ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଅପର୍ତ୍ତି ସେଠୀ ଙ୍କ କବିତା = ହେ ପ୍ରଭୁ ରଘୁବୀର

     ହେ ପ୍ରଭୁ ରଘୁବୀର

(ପବିତ୍ର ଶ୍ରୀରାମ ଜନ୍ମ ଅବସରରେ ଆପଣମାନଙ୍କୁ ଏ ଅଧମର ଅନନ୍ତ କୋଟି ପ୍ରଣାମ। ଠାକୁରଙ୍କ ନାମ ନେଇ ବ୍ୟଙ୍ଗାତ୍ମକ ରଚନା ପାଇଁ ଆପଣ ମାନଙ୍କ ପାଖରେ ଯୋଡ ହସ୍ତରେ କ୍ଷମା ପ୍ରାର୍ଥୀ)

     ଅପର୍ତ୍ତି ସେଠୀ

ହେ ପ୍ରଭୁ ରଘୁବୀର……
ତୁମେ ତ୍ରେତୟା ଯୁଗ ଠାକୁର,
କିନ୍ତୁ ମୁଁ କଳି‌ଯୁଗ ନ୍ରର,
ନୁହେଁ ବାଲମୀକ‌ ମୁନିବର
ବରଂ ତୁମେ ମୋତେ କହିପାର‌
ସେହି ଦସ୍ୟୁ ରତ୍ନାକର….
ହେ ପ୍ରଭୁ ରଘୁବୀର‌।
ତୁମେ ପିତୃ ସତ୍ୟ ପାଳିପାର,
ଯାଅ ପଛେ ବନ ଘୋର,
ମୁଁ ଏଇ ଯୁଗ ନର,
ନିଜ ସ୍ବାର୍ଥ ପାଇଁ ଜରାଶ୍ରମେ ନେଇ
ଛାଡ଼େ ପିତାମାତା ମୋର,
ଭରତ ବିଚରା ମରୁ ପଛେ ଏଠି
ରାଜଗାଦୀ ଦରକାର,
ହେ ପ୍ରଭୁ ରଘୁବୀର…..
ତୁମେଏକ ସ୍ତ୍ରୀ ବରିପାର,
ମୁଁ କିନ୍ତୁ ଏଠି ଦୁଷ୍କର୍ମ କେସ୍‌ରେ
ଦାଗୀଟି ଏକ ନମ୍ବର।
ମୁଁ ଏଇ ଯୁଗ ନର।
ହେ ପ୍ରଭୁ ରଘୁବୀର..
ରାବଣ ବିନାଶ ପାଇଁ ସମୁଦ୍ରରେ
      ସେତୁବନ୍ଧ ନିର୍ମାଣିଲ,
କୁହ ହେ ଠାକୁର କେତେଟଙ୍କା ସେଠୁଁ
      ନିଜେ ଲାଭ କରିଥିଲ‌?
ମୁଁ ଏଇ ଯୁଗ ନର ହେ ଠାକୁର
       ଏ କାମରେ ଧୁରନ୍ଧର,
ବାଲି ଗୋଡ଼ି ମାଟି ସିମେଣ୍ଟ କି ଛଡି
         ଖାଇକି କରୁଛି ପାଆର‌।
କୁହ ହେ ଠାକୁର କମ୍ପ୍ୟୁଟର ଜ୍ଞାନ
         ଥିଲା କି ଆପଣଙ୍କର,
ଆମେ କିନ୍ତୁ ଏଠି ଲାପଟପ୍ ଧରି
        ଦେଖୁଛୁ ଲୀଳା ତୁମର।
ଆପଣଙ୍କ କାଣ୍ଡ କୋଦଣ୍ଡକୁ ଆଜି
       ରାବଣର ନାହିଁ ଡର,
ଆମ କ୍ଷେପଣାସ୍ତ୍ର ପଡ଼ିଲେ ନିମିଷେ
       ପୃଥ୍ବୀ ହେବ ନାରଖାର।
ହେ ପ୍ରଭୁ ରଘୁବୀର .. 
ମୁଁ କଳିଯୁଗ ନର ହେ ଠାକୁର
        ବିଚକ୍ଷଣ ଜ୍ଞାନ ମୋର,
ତୁମକୁ ମୁଁ ବ୍ଲାକ୍‌ମେଲ କରି ତୁମ
         ନାମ କରୁଛି ବେପାର।
ରାମ ନାମ କହି ଭଣ୍ଡବାବା ହୋଇ
         କରେ ନାନା ବ୍ୟଭିଚାର,
ଯଦିଓ ସେ ପାଇଁ ମିଡ଼ିଆ କବଳେ
         ଚାଲିଯାଏ କାରାଗାର।
ସେ ପାଇଁ ନାହିଁ ମୋ ଡର,
ରାମଲୀଳା ଭଳି ଏହିଭଳି ଲୀଳା
କରିପାରେ ବାରମ୍ବାର…….
କାରଣ ମୁଁ ଏହି ଯୁଗ ନର…..।।।।।
  ଭାଙ୍ଗିଯାଇଥିଲେ ଯାଇଥାନ୍ତା ପଛେ
        ସତ୍ୟରକ୍ଷା ପିତାଙ୍କର,
ରାଜଗାଦୀ ପଦ ତ୍ୟାଗ କରି ପ୍ରଭୁ
