ଆହତ ଡିସପିଙ୍କୁ ଭୁବନେଶ୍ବର ଏୟାରଲିଫ୍ଟ କରାଗଲା….
କଳାହାଣ୍ଡି ଜିଲ୍ଲା ମଦନ ରାମପୁର ଥାନା ତାପରେଙ୍ଗ-ଲୁଡେନଗଡ଼ ଜଙ୍ଗଲରେ ମାଓବାଦୀ ଏବଂ ପୁଲିସ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥବା ବେଳେ ଏଥିରେ ୩ଜଣ ମାଓବାଦୀଙ୍କର ମୃତ୍ୟୁହୋଇଛି।ଏଥ୍ରେ ଡିଏସ୍ପି ଅତୁଲକୃଷ୍ଣ ଦାସ ଆହତ ହୋଇଥିବା ବେଳେ ତାଙ୍କୁ ଭୁବନେଶ୍ବରକୁ ଏୟାରଲିଫ୍ଟ କରାଯାଇଛି। ତାଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି।
ମଦନପୁର ରାମପୁର ଟାପରାଙ୍ଗ ସଂରକ୍ଷିତ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ପୁଲିସ ପକ୍ଷରୁ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା।
ଦିନ ୧୦ଟା ବେଳେ ମାଓବାଦୀମାନଙ୍କୁ ପୁଲିସ ଘେରିଥିବା ବେଳେ ସେପଟୁ ଗୁଳିମାଡ଼ ହୋଇଥିଲା। ଜବାବରେ ସୁରକ୍ଷାକର୍ମୀମାନେ ଗୁଳି ଚାଳନା କରିଥିଲେ। ସୁରକ୍ଷା କର୍ମୀଙ୍କ ପ୍ରତି ଜବାବରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ଏବେ ବି ସେ ଅଞ୍ଚଳରେ କମ୍ବି ଅପରେସନ ଚାଲୁ ରହିଛି।
ଗୁଳିବିନିମୟ ଘଟଣା ପରେ ଡିଜିଙ୍କ କ୍ୟାମ୍ପ ଅଫିସରେ ଏକ ବୈଠକ ହୋଇଥିଲା। ଡିଜିପି ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏ ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡାଙ୍କ ସହ ଆଇନଶୃଙ୍ଖଳା ଏଡିଜି ରାଧାକୃଷ୍ଣ ଶର୍ମା ଏବଂ ଅନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ I ମାଓବାଦୀଙ୍କୁ କିଭଳି ସାବାଡ କରାଯିବ। ଏବଂ ସେମାନଙ୍କ ନିକଟକୁ ଯାଉଥିବା ଅସ୍ତ୍ରଶସ୍ତ୍ରକୁ କିଭଳି ରୋକାଯାଇ ପାରିବ, ସେନେଇ ମଧ୍ୟ ଆଲୋଚନା ହୋଇଛି। ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ଜାଣିବା ପାଇଁ ଗୁଇନ୍ଦା ସୂଚନାକୁ ଅଧିକ ସୁଦୃଢ କରିବାକୁ ଡିଜିପି ପରାମର୍ଶ ଦେଇଥିଲେ।ଯେପରି ମାଓବାଦୀଙ୍କ ଅର୍ଥିକ ମେରୁଦଣ୍ଡ ଭାଙ୍ଗିବ ସେନେଇ କାମ କରିବାକୁ ଡିଜିପି ଅଧିକାରୀମାନଙ୍କୁ କହିଥିଲେ।
ବୈଠକ ପରେ ଡିଜିପି କହିଛନ୍ତି ଯେ ୩ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନଙ୍କର ପରିଚୟ ଏ ପର୍ଯ୍ୟନ୍ତ ମିଳିନାହିଁ ।
ସେମାନଙ୍କଠାରୁ ଏକେ ୪୭ ବନ୍ଧୁକ ମିଳିଥିବାରୁ ମୃତ ମାଓବାଦୀ ସଂଗଠନର ବରିଷ୍ଠ ସଦସ୍ୟ ହୋଇଥବେ ବୋଲି ଅନୁମାନ କରାଯାଉଛି। ଗଣତନ୍ତ୍ରରେ ମାଓବାଦୀଙ୍କ ସ୍ଥାନ ନାହିଁ; ତେଣୁ ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଡିଜିପି ଆହ୍ବାନ ଦେଇଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ, ମଦନ ରାମପୁର ଥାନା ଅନ୍ତର୍ଗତ ଟାପରାଙ୍ଗ, ମୋହନଗିରୀ ଉରଲାଦାନୀ,ମାଣିକେରା, ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ଦୀର୍ଘ ଦିନ ରୁ ରହିଆସିଛି। ସେମାନେ ନିଜର ଉପସ୍ଥିତି ଜାହିର କରିବା ପାଇଁ ବିଭିନ୍ନ ସମୟରେ ଧମକପୂର୍ଣ୍ଣ ପୋଷ୍ଟରମାନ ଲଗାଉଥିବା ବିଭିନ୍ନ ସମୟରେ ଦେଖିବାକୁ ମିଳିଥାଏ।ଗତ କିଛି ବର୍ଷ ତଳେ ବାରବନ୍ଧା ଜଙ୍ଗଲରେ ମାଓବାଦୀ ଓ ଯବାନ ମଧ୍ୟରେ ଗୁଳି ବିନିମୟ ରେ ୩ ମହିଳା ମାଓବାଦୀ ଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପଟେ ଗତବର୍ଷ ଡମ୍ବକରଲାଖୁଣ୍ଟା ନିକଟସ୍ଥ ଦୁଲେନ ଛକ ରାସ୍ତା କଡ଼ରେ ମାଓ ପୋଷ୍ଟର ଲାଗିଥିବା ଖବର ପାଇ ଖବର ସଂଗ୍ରହ ପାଇଁ ଯାଇଥିବା ଜଣେ ସାମ୍ବାଦିକ ଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ମୃତ୍ୟୁ ହୋଇଥିଲା। ନିକଟରେ ଛତିଶଗଡ଼ ଦାନ୍ତେବାଡା ଅଞ୍ଚଳରେ ମାଓବାଦୀ ଙ୍କ ବର୍ବର କାଣ୍ଡରେ ଏଗାର ପୋଲିସ ସହିଦ ହେବା ଫଳରେ ଛତିଶଗଡ଼ ରେ ପୋଲିସ ପକ୍ଷରୁ ବ୍ୟାପକ କୁମ୍ବିଂ ଅପରେସନ କରାଯାଉଥିବା ଯୋଗୁଁ ଆନ୍ଧ୍ର ଓ ଛତିଶଗଡର କ୍ୟାଡ଼ର ମାଓବାଦୀ ମାନେ ଓଡ଼ିଶାର ସୀମାବର୍ତ୍ତି ଅଞ୍ଚଳକୁ ପଶି ବିଭିନ୍ନ ସମୟରେ ନିଜର ଉପସ୍ଥିତି ଜାହିର କରିଥାନ୍ତି। ସଫଳ ମୁକାବିଲା କରୁଥିବା ଯୋଗୁଁ ପୋଲିସ କୁ ଏକ ବଡ଼ ଧରଣର ସଫଳତା ମିଳିଛି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..


