ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋ ସ୍କୁଲ ଅଭିଯାନ,ଢେଙ୍କାନାଳ ଜିଲ୍ଲା ସ୍ତରୀୟ ପୁରାତନ ଛାତ୍ରୀ ଛାତ୍ର ସମ୍ମିଳନୀ ଓ ଫୋଟୋ ପ୍ରଦର୍ଶନୀ -୨୦୨୩ ଅନୁଷ୍ଠିତ 

ଢେଙ୍କାନାଳ : ତା.୧୫.୦୪.୨୦୨୩ ରିଖ (ଶନିବାର) : ସ୍ଥାନୀୟ ସପ୍ତଶଯ୍ୟା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରରେ ଥିବା ସଭାଗୃହରେ ପ୍ରାତଃ ୦୯ଘଟିକା ସମୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଢେଙ୍କାନାଳ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣିଙ୍କ ସଭାପତିତ୍ବରେ,ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ସସ୍ମିତା ସାହୁ,ପ୍ରଧାନ ଶିକ୍ଷୟିତ୍ରୀ ନସିମ୍ ଆରା ବେଗମ୍ ଓ ତାଙ୍କ ଟିମ୍,ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନଙ୍କ ମିଳିତ ମାର୍ଗଦର୍ଶନରେ ଢେଙ୍କାନାଳ ଜିଲ୍ଲା ବିଜ୍ଞାନ ସୁପରଭାଇଜର ଲକ୍ଷ୍ମୀଧର ମହାନ୍ତଙ୍କ ସଂଯୋଜନାରେ କୋଭିଡ଼ -୧୯ ନିୟମ ସବୁକୁ ଅନୁପାଳନ କରି ମୋ ସ୍କୁଲ ଅଭିଯାନ, ଢେଙ୍କାନାଳ ଜିଲ୍ଲା ସ୍ତରୀୟ ପୁରାତନ ଛାତ୍ରୀ ଛାତ୍ର ସମ୍ମିଳନୀ ଓ ଫୋଟୋ ପ୍ରଦର୍ଶନୀ -୨୦୨୩ ଅନୁଷ୍ଠିତ ହୋଇଯାଇଅଛି। ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଏହି କାର୍ଯ୍ୟକ୍ରମ ଓ ଫୋଟୋ ପ୍ରଦର୍ଶନୀ ୨୦୨୩ର ଶୁଭ ଉଦ୍ଘାଟନ କରି ସ୍ଵୀୟ ବକ୍ତ୍ୟବ୍ୟରେ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ବିଦ୍ୟାଳୟକୁ ଭଲ ପାଉଥିବା ସମସ୍ତଙ୍କର ସମ୍ମିଳିତ ଉଦ୍ୟମଦ୍ୱାରା ହିଁ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ହୋଇପାରିବ ବୋଲି ଦୃଢ଼ ମତ ପୋଷଣ କରିଥିଲେ ଓ ସମସ୍ତେ ଏଥିପାଇଁ ଅର୍ଥ ଦାନ, ଦ୍ରବ୍ୟ ଦାନ ଓ ସେବା ପ୍ରଦାନ ପାଇଁ ଆଗେଇ ଆସିବାକୁ ଦୃଢ଼ ଆହ୍ୱାନ ଦେଇଥିଲେ। 

