ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭିନ୍ନ ଏକ ମାଆ କସ୍ତୁରୀ ,  ୭୩ ଜଣ ଅନାଥ ଶିଶୁ ଙ୍କ ଜନନୀ

ନିଜ ଛୁଆକୁ ପର କରି ଅନାଥ ପିଲାଙ୍କୁ ନିଜର କରିଛନ୍ତି କସ୍ତୁରୀ ଜାଲ୍ , ଅନାଥାଶ୍ରମ ଗଢି ସୃଷ୍ଟି କରିଛନ୍ତି ଅନନ୍ୟ ଉଦାହରଣ….

କଳାହାଣ୍ଡି ଜିଲ୍ଲା ଧର୍ମଗଡ ନିକଟସ୍ଥ ଗମ୍ଭାରୀଗୁଡା ଗ୍ରାମର ଯଶୋଦା ଅନାଥ ଆଶ୍ରମ । ଧର୍ମଗଡରୁ ମାତ୍ର କିଛି ଦୁରରେ ଥିବା ଏହି ଅନାଥ ଆଶ୍ରମ କୋମଳମତି ଶିଶୁଙ୍କ ଭବିଷ୍ୟତ ଗଢିବାରେ ପ୍ରମୁଖ ଭୁମିକା ବହନ କରିଛି । ଆଶ୍ରମର ପ୍ରତିଷ୍ଠାତା ଶ୍ୟାମସୁନ୍ଦର ଜାଲଙ୍କ ଧର୍ମପତ୍ନୀ କସ୍ତୁରୀ ଜାଲ । ବୟସ ତାଙ୍କର ପାଖାପାଖି ୫୦ । ତାଙ୍କର ଜନ୍ମିତ ୩ଟି ସନ୍ତାନ ବ୍ୟତୀତ ତାଙ୍କ ପାଖରେ ଅଛନ୍ତି ୭୩ ଶିଶୁ । ବର୍ଷେ ନୁହେଁ ଦୁଇ ବର୍ଷ ନୁହେଁ ଦୀର୍ଘ ୩୫ ବର୍ଷ ହେଲା ଯଶୋଦା ମା କସ୍ତୁରୀ ନିଜେ ସ୍ନେହ ଓ ମମତାରେ ବାନ୍ଧି ରଖିଛନ୍ତି ସମସ୍ତଙ୍କୁ । ଅନାଥ ଅବସ୍ଥାରେ ରାସ୍ତା କଡରେ ପଡିଥିବା କୋମଳମତି ଶିଶୁ ମାନଙ୍କୁ ସାହାରା ଦେଇ ମା କସ୍ତୁରୀ ନିଜ ପରିଚୟରେ ସେମାନଙ୍କୁ ବଞ୍ଚିବାର ରାହା ଦେଖାଇଛନ୍ତି । ସେହି ଆଶ୍ରମରେ ରହୁଥିବା ଅନ୍ତେବାସୀ ମାନେ ଯେତେବେଳେ ସ୍କୁଲରେ ପାଦ ଥାପନ୍ତି ତାଙ୍କ ମାତାଙ୍କ ନାମ କସ୍ତୁରୀ ଜାଲ ଓ ପିତାଙ୍କ ନାମ ଶ୍ୟାମସୁନ୍ଦର ଜାଲ ଉଲ୍ଲେଖ ହୋଇଥାଏ । ନିଜର ପରିଚୟ ଦେଇ ଏହି ଦମ୍ପତି ୭୩ ଜଣ ଅନ୍ତେବାସୀଙ୍କ ଭବିଷ୍ୟତ ଗଢି ତୋଳିବାରେ ଲାଗି ପଡିଛନ୍ତି । ଶ୍ୟାମସୁନ୍ଦର ନିଜ ସ୍ୱର୍ଗତ ମାତା ଯଶୋଦାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମାତାଙ୍କ ନାମରେ ଏହି ଯଶୋଦା ଅନାଥ ଆଶ୍ରମ ପ୍ରତି । କରିଥିଲେ । ଏହି ଆଶ୍ରମରେ ଜାଲ ଦମ୍ପତ୍ତି ଅନାଥ ଶିଶୁ କନ୍ୟା ଓ ପୁତ୍ରଙ୍କୁ ରଖି ନିଜର ସନ୍ତାନ ଭଳି ଲାଳନ ପାଳନ କରୁଛନ୍ତି । ଏପରିକି ଏହି ମୋଟ ୭୩ ଜଣ ଅନ୍ତେବାସୀ ଙ୍କ ମଧ୍ୟରୁ ବରଗଡ଼ ରେ ୩ ,ଜଣ,ଭୁବନେଶ୍ୱର ରେ/୪ ଜଣ, କେସିଙ୍ଗା ରେ ଜଣେ,ଜୟପାଟଣା ରେ ଦୁଇଜଣ, ପାଠପଢ଼ୁ ଥିବା ବେଳେ ୧୭ ଜଣ ପୁଅ ଙ୍କୁ ବିବାହ କରି ବହୁ ଆଣିଥିବା ବେଳେ ୩୯ ଜଣ ଝିଅ ଙ୍କୁ ବିବାହ କରାଯାଇଛି ।ଅନ୍ୟପକ୍ଷରେ ବର୍ତ୍ତମାନ କିଛି ବର୍ଷ ହେବ ସରକାର ୪୪ ଜଣ ଅନ୍ତେବାସୀ ଙ୍କୁ ଥଇଥାନ ଦାଇତ୍ଵ ନେଇ ଥିବା ବେଳେ ବାକି ଅନ୍ୟ ଅନ୍ତେବାସୀ ଙ୍କ ଥଇଥାନ ଦାଇତ୍ୱ ଏହି ଦମ୍ପତି ନେଇଛନ୍ତି। ଅନ୍ୟ ଅନ୍ତେବାସୀ ଙ୍କ ପାଇଁ ସରକାର ସହଯୋଗ ର ହାତ ବଢ଼ାଇ ବାକୁ ଏହି ଦମ୍ପତି ସରକାର ଙ୍କୁ ଅନୁରୋଧ କରିଛନ୍ତି।

