ଉତ୍କଳ ଦିବସ
ଅପ୍ରେଲ ଏକ ତ ଉତ୍କଳ ଦିବସ
କିଏ ବା ଦେବ ତା’ ମୂଲ,
ଗର୍ବିତ ମୁଁ ଓଡ଼ିଶା ମୋ ଜନ୍ମ ମାଟି
ତା’ ଆଗେ ସବୁ ଅମୂଲ l
ସ୍ମରଣ ଆସିଲେ ଉତ୍କଳ ଐତିହ୍ୟ
କୋହ ଭରା ହୁଏ ବକ୍ଷ,
ସବୁ ଲହୁ ପୁଣି ଲୁହ ହେଇ ଝରେ
ମାନେନି ଆଖିର ବନ୍ଧ l
ନାହିଁ ସିନା ଆଜି ଫିରିଙ୍ଗି ଶାସନ
ନାହିଁ ଜମିଦାରୀ କର,
କିନ୍ତୁ ଆଜି ଆମେ ସ୍ୱାଧୀନ ହୋଇ ବି ସ୍ୱାଭିମାନ ପରାଧୀନ l
ନାହାଁନ୍ତି ଆଜି ତ ଉତ୍କଳ ଗୌରବ
ନାହାଁନ୍ତି ଉତ୍କଳମଣି,
ଦୂଆତ ମୂନରେ ନୀତି ଶିକ୍ଷା ଦେବେ ଆତ୍ମ ଗର୍ବେ ବୁଡ଼ିଲେଣି l
ଜାଣନ୍ତିନି ଆମେ କେତେ କେତେ ବଡ଼
ଅଜ୍ଞାନୀ ପାଲଟିଛନ୍ତି,
ବାପା, ମାଆ ପରି ପବିତ୍ର ଶବ୍ଦକୁ
ମମି, ଡାଡି କରିଛନ୍ତି l
ଭୁଲିଛନ୍ତି ଆମେ ଭଞ୍ଜ କବି ଆଉ
ରାଧାନାଥଙ୍କର ବାଣୀ,
ଭୁଲିଛନ୍ତି ପୁଣି କଳା ସଂସ୍କୃତିକୁ
ଓଡ଼ିଶୀ, ଛାନ୍ଦ ଯେ ପୁଣି l
ନାହିଁ ସେ ଭାବନା ନାହିଁ ସେ ଚେତନା
ଉତ୍କଳୀୟ ଆମ୍ଭେ ବୋଲି,
ଯାହା ସଂସ୍କୃତିର ପ୍ରତୀକ ଅଟଇ
ନିଜେ ଜଗନ୍ନାଥ ହରି l
ଭରିଦିଅ ସେହି ପ୍ରାଚୀନ ସଂସ୍କାର
ସଭିଙ୍କ ମନ ଅନ୍ତରେ,
ନିଜ ଜୀବନକୁ ଆହୁତି କରିବା
ସମାଜର ଉପକାରେ l
ଜନମ ଭୂଇଁ ଯେ ଉତ୍କଳ ଆମର
ଏଇଠି ସବୁ ତ ଭରା,
କାହିଁକି ଖୋଜିବା କୋଉଠି ଖୋଜିବା
ଇଏ ଆମ ସ୍ୱର୍ଗ ପରା l
ଭୁଲିବାକୁ ଦେଵାନାହିଁ କାହା ମନୁ
କେବେ ତ ପଖାଳ କଂସା,
ହଜିବାକୁ ଦେଵାନାହିଁ ତ କେବେରେ
ଆମର ଓଡ଼ିଆ ଭାଷା l
ଗର୍ବରେ କହିବା ଥରୁଟେ ସମସ୍ତେ
ଆମେରେ ଓଡ଼ିଆ ପରା,
ଓଡ଼ିଆ ପୁଅର ବୀର ଗାଥା ଗାଇ
ପୂରାଇବା ମନ ଆଶା l
ତୁମେ ବି ଓଡ଼ିଆ ଆମେ ବି ଓଡ଼ିଆ
ଉତ୍କଳ ଆମରି ବାସ,
ପାଳିବାରେ ଆସ ସଭିଏଁ ତ ମିଶି
ଏଇ ଉତ୍କଳ ଦିବସ l
ଉତ୍କଳ ଦିବସ ଆସିଛି ଆଜିରେ
ଦେଉଛି ସ୍ମୃତିର ଭେଟି,
ଓଡ଼ିଆ ପୁଅ ତ ଆଜି ମୁଁ ଗର୍ବିତ
ଉତ୍କଳ ମୋ ଜନ୍ମମାଟି l
– ଶ୍ରୀ ଅଶୋକ କୁମାର ନାୟକ
ଗ୍ରାମ/ପୋଷ୍ଟ – କେନ୍ଦୁଢ଼ିପି
ଜିଲ୍ଲା – ନୟାଗଡ଼