ହରିବୋଲ ଭିମା ଦେବତାଙ୍କ ବାଲିଯାତ୍ରା ମହୋତ୍ସବ, ଭିମା ଦେବତା ଓ କନ୍ଧୁଣି ଦେବୀଙ୍କ ବିବାହ ସହ ଉଦଯାପିତ
କୋକସରା, // ପୂର୍ବ ପୁରୁଷ ପରମ୍ପରାରୁ ଆଦି ମଣିଷ ଆଦିମ ପରମ୍ପରାକୁ ଉଜ୍ଜୀବିତ କରି ରଖିଛନ୍ତି ତାଙ୍କ ବଂଶଜ ମାନେ। ପାଶ୍ଚାତ୍ୟ ସଭ୍ୟତାରେ ମଧ୍ୟ ବଦଳି ନାହିଁ ଏମାନଙ୍କ ପରମ୍ପରା, ସଂସ୍କୃତି ଓ ଚଳଣି, ଗାଁରେ ରୋଗ, ଶୋକ, ଦୁଃଖ, ବ୍ୟାଧିରୁ ଗାଁ କୁ ଦୁରେଇ ରଖିବା ସହ ଗାଁର ଚାଷବାସ, ମଙ୍ଗଳ କାମନା କରି ଆଜିବି ନିଜର ପୂର୍ବ ପୁରୁଷରୁ ଚାଲି ଆସିଥିବା ଦେବୀ ଦେବତାଙ୍କ ପାର୍ବଣକୁ ମହା ଆଡମ୍ବରରେ ପାଳନ କରି ଆସୁଛନ୍ତି ଗ୍ରାମବାସୀ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ବଙ୍ଗୋମୁଣ୍ଡା ଗ୍ରାମରେ ଦୀର୍ଘ ୩୦ ବର୍ଷ ପରେ ହରିବୋଲ ଭିମାଙ୍କ ବାଲିଯାତ୍ରା ମହୋତ୍ସବ ଗତ ୩ ମାସ ପୂର୍ବର ଆରମ୍ଭ ହୋଇଥିବା ବେଳେ ମଙ୍ଗଳବାର ବାଲିଯାତ୍ରା ମହୋତ୍ସବର ଉଦଯାପିତ ଉତ୍ସଵ ହରିବୋଲ ଭିମା ଓ କନ୍ଧେନ ଦେବୀଙ୍କ ବିବାହ ସହ ସମ୍ପନ୍ନ ହୋଇଯାଇଛି । ବଙ୍ଗୋମୁଣ୍ଡା ବାଲିଯାତ୍ରା କମିଟି ଠାରୁ ମିଲିଥିବା ସୂଚନା ଅନୁସାରେ ଚଲିତ ବର୍ଷ ବାଲିଯାତ୍ରା ପାଳନ ପାଇଁ ବଙ୍ଗୋମୁଣ୍ଡା ଗ୍ରାମବାସୀ ମାନେ ଏକ କମିଟି ଗଠନ କରି କିଛିମାସ ତଳେ ବୈଠକ କରି ବାଲିଯାତ୍ରା ଉତ୍ସଵ ପାଳନ କରିବାକୁ ସ୍ଥିର କରିଥିଲେ। ଗତ ଡିସେମ୍ବର ମାସରେ ବାଲିଯାତ୍ରା ପାଳନ କରିବା ପାଇଁ ବାଲିଯାତ୍ରାର ମୁଖ୍ୟ ପୁରୋଧା ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ର ମନିଷ ଗାଁର ଅର୍ଦ୍ଧନାରୀଶ୍ୱର ଗୁରୁମେ ଶ୍ରୀ ଲକ୍ଷିଧର ମାଝୀଙ୍କୁ ସ୍ୱାଗତ କରି ଗାଁରେ ଶୁଭଖମ୍ବ ସ୍ଥାପନ କରାଯାଇ ବାଲିଯାତ୍ରା ଆରମ୍ଭ ହୋଇଥିଲା । ଦୀର୍ଘ ତିନି ମାସ ଧରି ପ୍ରତିଦିନ ସନ୍ଧ୍ୟାରେ ବାଲିଯାତ୍ରାର ଅସ୍ଥାୟୀ ପୂଜାଘରରେ ଗୁରୁମେ ଗ୍ରାମ୍ୟ ଦେବାଦେବୀଙ୍କୁ ଆବାହନ କରିବା ପରେ କୁଆଁରୀ କନ୍ୟା ଓ ଶିରାଙ୍କ ଠାରେ କାଲିସି ଲାଗି ହୋଇ ବାଲିଯାତ୍ରା ପଡ଼ିଆରେ ନାଙ୍ଗରା ବାଜାରେ ନାଚିଗାଇ ଲୁହାର କଣ୍ଟା ଦୋଳି କାଳିଶିଙ୍କ ଝୁଲିବା ଦୃଶ୍ୟ ଦେଖିବାକୁ ପ୍ରବଳ ଜନ ସମାଗମ ହୋଇଥିଲା। ଏହା ମଧ୍ୟରେ ଭିମା ଦେବତାଙ୍କୁ ଗୁରୁମେ ପ୍ରତିଦିନ ପୂଜାର୍ଚ୍ଚନା ସହିତ ଭିମା ଜନ୍ମରୁ ବିବାହ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ବିଧି ମୁତାବକ ପୂଜାର୍ଚ୍ଚନା କରିଥିଲେ। ପରେ ଭିମା ଦେବତାଙ୍କ ପାଇଁ କନ୍ୟା