ନିଜ ସନ୍ତାନର ସବୁ କଥା ବୁଝିଲା ଭଳି ମା କସ୍ତୁରୀ ଏହି ଶିଶୁ ମାନଙ୍କ ଦୈନନ୍ଦୀନ କାମ କରି ବେଶ୍ ଖୁସି ଅନୁଭବ କରନ୍ତି । ଶ୍ୟାମସୁନ୍ଦର କୁଲି ମଜୁରି କରି ଏହି ବଡ ପରିବାର ପୋଷଣ କରୁଥିବା କଥା ଯେତେବେଳେ ଲୋକଲୋଚନକୁ ଆସିଲା, ସେହି ସମୟରେ ଆଶ୍ରମ ଉପରେ ପ୍ରଶାସନର ନଜର ପଡିଲା । ପ୍ରଶାସନର କିଛିଟା ସହଯୋଗ ଓ ଜାଲ ଦମ୍ପତ୍ତିଙ୍କ ସ୍ନେହରେ ଅନ୍ତେବାସୀ ମାନେ କଷ୍ଟେମଷ୍ଟେ ଚଳୁଥିବା ବେଳେ ଜିଲ୍ଲା ତଥା ଜିଲ୍ଲା ବାହାର କିଛି ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ଆଶ୍ରମ ଚାଲିଛି । ଏପରିକି ତତ୍କାଳିନ ସାଂସଦ ଭକ୍ତଚରଣ ଦାସ ଓ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓଙ୍କ ଅନୁଦାନ ପାଣ୍ଠିରୁ ଏଠାରେ ପକ୍କା ବାସଗୃହ ସହିତ ପାଚରେୀ ନିର୍ମାଣ କରାଯାଇପାରିଛି । ସାହାଯ୍ୟ, ସହଯୋଗ ଓ ଜାଲ ଦମ୍ପତ୍ତିଙ୍କ ପରିଶ୍ରମରୁ ଯେତିକି ମିଳୁଛି ସେତିକିରେ ଚଳି ଯାଉଛନ୍ତି ସମସ୍ତେ । ଏମିତି କୌଣସି ଜିନିଷ ନାହିଁ ଯେ ସେଥିରୁ ଅନ୍ତେବାସୀ ମାନେ ବଞ୍ଚିତ ହୋଇଥିବେ । ଚଳିବା ପାଇଁ ଯାହା ଦରକାର ତାହା ଯୋଗଇଛନ୍ତି ଜାଲ ଦମ୍ପତି । 