ଓଡ଼ିଶା ସରକାର ଦାନ କରାଯାଇଥିବା ଅର୍ଥର ଦୁଇଗୁଣ ଅର୍ଥ ରାଶି ମ୍ୟାଚିଙ୍ଗ ଗ୍ରାଣ୍ଟ ହିସାବରେ ପ୍ରଦାନ କରୁଥିବାରୁ ଏହି ତିନିଗୁଣ ଅର୍ଥରାଶି ଦ୍ୱାରା ବିଦ୍ୟାଳୟର ଆବଶ୍ୟକତା ଅନୁସାରେ ଅନେକ ପ୍ରସ୍ତାବିତ ପ୍ରକଳ୍ପ କରିହେବ। ପରଜଙ୍ଗର ମାନ୍ୟବର ବିଧାୟକ ଡ଼ଃ ନୃସିଂହ ସାହୁ ଅନ୍ୟତମ ବିଶିଷ୍ଟ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ କହିଥିଲେ ଯେ ବଦଳିଛି ବିଦ୍ୟାଳୟର ଚେହେରା। ଶିକ୍ଷାୟତନର ପରିସରରେ ଦେଖାଦେବାରେ ଲାଗିଛି ରୂପାନ୍ତରଣର ଅପୁର୍ବ ଝଲକ। ସବୁଠୁ ବଡ଼ କଥା ହେଲା ଛାତ୍ରଛାତ୍ରୀ ପାଇବେ ଯୁଗପଯୋଗୀ ଓ ଆଧୁନିକ ଶିକ୍ଷା। ଯେକୌଣସି ବ୍ୟୟବହୁଳ ଘରୋଇ ଅଥବା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପରିବେଶ ଠାରୁ କୌଣସି ଗୁଣରେ କମ୍ ରହିବନି ସରକାରୀ ହାଇସ୍କୁଲ କ୍ୟାମ୍ପସ୍। ବିଦ୍ୟାଳୟର ପରିବେଶ ଏମିତି ସଜାଡ଼ି ହେବାରେ ଲାଗିଛି ଯେ ଛାତ୍ରଛାତ୍ରୀଙ୍କୁ ଏହା ଶିକ୍ଷା ନିମନ୍ତେ ଆକୃଷ୍ଟ କରୁଛି। ନିଶ୍ଚିତ ଭାବେ ଏହା ଦ୍ବାରା ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ବେଶ୍ ମାତ୍ରାରେ ହ୍ରାସ ପାଇବ ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ଯୋଗଦାନ କରି କେବଳ ଶ୍ରେଣୀ ବହି ପଢ଼ା ନୁହେଁ, ପୋଥିଗତ ବିଦ୍ୟା ବାଦେ ଯୁଗପଯୋଗୀ ଜ୍ଞାନ ଆହରଣ ପାଇଁ ଉନ୍ନତ ଗ୍ରନ୍ଥାଗାର ସାଙ୍ଗକୁ ଡିଜିଟାଲ ଲାଇବ୍ରେରୀ ଓ ଲାଇବ୍ରେରୀ ଷ୍ଟକ ଗୃହ, ଡିଜିଟାଲ କ୍ଲାସ୍ ରୁମରେ ଶିକ୍ଷା ଗ୍ରହଣ କରିବା ସୁଯୋଗ ପାଇଛନ୍ତି ବିଦ୍ୟାର୍ଥୀ ବୋଲି ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି ସଭାର ଆଭିମୁଖ୍ୟ, ସ୍ଵାଗତ ଭାଷଣ ଓ ବିବରଣୀ ପାଠ କରିଥିଲେ। ସ୍ଵୀୟ ବକ୍ତବ୍ୟରେ ବର୍ତ୍ତମାନ ସ୍କୁଲ୍ ଗୁଡ଼ିକରେ କ୍ରୀଡ଼ା, କମ୍ପ୍ୟୁଟର ଶିକ୍ଷା, ଉନ୍ନତମାନର ବୈଜ୍ଞାନିକ ପରୀକ୍ଷାଗାର (ସାଇନ୍ସ ଲ୍ୟାବ୍),ବିଜ୍ଞାନ ଷ୍ଟୋର, ବିଜ୍ଞାନ ଗ୍ୟାଲେରୀ,ଅଟଳ ଟିଙ୍କରିଂ ଲ୍ୟାବ,ଆଇ.ସି.ଟି. ଲ୍ୟାବରସୁବିଧା ସେମାନଙ୍କୁ ମିଳିପାରିଛି।

