ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳବନ୍ଦୀ ଜୀବନରୁ ତ୍ରାହି ପାଇବେ ଇଦ୍ରାବତୀ ବୁଡି ଅଞ୍ଚଳ ବାସୀ

ଦେଶର କୋଣ ଅନୁକୋଣରେ କାହାକୁ ଅଜଣା ନାହିଁ ଏପରି ଏକ ନାମ କଳାହାଣ୍ଡି । ଦିନଥିଲା ମରୁଡି,ଦୁର୍ଭିକ୍ଷ,ଦାରିଦ୍ର୍ୟର ତାଡନାରେ ଏହି ଜିଲ୍ଲାର ଅଧିବାସୀ ଅତ୍ୟନ୍ତ ଦୁର୍ବିସହ ଜୀବନ ଜ୍ୟାପନ କରିଛନ୍ତି ।  

କିନ୍ତୁ ଆଜି ତାର ରୂପରେଖ ବଦଳି ଯାଇଛି । ଲୋକଙ୍କ ବଞ୍ଚିବାର ମାନଦଣ୍ଡ ବଦଳିଛି ବଦଳିଛି ଭୌଗଳିକ ଚିତ୍ର । ଏହାର ସମସ୍ତ ଶ୍ରେୟ ଯାଉଛି ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଉପରେ । ବିଦ୍ୟୁତ ଉତ୍ପାଦନ ସହ ଜଳସେଚନର ବ୍ୟବସ୍ଥା ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ଏକ ସବୁଜ ବୀପ୍ଳବ ସୃଷ୍ଟି କରାଯାଇ ପାରିଛି । ଅଥଚ ଏହି ପ୍ରକଳ୍ପର ମୂଳଦୁଆ ଥୁଆମୂଳ ରାମପୁର ବ୍ଲକରେ ପଡିଥିଲା । କିନ୍ତୁ ଅସଲ ଲାଭ ତଳ ଅଞ୍ଚଳ ପାଇ ପାରିଛି । ଥୁଆମୂଳ ରାମପୁରର ଅନେକ ଅଞ୍ଚଳ ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଲୀନ ହୋଇଗଲା । ଅନେକ ଲୋକ ନିଜ ଚାଷଜମି, ଘରଦ୍ଵାର ଭଳି ଭୂସମ୍ପତ୍ତି ହରାଇ ବିସ୍ଥାପିତ ହୋଇଗଲେ ।

ଶାଗମାଛ ମୁଲ୍ୟରେ ଏମାନଙ୍କ ସମ୍ପତ୍ତିର ମୂଲ୍ୟାୟନ କରି ବଞ୍ଚିବା ପାଇଁ ସହାୟତା ରାଶି ବଣ୍ଟନ ବ୍ୟବସ୍ଥା ହୋଇଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସିଛି । ବିସ୍ତିର୍ଣ୍ଣ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଏବେବି ପୋଡାପଦର ଗ୍ରାମ ପଞ୍ଚାୟତର ୧୬ ଖଣ୍ଡ ତିନୋଟି ରାଜସ୍ବ ଗ୍ରାମ ଓ ୧୩ ଖଣ୍ଡ ଉପଗ୍ରାମ ଓ ମାଳିଗାଁ ପଞ୍ଚାୟତର ଗୋଟିଏ ମାତ୍ର ଗାଁ ଇନ୍ଦ୍ରାବତୀ ଜଳଭଣ୍ଡାର ଯୋଗୁଁ ଜଳବନ୍ଦୀ ଜୀବନ ଜିଉଁଛନ୍ତି । ଏଥିପାଇଁ ବିଭିନ୍ନ ଗଣମାଧ୍ୟମରେ ପ୍ରତ୍ୟେକ ସମୟରେ ଖବର ପ୍ରକାଶିତ ହୋଇଥାଏ । କିନ୍ତୁ ଡେରିରେ ହେଉ ସରକାର ଏହି ବିଷମ ସଂକଟର ସମାଧାନ ବାହାର କରିଛନ୍ତି । ଇନ୍ଦ୍ରାବତୀ ନଦୀରେ ନିର୍ମାଣ ହେବାକୁ ଯାଉଛି ବିଜୁ ସେତୁ । ନିରୀହ ନିଷ୍ପେସିତ ଜନ ସାଧାରଣରେ ନୂତନ ଆଶା ସଞ୍ଚାର ହୋଇଛି । ଦୀର୍ଘଦିନର ଅପେକ୍ଷାର ଅନ୍ତ ହେବାକୁ ଯାଉଛି ।

କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ ଠାରୁ ମାତ୍ର ୭ କିଲୋମିଟର ଦୂରରେ ରହିଛି ଇନ୍ଦ୍ରାବତୀ ନଦୀ । ନଦୀ ଆଉ ନଦୀ ଆର ପଟେ ରହିଛି ୧୦ ଖଣ୍ଡ ଗ୍ରାମ । ନିକେଶ ଜୋର ଗାଁ ନିକଟରେ ଥିବା ଇନ୍ଦ୍ରାବତୀ ନଦୀ ପାର ହୋଇ ଲାଞ୍ଜିଗଡ଼, ତଳଝାପି ନିକେଶ ଜୋର ଭଳି ୧୦ ଖଣ୍ଡ ଗାଁର ଲୋକେ ଯିବା ଆସିବା କରି ଥାନ୍ତି । ଏହି ଅଞ୍ଚଳ ଗମନାଗମନ ପାଇଁ ଭଲ ରାସ୍ତା ଟିଏ ନଥିବା ବେଳେ କାଳ ସାଜିଛି ଇନ୍ଦ୍ରାବତୀ ନଦୀ ,କାରଣ ଗତ ୨ ବର୍ଷ ମଧ୍ୟରେ ନଦୀରେ ବୁଡି ୫ଜଣଙ୍କ ଜୀବନ ଚାଲି ଯାଇଛି।ବର୍ଷା ଦିନ ଆସିଲେ ଲୋକଙ୍କ ସମସ୍ୟା ଦୁଇଗୁଣ ବଢି ଯାଉଥିବା ବେଳେ ,ଜଳବନ୍ଦୀ ଜୀବନ ଯାପନ କରନ୍ତି ଆଞ୍ଚଳବାସୀ।ନଦୀରେ ପୋଲ ନଥିବା କାରଣରୁ ରୋଗୀ ଠିକ ସମୟରେ ମେଡ଼ିକାଲ ରେ ପହଞ୍ଚିପାରୁନଥିବା ବେଳେ, ଛାତ୍ରଛାତ୍ରୀ ସ୍କୁଲକୁ ମଧ୍ୟ ଯାଇ ପାରୁ ନାହାନ୍ତି ,ଫଳରେ ଦୁର୍ବିସହ ଜୀବନ ବିତାଉଛନ୍ତି ଆଞ୍ଚଳବାସୀ । ଦୀର୍ଘ ବର୍ଷ ଧରି ଆଞ୍ଚଳବାସୀ ଇନ୍ଦ୍ରାବତୀ ନଦୀରେ ପୋଲ ନିର୍ମାଣ ନେଇ ଦାବି କରି ଆସୁଥିଲେ । ଏହାର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ । ପ୍ରାୟ ୫ କୋଟି ବ୍ୟୟ ଅଟକଳରେ ଗୋଟିଏ ବର୍ଷ ମଧ୍ୟରେ ନିର୍ମାଣ ହେବ ବିଜୁ ସେତୁ । ଏନେଇ ଅଞ୍ଚଳ ବାସି ଏବଂ ବୁଦ୍ଧିଜୀବୀ ମହଲରେ ସାଧୁବାଦ ଦିଆଯାଇଛି ।

ଜଗମୋହନ ପଟ୍ଟନାୟକ, ବରିଷ୍ଠ ପତ୍ରକାର

Related posts

ନୂଆପଡା ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ l ଭୋଟିଂ ମେସିନ୍ , ଇ ଭି ଏମ୍ ଓ ଭି ଭି ପାଟ ର ପ୍ରଥମ ସ୍ତରୀୟ ତଦାରଖ ଆରମ୍ଭ 

Sunil Chandra Nayak

ହ୍ୟୁମାନିଟି ଫାଉଣ୍ଡେସନ ର ପ୍ରଥମ ବାର୍ଷିକୋତ୍ସବ ସମ୍ପନ୍ନ

masiha

ନୂଆପଡ଼ା ଜିଲ୍ଲା ପ୍ରତିଷ୍ଠା ଦିବସ ଦିନ ନୂଆପଡ଼ା ଜିଲ୍ଲାପାଳଙ୍କ ଭାରତୀୟ ପ୍ରଶାସନିକ ସେବାକୁ ପଦୋନ୍ନତି ସ୍ଵୀକୃତ 

masiha

Leave a Comment

error: Content is protected !!