ବିଶେଷ କରି କସ୍ତୁରୀ ସେହି ଅନ୍ତେବାସୀଙ୍କୁ ସ୍ନେହର ଡୋରୀରେ ବାନ୍ଧି ଏମିତି ନୈତିକ ଶିକ୍ଷା ଦେଇଛନ୍ତି ଯେ ସେମାନେ ସେଠାରୁ ଦୁରେଇ ଯିବା କଥା ଭାବି ପାରୁ ନାହାନ୍ତି । ବାପା ମା ର ସ୍ନେହ ପାଉଥିବା ଅନ୍ତେବାସୀ ମାନେ ନିଜକୁ କେବେ ହେଲେ ଅନାଥ ବୋଲି ଭାବନ୍ତି ନାହିଁ । ଏହି ଅନ୍ତେବାସୀ ଓ କସ୍ତୁରୀଙ୍କ ମଧ୍ୟରେ ଏକ ନିବିଡ ସର୍ମ୍ପକ ଗଢି ଉଠିଛି । ମା ହୁଏତ ସ୍ରଷ୍ଟାଙ୍କ ପ୍ରଥମ ସୃଷ୍ଟି । ତା ନହେଲେ ଏ ଜୀବ ଜଗତ ତିଆରି ହୋଇ ପାରିନଥାନ୍ତି । ମାତୃତ୍ୱ ଲାଭକୁ ନାରୀ ଜନ୍ମର ସାର୍ଥକତା ରୁପେ ଗ୍ରହଣ କରୁଥିବା ବେଳେ ଦେବକୀ ମା ଙ୍କ ଠାରୁ ଯଶୋଦା ମା ମଧ୍ୟ କିଛି ଗୁଣରେ କମ ନଥୀବାର ଉଦାହରଣ ସୃଷ୍ଟି କରିଛନ୍ତି ଯଶୋଦା ଆଶ୍ରମର ଏହି ମା କସ୍ତୁରୀ ।  

ଉଲ୍ଲେଖନୀୟ ସେବା ପାଇଁ ୨୦୦୭ ମସିହାରେ ତାଙ୍କ ସ୍ୱାମୀ ଓ କସ୍ତୁରୀ ଜାଲଙ୍କୁ ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ତରଫରୁ ରାଜ୍ୟ ସ୍ୱୀକୃତି, ୨୦୦୮ ମସିହାରେ ପ୍ରଦ୍ୟୁମ୍ନ ବଳ ସ୍ମାରକି ସମ୍ମାନ, କଳାହାଣ୍ଡି ଉତ୍ସବରେ ଜିଲ୍ଲା ସ୍ତରୀୟ ସମ୍ମାନ, ରାଜ୍ୟ ସ୍ରରୀୟ ଗଡ ଫ୍ରେ ଫିଲିପ୍ସ ବ୍ରେଭେରୀ ଆୱାର୍ଡ, ପାଇଥିବା ବେଳେ ୨୦୧୪ ମସିହାରୁ ୨୦୧୬ ମସିହା ପର୍ଯ୍ୟନ୍ତ ସୋସିଆଲ ସର୍ଭିସ ଡେଭଲପମେଣ୍ଟ ଟ୍ରଷ୍ଟ ଭୁବନେଶ୍ୱର ତରଫରୁ ମଦର ଟେରେସା ସେବା ପୁରସ୍କାର, ମାନବାଧିକାର ମଞ୍ଚ ଭୁବନେଶ୍ୱର ତରଫରୁ ସମ୍ମାନ, ଚିନ୍ତା ଓ ଚେତନା ରାଷ୍ଟ୍ରୀୟ ସମ୍ମାନ, ଡ. ହରେକୃଷ୍ଣ ମହତାବ ସମ୍ମାନ, ଓଡିଶା ବିକାଶ ସମିତି ତରଫରୁ ପ୍ରବାସୀ ଓଡିଆ ସମ୍ମାନ ମହାବୀର ସାଂସ୍କୃତିକ ଅନୁ ।ନ ଭବାନୀପାଟଣା ତରଫରୁ ସମ୍ମାନ, କଳାହାଣ୍ଡି ଶିକ୍ଷା ବିକାଶ ପରିଷଦ, ରାଜ୍ୟ କଳା ଓ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଭଳି ଅନ୍ୟ ସଙ୍ଘ ତରଫରୁ ମା କସ୍ତୁରୀ ଓ ତାଙ୍କ ସ୍ୱାମୀ ଶ୍ୟାମ ସୁନ୍ଦର ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । 