      ପିତୃ ସତ୍ଯ କଲ ବଡ଼।(ବରଂ)
ଭଲ ହୋଇଥାନ୍ତା ସୂର୍ପଣଖା ସଙ୍ଗେ
      ଯଦି ପ୍ରୀତି କରିଥାନ୍ତ ,
ତୁମ ସୀତା ତୁମ ପାଖରେ ଥାଆନ୍ତା
       କାହିଁ ପାଇଥାନ୍ତ ଦୁଃଖ?
କିଭଳି ହେ ପ୍ରଭୁ ଏଡେ ବୋକା ହେଲ
       ପ୍ରେମ ଭଳି ଚିଜ ଛାଡି,
ଏକ ସ୍ତ୍ରୀ ଧର୍ମ ପାଳନ କରିଲ 
       ପ୍ରଭୁ ପରଂବ୍ରହ୍ମ ବୋଲି।
ଦେଖ ପ୍ରଭୁ ଆଜି ଏଭଳି ଚାଲିଛି–
ଡୁଆଲ ସିମ୍‌ରେ ସଂସାର ଚାଲିଛି
       ଟେନ୍‌ସନ ଦୂର ପାଇଁ,
ଜଣେ ଘର ବାଲି ଜଣେ ତ ବାହାରେ
       ରହିଥାଏ ପୁଣି ଚାହିଁ।
ନାରୀ ବାସ୍ନା ନାରୀ ଦେହଭୋଗ
     ପାଇଁ ମଣିଷ ପାଗଳ ଆଜି,
ଆଦର୍ଶ ପୁରୁଷ ବୋଲି ହେ‌ ଠାକୁର
     ଏଥିରେ ହେଲ‌ ଅରାଜି‌।
ପାତାଳକୁ ଚାଲିଗଲେ ଯେବେ ସୀତା
      ପ୍ରଭୁ ବୋଲି ଧୈର୍ଯ୍ୟ ଧରି,
ସଂସାର ସଂସ୍କାର ବାର୍ତ୍ତା ଦେଇଦେଲ
      ଲୋଭ ମୋହ ତ୍ୟାଗ କରି।
ଶ୍ୟାମଳ ଶରୀର ପୂର୍ଣ୍ଣ କାମବ୍ରହ୍ମ
      ଉଚ୍ଛୁଳା ଯୌବନ ବହି , 
ପ୍ରେମିକା ବିରହ କେମିତି ସହୂଛ‌
      ଜାଣିଶୁଣି ରଘୁସାଇଁ?
 ଯେଣୁ ମୁଁ ଆଜିର ବେହିଆ‌ ମଣିଷ
      ନାରୀ ସୁରା ଖାଲି ଚାହେଁ,
କାମିନୀ କାଞ୍ଚନ ପଛେ ଦିନ ରାତି
      ଅକାରଣେ ଧାଉଁ ଥାଏ।
ଜାଣିଛି ହେ‌ ପ୍ରଭୁ ଏସବୁ ଉର୍ଦ୍ଧ୍ବରେ
      ଆପଣ ପବିତ୍ର ନାମ,
ମର୍ଯ୍ୟାଦା ପୁରୁଷ ଯେଣୁ ବୋଲାଉଛ
      ଧର୍ମ ରକ୍ଷା ତୁମ କାମ।
ଆଜି ଧରାଧାମେ ବିରାଜିତ ହେବ
    ଏସବୁ ନାଶିବା ପାଇଁ, 
ହେପୁରୁଷୋତ୍ତମ ହେ କୋଟି ଲାବଣ୍ଯ
      ଉଦ୍ଧାର କର ହେ ମହୀ।
ହଜାରେ ରାବଣ ବୁଲୁଛନ୍ତି ଏଠି
     ଦେଖ ନାରୀ ଚୋରୀ କରି,
ଏଭଳି କରୋନା‌ ନାଶ କରିବାକୁ
     ଆସ ପୁଣି ଅବତରୀ।
ତୁମେ ପ୍ରଭୁ ଅଟ ଜଗତ ନିୟନ୍ତା
    ଦୟାମୟ ଭାବଗ୍ରାହୀ,
କଳିଯୁଗ ରୀତି ତୁମଠିଁ ଯୋଡିଲି
    ଦୋଷ ମୋ ଧରିବ ନାହିଁ।

ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା

   
,

Related posts

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା//ଆମେ ସବାଖିଆ 

Sunil Chandra Nayak

ଡ଼ା. ଦେବୀ ପ୍ରସାଦ ମିଶ୍ର ଙ୍କ କବିତା =ରଜ ମଉଜ

masiha

ସୁରେଶ ଚନ୍ଦ୍ର ପାଢୀ ଙ୍କ କବିତା // ଗାଁ ରେ ଶୀତ ଦିନ

Sunil Chandra Nayak

Leave a Comment

error: Content is protected !!