ପାପଡାହାଣ୍ଡି,7/6, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଗାଦବା କତରା ଗ୍ରାମରେ ମଙ୍ଗଳବାର ରାତିରେ ରକ୍ତାକ୍ତ ଅବସ୍ଥାରେ ଜଣେ ବୃଦ୍ଧାଙ୍କୁ ଗ୍ରାମବାସୀ ଓ ପୋଲିସର ସହାୟତାରେ ଉଦ୍ଧାର କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଉତ୍ତମ ଚିକିତ୍ସା ପାଇଁ ନେବା ସମୟରେ ବୃଦ୍ଧାଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ବୃଦ୍ଧାଙ୍କୁ ହତ୍ୟା ହୋଇଥିବା ନେଇ ମଇଦଲପୁର ଥାନାରେ ଗାଦବା କତରା ଗ୍ରାମର ଉଗ୍ରସେନ ହରିଜନ ଏତଲା ଦେଇଛନ୍ତି । ଏତଲା ମୁତାବକ ଗତ ଛଅ ତାରିଖ ରାତି ଆଠଟା ସମୟରେ ଗ୍ରାମର ବରଗଛରେ ସ୍ୱାତିପଦର ଗ୍ରାମର ରୂପାଦେଇ ଯାନୀ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ । ସେହି ବାଟ ଦେଇ ଗ୍ରାମର ଉଗ୍ରସେନ ହରିଜନ ଯାଉଥିବା ସମୟରେ ଦେଖି ପୋଲିସ କୁ ଖବର ଦେଇଥିଲେ ।ଉଭୟ ପୋଲିସ ଓ ଗ୍ରାମର କିଛି ଲୋକଙ୍କ ସହାୟତାରେ ପୋଲିସ ଗାଡ଼ିରେ ମଇଦଲପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ନେଇଥିଲେ । ଉତ୍ତମ ଚିକିତ୍ସା ପାଇଁ ୧୦୮ ଯୋଗେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ନେବା ସମୟରେ ଵୃଦ୍ଧା ଜଣକ ଗ୍ରାମର ଶିବ ଯାନୀ ତାଙ୍କୁ ମାରିଲେ ବୋଲି ଉଗ୍ରସେନଙ୍କୁ କହିଥିଲେ ଓ କିଛି ସମୟ ପରେ ରୂପାଦେଇଙ୍କ ମୃତ୍ୟୁ ହୋଇଥିଲା । ତାଙ୍କୁ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଶବ ଗୃହରେ ରଖାଯାଇଥିଲା | ବୁଧବାର ଏନେଇ ଉଗ୍ରସେନ ମଇଦଲପୁର ଥାନାରେ ଏକ ଏତଲା ଦେଇଛନ୍ତି ।ଏନେଇ ମଇଦଲପୁର ଥାନା ଅଧିକାରୀ କେସ ନଂ 84/23ରେ ମାମଲା ରୁଜୁ ଅଧିକ ତଦନ୍ତ ଜାରି ରଖିଛନ୍ତି ।
next post