଥିବା ପଛରେ ଏକ ରାକେଟ ସକ୍ରିୟ ଥିବା ବେଳେ ଗାଁ ଗାଁ ରୁ ଚାଷୀଙ୍କ ବୋରୱେଲ ଓ ଏଲ୍ ଆଇ ପଏଣ୍ଟର ମୋଟର ଚୋରି ହେଉଥିବା ଯୋଗୁଁ ଚାଷୀ ମାନେ ଚିନ୍ତାରେ ରହିଛନ୍ତି । ହେଲେ ଏହା ପଛରେ ଥିବା ମାଷ୍ଟର ମାଇଣ୍ଡ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।