ରାଉରକେଲା/ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ, ସେକ୍ଟର-୬ ର କିଶୋର କିଶୋରୀଙ୍କ ଉଦ୍ଦେଶ୍ୟରେ ଜୀବନ କୌଶଳ ଶିକ୍ଷା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଷଷ୍ଠ ରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ର ଛାତ୍ରୀ କୈଶୋରରେ ପାଦ ଥାପୁଥାପୁ, ଦ୍ରୁତ ପରିବର୍ତ୍ତନଶୀଳ ଶରୀରରେ ପ୍ରତ୍ୟହ କିଛିକିଛି ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବାର କ୍ଷମତା ସହିତ ନିଜକୁ ନିୟନ୍ତ୍ରଣରେ ରଖିବାର ବିବିଧ କୌଶଳ ଶିକ୍ଷା କରିଥିଲେ l ଏହି ତାଲିମ ଶିବିରରେ, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ର ସଭାପତିତ୍ୱ କରିଥିବା ବେଳେ , ସମ୍ମାନିତ ଅତିଥି ଭାବେ ଲୁଆକେରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ରାଉଳ ବିଦ୍ୟାଳୟର ଅନ୍ତରୀଣ ଶିକ୍ଷକ ବକ୍ତା ଓ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ଅଭିନନ୍ଦନ ଜଣାଇବା ସହିତ ଏହି ଅନନ୍ୟ କାର୍ଯ୍ୟକ୍ରମର ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ଶ୍ରୀ ରାଉଳ ଛାତ୍ରଛାତ୍ରୀଙ୍କ ଭିତରେ ଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଏକ ପ୍ରାସଙ୍ଗିକ ଭଜନରୁ ନିଜର ବକ୍ତବ୍ୟ ଆରମ୍ଭ କରି ଚିନ୍ତନ,ଯୋଜନା ଓ କାର୍ଯ୍ୟକାରିତା ସଂପର୍କରେ ଗୋଟିଏ ଶିକ୍ଷଣୀୟ ଗଳ୍ପ ମାଧ୍ୟମରେ ଜୀବନରେ ସଫଳ ହେବାର ମନ୍ତ୍ର ପିଲାଙ୍କୁ ଶିଖାଇଥିଲେ l ଏହାପରେ ବରିଷ୍ଠ ଶିକ୍ଷୟିତ୍ରୀ ପୁଷ୍ପା ତନ୍ତୀ, ଶିବ ପ୍ରସାଦ ଅଙ୍ଗରାଇ, ସରିତା ପରିଡ଼ା, ପାର୍ବତୀ ବାରିକ ଓ ଅନିମା ମିଶ୍ରଙ୍କ ଦ୍ୱାରା ଦଶଟି ବିନ୍ଦୁ ଯଥା- ଆତ୍ମ ସଚେତନତା, ସମାନୁଭୂତି, ସମସ୍ୟା ସମାଧାନ, ନିଷ୍ପତ୍ତି ନିର୍ଦ୍ଧାରଣ, ସୃଜନାତ୍ମକ ଚିନ୍ତା, ବିଶ୍ଳେଷଣାତ୍ମକ ଚିନ୍ତା, ପାରସ୍ପରିକ ସମ୍ପର୍କ, ଫଳପ୍ରଦ ଯୋଗାଯୋଗ, ଆବେଗ ସହିତ ଅବସ୍ଥାନ ଓ ମାନସିକ ଚାପର ପରିଚାଳନା ଉପରେ ସୁନ୍ଦର ସୁନ୍ଦର ଗଳ୍ପ, ଚିତ୍ର ହସ୍ତଶିଳ୍ପ ଓ ସକ୍ରିୟାତ୍ମକ କାର୍ଯ୍ୟକ୍ରମ ମାଧ୍ୟମରେ ବିସ୍ତୃତ ଆଲୋଚନା ପୂର୍ବକ ତାଲିମ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମର ସଫଳତା ନିମନ୍ତେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା କର୍ମଚାରୀବୃନ୍ଦ ସ୍ୱତଃପ୍ରବୃତ୍ତ ଭାବେ ସହଯୋଗ କରିବା ସହିତ ପିଲାମାନଙ୍କୁ ଚକୋଲେଟ ବଣ୍ଟନ କରିଥିଲେ l ଶେଷରେ ଖେଳ ଶିକ୍ଷକ ଗୌରବ ମହନ୍ତ ଧନ୍ୟବାଦ ଅର୍ପଣ କରିବା ପରେ ସଭାପତିଙ୍କ ଅନୁମତି କ୍ରମେ ସଭା ସାଙ୍ଗ ହୋଇଥିଲା l
previous post