ଡାବୁଗାଁ, ୪/୪ – (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ବୁଟିଆଗୁଡା ଗ୍ରାମ ନିକଟରେ ଏକ ଅଜଣା ମୋଟର ସାଇକେଲ ଧକ୍କାରେ ମଙ୍ଗଳବାର ଜଣେ ଯୁବକ ର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ସୋମବାର ରାତ୍ରିରେ ମେଦନା ଗ୍ରାମରେ କଳସୀ ଯାତ୍ରା ଶେଷ ଦିନ ଥିବାରୁ ନାଟ (ଆଦିବାସୀ ନାଟକ) ହେଉଥିଲା | ଅଞ୍ଚଳା ଗ୍ରାମର ଗୋପବନ୍ଧୁ ବିନ୍ଧାଣି (୨୯) ନାଟ ଦେଖିବାକୁ ଯାଇଥିଲା | ରାତ୍ର ପ୍ରାୟ ୩ ଘ. ସମୟ ହେବ ନାଟ ଦେଖି ନିଜ ଘର ଅଞ୍ଚଳା ଗ୍ରାମକୁ ଚାଲି ଚାଲି ଫେରୁଥିବା ସମୟରେ ଏକ ଅଜଣା ମୋଟର ସାଇକେଲ ବିପରୀତ ଦିଗରୁ ଆସି ଧକ୍କା ଦେଇ ଚାଲି ଯାଇଥିଲା | ମୋଟର ସାଇକେଲ ଧକ୍କା ହେବାରୁ ଆହତ ହୋଇ ଗୋପବନ୍ଧୁ ରାସ୍ତାରେ ପଡି ରହିଥିଲେ | ପଛରେ ନାଟ ଦେଖି ଫେରୁଥିବା ଅନ୍ୟ ଲୋକ ମାନେ ଆସି ଦେଖି ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା | ଅବସ୍ଥା ଗୁରୁତ୍ତର ହେବାରୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା | ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଏନେଇ ଅଞ୍ଚଳା ପଞ୍ଚାୟତ ସମିତି ସଭ୍ୟ ବୁଦନ ପନକା ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ବିଜୁରାମ ବାଗ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଶବ ଜବତ କରିବା ପରେ ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତରକରଯାଇଥିଲା | ଏନେଇ ଥାନା କେସ ନଂ ୬୫/୨୩ ରେ ଏକ ମାମଲା ରୁଜୁ କରାଯାଇଛି |
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