ବିଶୁଦ୍ଧ ପାନୀୟ ଜଳ ହେଉ କିମ୍ବା ସ୍ଵଚ୍ଛ ଶୌଚାଳୟ, ଚକମକିଆ ଓ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଥିବା ଶିକ୍ଷଣୀୟ ବିଦ୍ୟାଳୟର ଶ୍ରେଣୀ କକ୍ଷରୁ ଆରମ୍ଭ କରି ସବୁଜ ବଗିଚା, ୱାଟର ଫାଉଣ୍ଟେନ, ବାଜିରାଉତ ପାର୍କ,ନ୍ୟୁଟ୍ରିସନ ବଗିଚା, ଔଷଧୀୟ ବଗିଚା,ମୁକ୍ତ ବନବିଦ୍ୟାଳୟର ପ୍ରାକୃତିକ ପରିବେଶ, ରଙ୍ଗୀନ ପାଚେରୀରେ ଝଲସୁଛି କ୍ୟାମ୍ପସ୍ ଓ ସମଗ୍ର ବିଦ୍ୟାଳୟ ପରିବେଶ ପାଲଟିଛି ଜ୍ଞାନର ଗନ୍ତାଘର ବୋଲି ସୂଚନା ପ୍ରଦାନ କରିଥିଲେ।ଢେଙ୍କାନାଳ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ ପରିଶେଷରେ ସ୍ଵୀୟ ଧନ୍ୟବାଦ ଅର୍ପଣ ପର୍ବରେ ସମସ୍ତଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ କହିଲେ ଯେ ବର୍ତ୍ତମାନ ବିଦ୍ୟାଳୟ ମାନଙ୍କରେ ଏପରି ଆଖିଦୃଶିଆ ପରିବର୍ତ୍ତନ ପାଇଁ ଛାତ୍ରଛାତ୍ରୀ କିମ୍ବା ଅଭିଭାବକଙ୍କୁ କୌଣସି ଅତିରିକ୍ତ ବ୍ୟୟ ଦେବାକୁ ହୋଇନି। ସରକାର ମୋ ସ୍କୁଲ୍ ଯୋଜନାରେ ପ୍ରାକ୍ତନ ଛାତ୍ରୀ ଛାତ୍ର ଓ ନିଜସ୍ବ ଅନୁଦାନରେ ଶିକ୍ଷାନୁଷ୍ଠାନରେ ଆଣିଛନ୍ତି ଏଭଳି ଆଖିଦୃଶିଆ ପରିବର୍ତ୍ତନ। ଉଲ୍ଲେଖନୀୟ ଭାବେ ଏଥିରେ କେବଳ ସରକାର ଅଂଶୀଦାର ହୋଇ ନାହାନ୍ତି, ବରଂ ଗୋଷ୍ଠୀଗତ ଅଂଶଗ୍ରହଣ ଯଥା ସ୍କୁଲ ପରିଚାଳନା କମିଟି, ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ଗ୍ରାମ୍ୟ ବା ସ୍ଥାନୀୟ ଉନ୍ନୟନ କମିଟି ଓ ଜନପ୍ରତିନିଧି ମଧ୍ୟ ବିକାଶର ଏହି ପ୍ରକ୍ରିୟାରେ ଭାଗିଦାରୀ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଗୁଡିକରୁ ପ୍ରତିନିଧିତ୍ଵ କରୁଥିବା ପ୍ରାକ୍ତନ ଛାତ୍ରୀ ଛାତ୍ର ମାନେ ସ୍ଵୀୟ ବକ୍ତବ୍ୟରେ ରାଜ୍ୟ- ଦେଶ ତଥା ଜାତିର ଭବିଷ୍ୟତକୁ ଏବେ ଠାରୁ ସ୍ମାର୍ଟ ବିଦ୍ୟାର୍ଥୀ ଭାବେ ଗଢ଼ି ତୋଳିବା ପାଇଁ ଏଭଳି କିଛି ପଦକ୍ଷେପ ରାଜ୍ୟ ସରକାର “୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍” ତଥା ‘’ମୋ ସ୍କୁଲ ଅଭିଯାନ” ଜରିଆରେ ଗ୍ରହଣ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଓଡ଼ିଶାର ହାଇସ୍କୁଲ ଶିକ୍ଷା କ୍ଷେତ୍ର ଚଳିତ ବର୍ଷ ଏଭଳି କିଛି ଐତିହାସିକ ରୂପାନ୍ତରଣର ସାକ୍ଷୀ ହୋଇଛି ଢେଙ୍କାନାଳ ଜିଲ୍ଲାର ଅନେକ ବିଦ୍ୟାଳୟ ବୋଲି ପରସ୍ପର ଭାବବିନିମୟ ଓ ହୃଦୟସ୍ପର୍ଶୀ ଅନୁଭବକୁ ସର୍ବ ସମ୍ମୁଖରେ ପ୍ରକାଶ କରି ଗଭୀର ଆତ୍ମସନ୍ତୋଷ ଲାଭ କରିଥିଲେ।ଢେଙ୍କାନାଳ ଜିଲ୍ଲାର ମୋ ସ୍କୁଲ୍ ଅଭିଯାନ ସମ୍ପର୍କରେ ପ୍ରସ୍ତୁତ କେତୋଟି କ୍ଷୁଦ୍ର ଭିଡ଼ିଓ/ଚଳଚିତ୍ର ମଧ୍ୟ ସ୍ମାର୍ଟ ଶ୍ରେଣୀଗୃହରେ ଇଣ୍ଟର ଆକ୍ଟିଭ ପ୍ୟାନେଲ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା ସମସ୍ତଙ୍କ ଦ୍ବାରା ବେଶ୍ ଶିକ୍ଷଣୀୟ ହୋଇପାରିଥିଲା।ଏହି ଅବସରରେ ମଞ୍ଚାସୀନ ଅତିଥି ବୃନ୍ଦ ଓ ଉପସ୍ଥିତ ୪୦ ଜଣ ପ୍ରାକ୍ତନ ଛାତ୍ରୀ ଛାତ୍ର ମାନଙ୍କୁ ପର୍ଯ୍ୟାୟ କ୍ରମେ ପୁଷ୍ପ ଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ମୁଖ୍ୟଅତିଥିଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା।ଢେଙ୍କାନାଳ ଜିଲ୍ଲା ବିଜ୍ଞାନ ସୁପରଭାଇଜର ଲକ୍ଷ୍ମୀଧର ମହାନ୍ତ ଅତିଥି ପରିଚୟ ପ୍ରଦାନ ଓ ସଭା ସଂଯୋଜନା କରିଥଲେ । ସଭା ପ୍ରାରମ୍ଭରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ, ଧୂପ,ଦୀପ ଅର୍ପଣ କରାଯାଇ ଜିତେନ୍ଦ୍ର କୁମାର ସାହୁଙ୍କ ଦ୍ବାରା ମଙ୍ଗଳାଚରଣ ଗାନ କରାଯାଇଥିଲା।

