ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ତଥା ଧର୍ମଗଡ ର ପୂର୍ବତନ ଉପଜିଲ୍ଲାପାଳ ଶ୍ରୀ ଭି.କେ. ପାଣ୍ଡିଆନ କଳାହାଣ୍ଡି ଗସ୍ତର ଦ୍ବିତୀୟ ଦିନରେ ଅନେକ ପ୍ରକଳ୍ପ ପରିଦର୍ଶନ କରି ତାର ଉନ୍ନତିକରଣ ପାଇଁ ପଦକ୍ଷେପ ନେଇଥିବା ବେଳେ ଗତକାଲି ଧର୍ମଗଡ ପୂର୍ତ୍ତ ବଙ୍ଗଳା ଠାରେ ରାତ୍ର ରହଣୀ ଅବସରରେ ବରିଷ୍ଠ ସାମ୍ବାଦିକ ହୃଷିକେଶ ମିଶ୍ର,ବିଦ୍ୟାଧର ସାହୁ, ବିରଞ୍ଚି ନାରାୟଣ ଜାଲ, ଅଂଶୁମାନ ପାତ୍ର ଓ ଇଙ୍ଗିତ କୁମାର ପଣ୍ଡା
ତାଙ୍କୁ ସାକ୍ଷାତ କରି ଧର୍ମଗଡ ସହରର ବିଭିନ୍ନ ସମସ୍ୟା ଓ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥଲେ। ଷ୍ଟାଡିୟମ ନିର୍ମାଣ, ଟାଉନହଲ ର ପୁନଃଉଦ୍ଧାର ଓ ଉନ୍ନତି କରଣ,ପଞ୍ଚାୟତ ଓ ମହିଳା ମହାବିଦ୍ୟାଳୟର ସାମଗ୍ରିକ ବିକାଶ,ସହରରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ପୁରୁଣା ଥାନା ଗୃହ ଠାରେ ଏକ ନୂତନ ଟାଉନ ଥାନା ପ୍ରତିଷ୍ଠା,ଧର୍ମଗଡ ସହରର ସୋନ୍ଦର୍ଯ୍ୟକରଣ ସହ
ଉପଯୁକ୍ତ ଡ୍ରେନେଜ୍ ବ୍ୟବସ୍ଥା, ଅପରାଧ ନିୟନ୍ତ୍ରଣ ପାଇଁ ସହରର ସମ୍ବେଦନଶିଳ ଛକରେ ସିସି ଟିଭି, ପ୍ରସ୍ତାବିତ ଆଇଆଇଟି କେନ୍ଦ୍ରର ନିର୍ମାଣ ଶୀଘ୍ର ଆରମ୍ଭ କରାଯିବା ସହ ଉଦଘାଟିତ ହୋଇଥିବା ବିଦ୍ୟୁତ୍ ଡିଭିଜନକୁ ଭବାନୀପାଟଣା ରୁ ଧର୍ମଗଡକୁ ଫେରାଇ ଆଣିବା ପାଇଁ ଆଲୋଚନା କରାଯାଇଥିଲା। ଧର୍ମଗଡର ସର୍ବ ପୂରାତନ ବ୍ରଜମୋହନ ପଞ୍ଚଦେବ ଶ୍ରୀ ରାଧାକୃଷ୍ଣ ମନ୍ଦିର ତଥା ନୟନ ସାଗର ର ବିକାଶ ଉପରେ ମଧ୍ୟ ୫ଟି ସେକ୍ରେଟାରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।
ଏଭଳି ଅନେକ ସମସ୍ୟା ନେଇ ଧର୍ମଗଡ ର ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ପକ୍ଷରୁ ଦାବୀ ପତ୍ର ହସ୍ତଗତ ହୋଇ ଥିବାରୁ ସେସବୁକୁ ଅନୁଧ୍ୟାନ କରି ଧର୍ମଗଡ ର ବିକାଶ ପାଇଁ ନିଶ୍ଚିତ ଭାବେ ପଦକ୍ଷେପ ନିଆଯିବ ବୋଲି ୫ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ପ୍ରତିଶ୍ରୁତି ଦେଇଥିଲେ।
ସୂଚନା ଯୋଗ୍ୟଯେ, ୫ଟି ସଚିବ ଭି.କେ. ପାଣ୍ଡିଆନ ଧର୍ମଗଡରେ ମା ଭଣ୍ଡାରଘରଣୀ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ ଏବଂ ଏହା ଅଧିକ ଉନ୍ନତି ପାଇଁ ପ୍ରସ୍ତାବ ଆହ୍ଵାନ ଦେଇଥିଲେ। ଗମ୍ଭାରୀଗୁଡା ଠାରେ ଯଶୋଦା ଅନାଥ ଆଶ୍ରମ ପରିଦର୍ଶନ କରି ସେଠାରେ ଅନ୍ତେବାସୀଙ୍କ ସହ ଆଲୋଚନା କରି ଆଶ୍ରମର ଉନ୍ନତି ପାଇଁ ପଦକ୍ଷେପ ନେବାକୁ ସ୍ଥାନୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଯଶୋଦା ଆଶ୍ରମରେ ଡାଇନିଂ, କମ୍ପ୍ୟୁଟର, ଲାଇବ୍ରେରୀ ଓ ପାର୍କର ବିକାଶ କରାଯିବ ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ।୫ଟି ସଚିବ ଯଶୋଦା ଆଶ୍ରମ ଅନ୍ତେବାସୀଙ୍କ ସହିତ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ।
ଏହା ବ୍ୟତୀତ ଧର୍ମଗଡ ସବ୍ଡିଭିଜିନାଲ ହସ୍ପିଟାଲ ପରିଦର୍ଶନ କରି ଶ୍ରୀ ପାଣ୍ଡିଆନ ସେଠାରେ ଚାଲିଥିବା ଆମ ହସ୍ପିଟାଲ କାର୍ଯ୍ୟକ୍ରମକୁ ସମୀକ୍ଷା କରିଥିଲେ ଏବଂ ୨୦୦୩ ମସିହାରେ ସେ ଉପଜିଲ୍ଲାପାଳ ଥିବା ସମୟରେ କାର୍ଯ୍ୟକ୍ଷମ ହୋଇଥିବା ରେଡକ୍ରସ ବ୍ଲଡ଼ ବ୍ୟାଙ୍କ କୁ ପରିଦର୍ଶନ କରିଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..