‘ମାଆ’… ସଂସାରର ଯେତେ ଶ୍ରଦ୍ଧା- ମା’ଠୁ ଆରମ୍ଭ, ମା’ରେ ଶେଷ । ଜୀବନରେ ଯେତେ ଦୁଃଖ କଷ୍ଟ ଆସିଲେ ବି ମାଆ ଆଗରେ ସବୁ ତୁଚ୍ଛ ହେଇଯାଏ। ମାଆ ର ପ୍ରାର୍ଥନାରେ ଏତେ ଶକ୍ତି ଯେ ତାର ସନ୍ତାନ ନିକଟରେ ମୃତ୍ୟୁ ବି ଆସିବାକୁ ଭୟ କରେ । ଏହି ଦୁଇ ଅକ୍ଷରରୁ ହିଁ ଜୀବନର ଆରମ୍ଭ । ମାଆ ଥିଲେ ସଂସାରରେ ସବୁକିଛି ଥିଲା ପରି ଲାଗେ ।

କୁହାଯାଏ ଦୁନିଆରେ ସଭିଙ୍କ ଋଣ ସୁଝି ହେବ । କିନ୍ତୁ ମାଆର ଋଣ ମରିବା ଯାଏ କେବେ କେହି ଶୁଝି ପାରିବେ ନାହିଁ। ମାଆର ଭଲ ପାଇବା, ତ୍ୟାଗ, ଓ ତପସ୍ୟା ଆଗରେ ଆମେ କିଛି ବି କଲେ ତାହା ବହୁତ କମ୍‌ ପଡ଼ିଯିବ। ଆମକୁ ଏ ଦୁନିଆକୁ ଆଣିଥିବା ଓ ସମାଜରେ ଛିଡ଼ା କରାଇବାକୁ ନିଜକୁ ତିଳ ତିଳ ଜାଳିଥିବା ମାଆ ପ୍ରତି ସମ୍ମାନ ଓ ଭଲ ପାଇବା ପାଇଁ ଯୋଗ୍ୟା । ମାଆ କୁ ଭଲପାଇବା ଜାହିର କରିବା ଲାଗି ସେମିତିରେ ତ କିଛି ବିଶେଷ ଦିନର ଆବଶ୍ୟକତା ନାହିଁ। 

ଆଜି ‘ମଦର୍ସ ଡେ’ ରେ ଅନାଥ ପିଲାଙ୍କୁ ନିଜର କରିଥିବା ଯଶୋଦା ଅନାଥ ଆଶ୍ରମର ସେହି ମା କସ୍ତୁରୀ ଜାଲଙ୍କୁ କୋଟି କୋଟି ପ୍ରଣାମ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରଗଡ଼ି ଛକରେ ଅଷ୍ଟଶମ୍ଭୁ ପରିବା ବଜାର ଉଦଘାଟିତ

Sunil Chandra Nayak

ସ୍ବେଛାସେବୀ ମାନଙ୍କ ଦ୍ୱାରା ମାନବୀୟ କାର୍ଯ୍ୟ : ସବୁଠି ପ୍ରଶଂସା 

Sunil Chandra Nayak

ଏସଟିଏସସି ଙ୍କ ପ୍ରତି କେନ୍ଦ୍ର ସରକାର ଙ୍କ ଅବହେଳା କୁ ନେଇ ରାଜ୍ୟସଭା ରେ ଗର୍ଜିଲେ ସାଂସଦ ନିରଞ୍ଜନ ବିଶି

masiha

Leave a Comment

error: Content is protected !!