ପ୍ରକାଶ ଥାଉକି ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ସଦର ଢ଼େଙ୍କାନାଳର ବ୍ରହ୍ମାନନ୍ଦ ରାଉତ, ଭୁବନର ରୁଦ୍ର ନାରାୟଣ ସାମଲ, କାମାକ୍ଷାନଗରର ଜଗବନ୍ଧୁ ଜେନା, କଙ୍କଡ଼ାହାଡ଼ର ମିନତୀ ଦେହୁରୀ, ପରଜଙ୍ଗର ହରିହର ଦେହୁରୀ, ଓଡ଼ାପଡ଼ାର ପ୍ରଫୁଲ୍ଲ କୁମାର କାଲୋ,ପ୍ରଧାନ ଶିକ୍ଷୟିତ୍ରୀ ନସିମ୍ ଆରା ବେଗମ୍ , ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ସାହୁ ଓ ତାଙ୍କ ଟିମ୍, ପ୍ରାକ୍ତନ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପାଣି ଗ୍ରାହୀ,ବନବିହାରୀ ବାରିକ,ବିଜ୍ଞାନ ଶିକ୍ଷକ ମଧୁସୂଦନ ରାଉତ୍,କାର୍ଯ୍ୟାଳୟ ସହକାରୀ ସନ୍ତୋଷ କୁମାର ଆଚାର୍ଯ୍ୟ,ମୋ ସ୍କୁଲ୍ ଅଭିଯାନ କ୍ୟାମ୍ପେନ୍ ଟିମର ଦଳମୁଖ୍ୟ ଡ଼ା. ଦେବୀ ପ୍ରସାଦ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରୀୟ ଅଂଶଗ୍ରହଣ କରି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଡ଼ା. ଦେବୀ ପ୍ରସାଦ ମିଶ୍ର 

(ମୋ ସ୍କୁଲ ଅଭିଯାନ ଢେଙ୍କାନାଳ ଜିଲ୍ଲା କ୍ୟାମ୍ପେନ ଟିମର ଦଳମୁଖ୍ୟ)

ଦୂରଭାଷ :୯୪୩୭୧୦୬୫୬୯
ଇ-ମେଲ : debisirscience@gmail.com
ରିପୋର୍ଟ୍ ଶୁଭମ୍ ପାଣି 

Related posts

ଅସୁରଗଡର ପ୍ରସିଦ୍ଧ ରାମଲୀଳା ନାଟକ ମଞ୍ଚସ୍ଥ

masiha

ମଧୁ ମାଧବ ତୀର୍ଥରେ ଶ୍ରୀରାମ ନବମୀ ମହୋତ୍ସବ ପାଇଁ ଅଧିବାସ

masiha

ପ୍ରଶାନ୍ତ ଙ୍କ ଜନନୀ ସମ୍ପର୍କ ଅଭିଯାନ ରେ ସମସ୍ଯା ଜଣାଉଛନ୍ତି ମା ମାଉସୀ

Leave a Comment

error: Content is protected !!