ଖୋଜା ହୋଇଥିଲା । ଭିମା ଦେବତାଙ୍କ ବିବାହ ପ୍ରସ୍ତାବ କନ୍ଧେନ ଦେବୀଙ୍କ ସହ ହେବାସହ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିଲା। ହରିବୋଲ ଭିମା ଓ କନ୍ଧେନ ଦେବୀଙ୍କ ବିବାହ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଦେବାଦେବୀ ସହ ପୂଜକ ଓ କାଲିଶି ଲାଗିଥିବା ଝିଅମାନେ ସୋମବାର ଭିମା ଖୁଣ୍ଟକୁ ନେଇ ଗ୍ରାମର ନିକଟସ୍ଥ ଏକ ପୋଖରୀରେ ଲୁଚାଇଥିଲେ । ମଙ୍ଗଳବାର ମଧ୍ୟାହ୍ନରେ ଦେବାଦେବୀଙ୍କ ଲାଠି କୁର୍ଚ୍ଚି, ପୁଜକ, କାଲିସି ଓ ଗ୍ରାମର ଶତାଧିକ ଗ୍ରାମବାସୀ ମାନେ ପୋଖରିକୁ ଯାଇ ଲୁଚା ଯାଇଥିବା ଖୁଣ୍ଟକୁ ପୋଖରୀ ପାଣିରୁ ଖୋଜି ବାହାର କରିବା ପରେ ପୁଣିଥରେ ବାଲିଯାତ୍ରା ପଡ଼ିଆକୁ ପହଞ୍ଚି ଥିଲେ। ପରେ ଅପରାହ୍ନରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବାଲିଯାତ୍ରା ପୀଠରେ ଥିବା ଦେବୀ ଖୁଣ୍ଟ ସମ୍ମୁଖରେ ଭିମା ଓ କନ୍ଧୁଣି କନ୍ୟାକୁ ବସାଇ ରୀତିନୀତି ଅନୁଯାୟୀ ହଳଦୀ ଖେଳ ଓ ଅନ୍ୟ ରୀତିନୀତିରେ ବିବାହ କରି ବନ୍ଧାପଣା ନାଚଗୀତ କରିଥିଲେ। ଏହାପରେ ସଂଧ୍ୟାରେ ଏକ ପଶୁକୁ ବଳି ଦିଆଯାଇଥିଲା ଓ ବିବାହରେ ଆସିଥିବା ବନ୍ଧୁ ବାନ୍ଧବ, ଅତିଥୀଙ୍କୁ ଭୋଜିଭାତରେ ଆପ୍ୟାୟିତ କରିଥିଲେ।ଦୀର୍ଘ ୩ ମାସ ଧରି ଚାଲିଥିବା ବାଲିଯାତ୍ରା କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ବିଜୟଦେଵ ସାହୁ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଅତିଥି ଭାବେ ଯୋଗ ଦେଇଥିଲେ। ଗ୍ରାମ ପୁଜକ ଜିତେନ୍ଦ୍ର ପୁଝାରି, ହର ପ୍ରସାଦ ପୁଝାରି, ମଧୁସୂଦନ ପୁଝାରି ଦେବାଦେବୀଙ୍କ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ବାଲିଯାତ୍ରା ଗ୍ରାମ୍ୟ ପୂଜା କମିଟିର ସଭାପତି କ୍ଷୀରସିନ୍ଧୁ ମାଝୀ, ସମ୍ପାଦକ ଜଗଦୀଶ ଗହୀର, ସହ ସମ୍ପାଦକ ଝଜନେଶ୍ବର ନାଏକ ,କୋଷାଧ୍ୟକ୍ଷ କବିରାଜ ଦଳପତି, ଦେବରାଜ ଦଳପତି, ଗ୍ରାମ ଗୌନ୍ତିଆ ଡବଲ ମାଝୀ, ଭଣ୍ଡାର ରକ୍ଷକ ଚନ୍ଦ୍ର ଶେଖର ମାଝୀ, ନିରଞ୍ଜନ ଦଳପତି, ହେମାଞ୍ଚଳ ଦଳପତି, ଦୀନବନ୍ଧୁ ପୁଝାରି, ପୁରୁଷୋତ୍ତମ ନାଏକ, ଜଗନ୍ନାଥ ଦଳପତି, ଦିବାକର ମାଝୀ, ଭଗବାନ ପୂଝାରି, ମଣି ରାମ ଛତ୍ରୀଆ ଓ ବଙ୍ଗୋମୁଣ୍ଡା ଗ୍ରାମବାସୀ ମାନେ ସହଯୋଗ କରିଥିଲେ। ଏହି ବାଲିଯାତ୍ରା ଉତ୍ସଵ ଦେଖିବାକୁ ୩ ହଜାରରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।