ମେଡିକାଲ କୁ ଆସୁଥିବା ବେଳେ ଗର୍ଭବତୀଙ୍କ ମୃତ୍ୟୁ
ଡାବୁଗାଁ, ୧୯/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ର ପାଲିଆ ପଞ୍ଚାୟତ ଅଧୀନ ବାସୁଦେବଗୁଡା ଗ୍ରାମର ଜଣେ ଗର୍ଭବତୀଙ୍କୁ ଡାକ୍ତରଖାନା ନେଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ଝରୀଗାଁ ବ୍ଲକ ପାଲିଆ ପଞ୍ଚାୟତ ଅଧିନ ବାସୁଦେବଗୁଡା ଗ୍ରାମର ନୀଳ କମର୍ଲା (୨୩) ଙ୍କ ସ୍ତ୍ରୀ ଗୋମତୀ କମର୍ଲା (୨୨) ପ୍ରଥମଥର ପାଇଁ ଗର୍ଭବତୀ ହୋଇଥିଲେ | ଚଳିତ ମାସ ୨୪ ତାରିଖ ପ୍ରସୂତି ପାଇଁ ସମୟ ଧାର୍ଯ୍ୟ କରିଥିଲେ ଡାକ୍ତର | କିନ୍ତୁ ସୋମବାର ବିଳମ୍ବିତ ରାତ୍ରିରେ ଗର୍ଭବତୀ ମହିଳାଙ୍କର ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା | ତାଙ୍କ ସ୍ଵାମୀ ଡାକ୍ତରଖାନାକୁ ଆଣିବା ପାଇଁ ଗ୍ରାମର ଥିବା ବୋଲେରୋ ଗାଡି ଭଡା କରି ମଙ୍ଗଳବାର ସକାଳ ୯ ଘ. ସମୟରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ | ସଙ୍ଗେ ସଙ୍ଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ଶୁଭାଶିଷ ସାହୁ ପରୀକ୍ଷା କରି ମହିଳାଙ୍କୁ ମୃତ ଘୋଷଣା କରିଥିଲେ | ଏନେଇ ମୃତକଙ୍କ ବଡବାପାଙ୍କ ପୁଅ ବିଶ୍ଵନାଥ ଗଣ୍ଡ ଝରିଗାଁ ଥାନାରେ ଅପରାହ୍ନ ରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏଏସଆଇ ରାମଚନ୍ଦ୍ର ନାୟକ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଝରିଗାଁ ଥାନା କେସ ନଂ ୨୯/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |