ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୂର୍ତ୍ତ ବିଭାଗର ଦୂରଦୃଷ୍ଟିର ଅଭାବ, ରାସ୍ତା ସାଜିଛି କାଳ  

କିଡ଼ିଙ୍ଗ-ବଞ୍ଜାରି ଘାଟି ରାସ୍ତାରେ ଗଛ ପଡ଼ି ରାସ୍ତା ଅବରୋଧ

ରାଜ୍ୟ ରାଜପଥକୁ ଜାତୀୟ ରାଜପଥରେ ପରିଣତ କରାଯାଉ

ଲାଞ୍ଜିଗଡ଼,୧୧/୦୩(ମ.ନି.ସ)-କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗର ଠିକାଦାର ପୋଷାନୀତି ଓ ଚରମ ଦୂରଦୃଷ୍ଟିର ଅଭାବ ଯୋଗୁଁ ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ କିଡ଼ିଙ୍ଗଠାରୁ ଛତିକୁଡ଼ା ଛକ ଯାଏଁ ରାସ୍ତା ମରଣଯନ୍ତା ପାଲଟିଥିବା ଅଭିଯୋଗ ହେଉଛି । ଜିଲ୍ଲା ପୂର୍ତ୍ତ ବିଭାଗ ପକ୍ଷରୁ କିଡ଼ିଙ୍ଗଠାରୁ ଛତିକୁଡ଼ା ଛକ ଯାଏଁ ପ୍ରାୟ ୧୦ କିମି ରାସ୍ତାକୁ ଉଦ୍ଦେଶ୍ୟମୂଳକ ଭାବେ ଟେଣ୍ଡର ପ୍ରକ୍ରିୟାରୁ ବାଦ୍ ଦିଆଯାଇଥିବାବେଳେ ଏହି ରାସ୍ତା ସାରା ଶହଶହ ଖାଲଖମା ଭର୍ତ୍ତି ହୋଇଛି । ବିଭିନ୍ନ ସ୍ଥାନରେ ଏହି ରାସ୍ତା ସଂକୀର୍ଣ୍ଣ ଓ ଅଣଓସାରିଆ ହୋଇଥିବା ବେଳେ ଦୈନନ୍ଦିନ ଶହଶହ ଭାରୀଯାନ ଯାତାୟତ କରୁଥିବା ଏହି ଅନ୍ତଃରାଜ୍ୟ ରାଜପଥ ପ୍ରତି ମୁହୂର୍ତ୍ତରେ ସତେ ଯେମିତି ମରଣକୁ ହାତଠାରି ଡାକୁଛି । ଦିନାତିଦିନ ଏହି ରାସ୍ତାରେ ଛୋଟବଡ଼ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଥିବାବେଳେ ଅତୀତରେ ରାସ୍ତା ଯୋଗୁଁ ପୂର୍ତ୍ତ ବିଭାଗର ଜଣେ ଯନ୍ତ୍ରୀ ମଧ୍ୟ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଏହାସତ୍ତ୍ୱେ ବିଭାଗ ଚେତିବା ତ ଦୂରର କଥା, ବାରମ୍ବାର ଅଭିଯୋଗ କଲେ, ଜନ ଅସନ୍ତୋଷ ବୃଦ୍ଧି ପାଇଲେ କେବେ କ୍ରସର ଗୁଣ୍ଡ ତ କେବେ ନାମକୁ ମାତ୍ର ପେଚ୍ ୱାର୍କ୍ କରି ନିଜ ଦାୟିତ୍ୱ ସାରିଦେଉଛି । ଏପରିସ୍ଥଳେ ଏହି ରାସ୍ତାରେ ଏବେ ବିପଦ ଭାବେ ଠିଆ ହୋଇଛି ରାସ୍ତା କଡ଼ରେ ଥିବା ବିଶାଳକାୟ ଓ ପୁରୁଣା ଗଛ ସବୁ । ରାସ୍ତା କଡ଼ରେ ମୁଣ୍ଡ ଟେକି ଠିଆ ହୋଇଥିବା ଅନେକ ଗଛ ବହୁ ପୁରୁଣା ଓ ବିପଦ ସଂକୁଳ ହୋଇଥିଲେ ହେଁ ପୂର୍ତ୍ତ ବିଭାଗ ଏଥିପ୍ରତି ଆଦୌ ଦୃଷ୍ଟି ଦେଉନାହିଁ । ଯାହାଫଳରେ ଏହି ରାସ୍ତାର କିଡ଼ିଙ୍ଗ-ବଞ୍ଜାରି ଘାଟି ରାସ୍ତା ଉପରେ ଏକ ବିରାଟ ଗଛ ପଡ଼ିଯିବାରୁ ଦୀର୍ଘ ସମୟ ଯାଏଁ ରାସ୍ତା ଅବରୋଧ ହୋଇଥିଲା । ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ଯାନବାହନ ଅଟକି ରହିଥିବାବେଳେ ଘଟଣାସ୍ଥଳରେ ସିକେରକୁପା ପୁଲିସ ପହଞ୍ଚି ବ୍ୟବସ୍ଥା ସମ୍ଭାଳିଥିବାବେଳେ ନର୍ଲା ଅଗ୍ନିଶମ ବିଭାଗର କର୍ମଚାରୀମାନେ ରାସ୍ତା ଉପରୁ ଗଛ ହଟାଇବା ପରେ ଯାତାୟତ ସ୍ୱାଭାବିକ ହୋଇଛି । ଏଣୁ ଭବାନୀପାଟଣା-ରାୟଗଡ଼ା ରାଜ୍ୟ ରାଜପଥକୁ ଜାତୀୟ ରାଜପଥ ଭାବେ ଘୋଷଣା କରାଯିବା ସହିତ ଏହାକୁ ଚାରି କିମ୍ବା ଛଅ ଥାକିଆ ରାସ୍ତା କରାଯିବାକୁ ଏବେ ଦାବି ଜୋର ଧରିବାରେ ଲାଗିଛି ।

ଲାଞ୍ଜିଗଡ଼ରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ୍‌

Related posts

ଏ.ଆଇ.ଟି.ୟୁ.ସିର ରାଜ୍ୟ ସମ୍ମିଳନୀକୁ ସଫଳ କରିବାପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ବାଇଦାପୋଷୀ ଗ୍ରାମରେ ପିଇବା ପାଣି ପାଇଁ ଗ୍ରାମବାସୀ ହନ୍ତସନ୍ତ

Sunil Chandra Nayak

ଉମାକାନ୍ତ ଦାସ ଙ୍କ କବିତା ଉର୍ମିଳା

Leave a Comment

error: Content is protected !!