ବାଲେଶ୍ଵର୧୧/୪/୨୩ – ବାଲେଶ୍ଵର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ହୁଗୁଳି ଠାରେ ଜଳଯନ୍ତ୍ର ଭାବେ ବିରାଜିତ ପୂର୍ବ ଭାରତ ପ୍ରସିଦ୍ଧ ବାବା ଚନ୍ଦନେଶ୍ଵର ମହାଦେବଙ୍କ ପବିତ୍ର ଚଡ଼କ ପର୍ବ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଶୁଭାରମ୍ଭ ହୋଇଛି । ଚଡ଼କ ପର୍ବ ପ୍ରଥମ ଦିନରେ ପାଟଭକ୍ତ ଓ ଦେଉଳିଆ ୨ଜଣ ଭକ୍ତଙ୍କ ଉପବୀତ ଧାରଣ ସହ ବାବାଙ୍କ ଚଳନ୍ତି ବିଗ୍ରହ ଭାବେ ମାନ୍ୟ କରାଯାଉଥିବା ଧ୍ବଜ ବାଉଁଶ ଛେଦନ କରି ଚଡ଼କ ପର୍ବ ଶୁଭାରମ୍ଭ କରିଥାନ୍ତି । ତାପରେ ୧୩ ଜଣ ସ୍ଥାୟୀ ଭକ୍ତଙ୍କ ବ୍ରତ ଧାରଣ ସହିତ ଉପବୀତ ଧାରଣ କରିଥାନ୍ତି । ଏହାସହିତ ଆସନ୍ତା ୧୨ ତାରିଖ ମହାନୀଳ ପର୍ବ ଓ ୧୩ ତାରିଖ ପାଟପର୍ବ ମୋଟ ଦୁଇ ଦିନରେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଟ୍ରଷ୍ଟ ବୋର୍ଡ଼ ଆକଳନ କରିଛି । ଏହି ପବିତ୍ର ଚଡ଼କ ପର୍ବ ରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡଖଣ୍ଡ,ଆସାମ, ବିହାର, ଉତ୍ତରପ୍ରଦେଶ ରାଜ୍ୟରୁ ଲକ୍ଷାଧିକ ଭକ୍ତ ନିର୍ଜଳା ଉପବାସ ରହି ଉପବୀତ ଧାରଣ କରନ୍ତି । ଭକ୍ତ ଙ୍କ ସମାଗମକୁ ଦେଖି ପ୍ରଶାସନ ୧୨ ପ୍ଲାଟୁନ ପୋଲିସ ମୁତୟନ କରିଛି ।
ବାଲେଶ୍ୱରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