ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅଳପ ଗଳ୍ପ

କବିସୌରଭ କୈଳାଶଚନ୍ଦ୍ର ବେହେରା ଙ୍କ ଗଲ୍ପ = ମାଆର ଗାଳି ଦାଣ୍ଡର ଧୂଳି 

ସୃଷ୍ଟି : ଏକ ଗପ ଗଣ୍ଠିଲିର  

         ( ପ୍ରଥମ ଭାଗ )

 ମାଆର ଗାଳି ଦାଣ୍ଡର ଧୂଳି 

                  କବିସୌରଭ କୈଳାଶଚନ୍ଦ୍ର ବେହେରା

         ସତ୍ୟ ଯୁଗର କଥା । ସ୍ବର୍ଗରେ ସୂର୍ଯ୍ୟ ଦେବତାଙ୍କର ଦୁଇପୁଅ ଥିଲେ । ବଡ଼ ପୁଅର ନାମ ଶନି ଓ ସାନ ପୁଅର ନାମ ଯମ । ଶନି ଓ ଯମ ଦୁଇଜଣ ଯାକ ପିଲାବେଳୁ ଭାରି ଚଗଲା ଥିଲେ । ଟିକିଏ କଥାରେ ଦୁଇ ଜଣଯାକ ରାଗିଯାଇ ଯାହାପାରୁ ତାହା କରି ପକାଉ ଥିଲେ । ସାନ ଭାଇ ଯମ ଶନିଙ୍କ ଠାରୁ ଅଧିକ ଦୁଷ୍ଟ ପ୍ରକୃତିର ଥିଲେ । ସେ ସାନ ବଡ଼ କାହାରିକୁ ଖାତିର କରୁ ନ ଥିଲେ ।
         ସୂର୍ଯ୍ୟଙ୍କର ଦୁଇ ପତ୍ନୀ ଥିଲେ ।ଜଣକର ନାମ ଛାୟା ,ଅନ୍ୟ ଜଣକର ନାମ ମାୟା । ସାବତ ମାଆ ମାୟା ଯମଙ୍କର ଦୁଷ୍ଟାମୀକୁ ସହ୍ୟ କରି ପାରୁ ନ ଥିଲେ ।
           ଦିନେ ସ୍ବର୍ଗପୁରୀରେ ଦେବତାମାନଙ୍କର ଗୋଟିଏ ବଡ଼ ଭୋଜି ହେଲା । ଭୋଜିରେ ବିଭିନ୍ନ ପ୍ରକାରର ସ୍ବାଦିଷ୍ଟ ଅନ୍ନ ବ୍ୟଞ୍ଜନର ବ୍ୟବସ୍ଥା ହୋଇଥିଲା । ଭୋଜିକୁ ସବୁ ଦେବତାମାନଙ୍କୁ ନିମନ୍ତ୍ରଣ କରା ଯାଇଥିଲା । ସୂର୍ଯ୍ୟ ଦେବତାଙ୍କୁ ମଧ୍ୟ ଏହି ଭୋଜି ପାଇଁ ନିମନ୍ତଣ କରାଯାଇଥିଲା । ତାଙ୍କର ଦୁଇ ପୁଅ ଶନି ଓ ଯମ ପାଖରେ ନ ଥିବାରୁ ସୂର୍ଯ୍ୟ ଏକାକୀ ସେହି ଭୋଜିରେ ଯୋଗ ଦେଲେ । ଖାଇସାରିବା ପରେ ଦୁଇ ପୁଅ ପାଇଁ କିଛି ଖାଦ୍ୟ ଧରି ଆସି ଘରେ ପହଞ୍ଚିଲେ । ଘରେ ପହଞ୍ଚି ଦେଖିଲେ ସାନ ପତ୍ନୀ ମାୟା ଅଛନ୍ତି । କିନ୍ତୁ ଦୁଇ ପୁଅ ନାହାନ୍ତି । ସୂର୍ଯ୍ଯଦେବତା ଆଣିଥିବା ଖାଦ୍ୟକୁ ମାୟାକୁ ଦେଇ କହିଲେ – ” ଏହି।ଖାଦ୍ୟ ରଖିଥାଅ । ଦୁଇପୁଅ ଆସିଲେ ସେମାନଙ୍କୁ ଖାଇବାକୁ ଦେବ ।” ଏହାକହି ସୂର୍ଯ୍ୟ ଦେବତା ବାହାରକୁ ଚାଲିଗଲେ ।
          କିଛି ସମୟ ପରେ ଶନି ଓ ଯମ ଦୁଇଭାଇ ବୁଲି ବୁଲି ଆସି ଘରେ ପହଞ୍ଚିଲେ । ମାଆଙ୍କ ଠାରୁ ଦେବତାଙ୍କ ଭୋଜିରୁ ବାପା ଖାଦ୍ୟ ଆଣିଥିବା କଥା ଶୁଣି ଦୁଇ ଭାଇଯାକ ଖାଇବାକୁ ଦେବାକୁ କହିଲେ । ମାୟା ଜାଣିଛନ୍ତି ଯମ ଭାରି ଦୁଷ୍ଟ ପ୍ରକୃତିର । ଏହି ସାଧାରଣ କଥାରେ ହୁଏତ ଝଗଡ଼ା ହେଇ ପାରେ । ତେଣୁ ସେ କହିଲେ – ” କିଛି ସମୟ ଅପେକ୍ଷା କର । ବାପା ଆସିଲେ ଦୁହିଁଙ୍କୁ ଖାଦ୍ୟ ବାଣ୍ଟିକରି ଦେବି । ” ମାଆଙ୍କ କଥାରେ ଶନି ବୁଝିଗଲେ । କିନ୍ତୁ ଯମ ହୋଇ ଏହିକ୍ଷଣି ଖାଇବାକୁ ଦେବାପାଇଁ ଜିଦ୍ ଧରିଲେ । ମାଆ ଯେତେ ବୁଝାଇଲେ ହେଲେ ବୁଝିଲେ ନାହିଁ । ଖାଦ୍ୟ ନ ଦେବାରୁ ଯମ ରାଗିଯାଇ ମାଆଙ୍କୁ ଗୋଇଠାଟିଏ ମାରିଦେଲେ ।
