ଡାବୁଗାଁ, ୬/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ କେନ୍ଦୁଗୁଡା ଗ୍ରାମରେ ଜଣେ ମହିଳା ବେକରେ ଦଉଡି ବାନ୍ଧି ଆତ୍ମହତ୍ୟା କରିଥିବା ନେଇ ଶନିବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଥିଲା | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ କେନ୍ଦୁଗୁଡା ଗ୍ରାମର ସୁବାସ ମୁଲିଆ ଙ୍କ ସ୍ତ୍ରୀ ସନବାରି ମୁଲିଆ (୪୦) ଆଜି ସକାଳୁ ଘରୁ ବାହାରକୁ ଚାଲିଯାଇଥିଲେ | ସକାଳ ୧୦ ଘ. ସୁଦ୍ଧା ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ | ଗ୍ରାମ ପାଖରେ ଥିବା କାଜୁ ବଗିଚା ମଧ୍ୟରେ ଥିବା ଏକ ପୋଖରୀ କୁ ଗ୍ରାମର କିଛି ଲୋକ ଗାଧୋଇବାକୁ ଯାଇଥିଲେ | କାଜୁ ବଗିଚା ମଧ୍ୟରେ ଜଣେ ମହିଳା ବେକରେ ଦଉଡି ବାନ୍ଧି ଆତ୍ମହତ୍ୟା କରିଥିବା ଦେଖିଥିଲେ | ପାଖକୁ ଯାଇ ଦେଖିଲେ ଯେ ଉକ୍ତ ମହିଳା ଜଣଙ୍କ ହେଲେ ତାଙ୍କ ଗ୍ରାମର ସନବାରି ମୁଲିଆ ବୋଲି ଜାଣିବାକୁ ପାଇଥିଲେ | ଗ୍ରାମକୁ ଆସି ମୃତକ ଙ୍କ ପରିବାର ବର୍ଗଙ୍କୁ ଖବର ଦେଇଥିଲେ | ଖବର ପାଇ ପରିବାର ଲୋକେ କାଜୁ ବଗିଚା ମଧ୍ୟକୁ ଯାଇ ଦେଖିଥିଲେ ଯେ ସନବାରି ଆତ୍ମହତ୍ୟା କରିଛି | ଏନେଇ ମଧ୍ୟାନ୍ନ ରେ ମୃତକର ସ୍ଵାମୀ ସୁବାସ ମୁଲିଆ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଳକୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ଚନ୍ଦନ ସାହୁ ଓ ସିଏଏସଆଇ ଶାନ୍ତିଲତା ବାରିକ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ପରେ ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ୧୭/୨୩ ରେ ଏକ ଅପମୃତ୍ୟୁ ମାମଲାରୁଜୁ କରାଯାଇଛି |