ଡାବୁଗାଁ, ୨୪/୬ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଅଞ୍ଚଳା ପଞ୍ଚାୟତ ଅଞ୍ଚଳା ଗ୍ରାମରେ ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି l ଏଥିରେ ୧୮ ଜଣ ଆହତ ହୋଇ ଥିବା ବେଳେ ଏମାନଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି l ଗୁରୁତରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l ଏ ନେଇ ଦୁଇ ଗୋଷ୍ଠୀ ଡାବୁଗାଁ ଥାନାରେ ପୃଥକ ପୃଥକ ଏତଲା ଦେଇଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି l ସୂଚନାଯୋଗ୍ୟ:- ଅଞ୍ଚଳା ଗ୍ରାମର ଖଗପତି ଗୌଡ ଓ ସମ୍ପର୍କୀୟ ଭାଇ ପର୍ଶୁ ଗୌଡ ଙ୍କ ମଧ୍ୟରେ ପ୍ରାୟ ଏକ ବର୍ଷ ହେଲା ପ୍ରାୟ ୧୧ ଏକର ଜମି ଭାଗବଣ୍ଟା କୁ ନେଇ ବିବାଦ ଲାଗି ରହିଥିଲା l ଏଥି ପୂର୍ବରୁ ଗତ ବର୍ଷ ମଧ୍ୟ ଦୁଇ ଭାଇ ମଧ୍ୟରେ ଜମି ବିବାଦ ଦେଖା ଦେଇ ଗୋଷ୍ଠୀ ସଂଘର୍ଷ ହୋଇ ଉଭୟ ପକ୍ଷ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି l ଏପରିକି ମାମଲା କୋର୍ଟରେ ବିଚାରାଧୀନ ରହିଛି l ଶୁକ୍ରବାର ସକାଳ ୬ଟାରେ ଖଗପତି ଗୌଡଙ୍କ ପରିବାର ଲୋକ ନିଜ ଜମିରେ ହଳ କରିବା ପାଇଁ ଯାଇଥିଲେ l ତେବେ ଏହି ସମୟରେ ପର୍ଶୁ ଗୌଡଙ୍କ ଗୋଷ୍ଠୀ ଅଚାନକ ଜମିରେ ପହଞ୍ଚି ଗଣ୍ଡଗୋଳ ଆରମ୍ଭ କରିଥିଲେ l ଧୀରେ ଧୀରେ ଏହା ଉଗ୍ରରୂପ ଧାରଣ କରିଥିଲା l ଦୁଇ ଗୋଷ୍ଠୀ ମଧ୍ୟରେ ଟାଙ୍ଗିଆ ଓ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ ହୋଇଥିଲା l ଏଥିରେ ଉଭୟ ଗୋଷ୍ଠୀର ୧୮ ରୁ ଉର୍ଦ୍ଧ ଜଣ ଆହତ ହୋଇଥିଲେ l ସମସ୍ତ ଆହତଙ୍କୁ ତୁରନ୍ତ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା l ସ୍ଵାସ୍ଥ୍ଯ ଅବସ୍ଥା ଗୁରୁତର ଥିବାରୁ ଏମାନଙ୍କ ମଧ୍ୟରୁ ୯ ଜଣଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା l ଗୁରୁତ୍ତର ମାନେ ହେଲେ ପିପଲ ଗୌଡ, ହିରାବତି ଗୌଡ, କମଲ ଗୌଡ, ଜୟରାମ ଗୌଡ, ଭାସ୍କର ଗୌଡ, ପରମ ଗୌଡ, ତମସ ଗୌଡ, ଦୁର୍ଜନ ଗୌଡ ପ୍ରମୁଖ ଓ ଅନ୍ୟ ୯ ଜଣ ଆହତ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଛନ୍ତି l ଏ ନେଇ ଉଭୟ ପକ୍ଷରୁ ଡାବୁଗାଁ ଥାନାରେ ପୃଥକ ଏତଲା ଦିଆଯାଇ ଥିବାବେଳେ ଥାନା ମାମଲା ଯଥାକ୍ରମେ ୧୨୩୵୨୩ ଓ ୧୨୪୵୨୩ ରୁଜୁ କରି ପୋଲିସ ତଦନ୍ତ ଚାଲୁ ରହିଥିବା ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ ସୂଚନା ଦେଇଛନ୍ତି l