         ସାବତ ମାଆ ମାୟା ହଠାତ୍ ରାଗିଯାଇ ଯମ ଯେଉଁ ଗୋଡ଼ରେ ଗୋଇଠା ମାରିଛି , ସେହି ଗୋଡ଼କୁ କୁଷ୍ଠରୋଗ ହୋଇଯାଉ ବୋଲି ଅଭିଶାପ ଦେଲେ । ସଙ୍ଗେ ସଙ୍ଗେ ଯମଙ୍କର ଗୋଟିଏ ଗୋଡ଼ କୁଷ୍ଠରୋଗରେ ଆକ୍ରାନ୍ତ ହେଇଗଲା ଓ ପୂଜରକ୍ତ ବହିବାକୁ ଲାଗିଲା । ଯମ ଏହା ଦେଖି ଦୁଃଖରେ କାନ୍ଦିବାକୁ ଲାଗିଲେ । କିଛି ସମୟ ପରେ ସୂର୍ଯ୍ୟ ଦେବତା ଆସି ଘରେ ପହଞ୍ଚିଲେ । ଯମଙ୍କର ଗୋଡ଼ର ଅବସ୍ଥା ଦେଖି ତାଙ୍କୁ ଏହାର କାରଣ ପଚାରିଲେ । ଯମ ବାପାଙ୍କୁ ସମସ୍ତ କଥା ଖୋଲି କହିଦେଲେ । ସୂର୍ଯ୍ଯ ମାୟାଙ୍କର ଏହି କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ତାଙ୍କୁ ବିରକ୍ତ ହେଲେ । ଭାଵିଲେ ପୃଥିବୀରେ ଯେଉଁ ମଣିଷମାନେ ବାସ କରୁଛନ୍ତି ସେମାନଙ୍କ ମଧ୍ୟରୁ କେତେକ ମାଆ ସେମାନଙ୍କ ସନ୍ତାନମାନଙ୍କ ଦୁଷ୍ଟାମୀକୁ ସହ୍ୟ କରି ନପାରି ,
” ତୋତେ ବାଘ ଖାଉ ,ସାପ ଖାଉ ,ମଶାଣିକୁ ଯାଆ ,ଗଧ , କୁକୁର , ଘୁଷୁରୀ ଇତ୍ୟାଦି କହି ଗାଳି ଦେଉଛନ୍ତି । ଯଦି ଏ ସବୁ ଗାଳି ସତରେ ପରିଣତ ହେଇଯାଏ ତା’ହେଲେ ସନ୍ତାନମାନଙ୍କର ବହୁତ କ୍ଷତି ହେବ । ” ତେଣୁ ସୂର୍ଯ୍ୟଦେବ କହିଲେ – ” ଆଜିଠାରୁ ମାଆର ଗାଳି ଦାଣ୍ଡର ଧୂଳି ” ଅର୍ଥାତ୍ ମାଆମାନଙ୍କର ଗାଳି ସନ୍ତାନମାନଙ୍କର କୌଣସି କ୍ଷତି ସାଧନ ନ କରି ଦାଣ୍ଡର ଧୂଳିଭଳି ଉଡ଼ି ଯିବ । ” ସେହିଦିନଠାରୁ ମାଆମାନେ ବିରକ୍ତ ହୋଇ ବା ରାଗିଯାଇ ସନ୍ତାନମାନଙ୍କୁ ଯେଉଁ ଗାଳିଗୁଲଜ କରୁଛନ୍ତି ତାହା ସନ୍ତାନ ଉପରେ କୌଣସି ପ୍ରଭାବ ପକାଉ ନାହିଁ । ବର°ଦାଣ୍ଡର ଧୂଳିଭଳି ଉଡ଼ି ଯାଉଛି ।
             ବାଲିଗୁଡ଼ା , କନ୍ଧମାଳ

Related posts

ଉମାକାନ୍ତ ଦାସ ଙ୍କ ଗଳ୍ପ = ବିଷାକ୍ତ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ ଗଳ୍ପ ନିଃସଙ୍ଗ ଅଶିଣ

Sunil Chandra Nayak

ଜଗଦୀଶ ଶତପଥୀ ଙ୍କ ଗଳ୍ପ = କାଚଘର

Sunil Chandra Nayak

Leave a Comment

error: Content is protected !!