ଵସନ୍ତ ଆଗମନୀ ଗୀତିକା
॥୧॥
ଅବତରି ଆସି ଅବନି ଉତ୍ସଙ୍ଗେ
ବସନ୍ତ ମୁରୁଜ ବୁଣି,
ଧରାକୁ ସୌନ୍ଦର୍ଯ୍ୟ ବିମଣ୍ଡିତ କରି
ହୃଦୟକୁ ନେଲା କିଣି l
॥ ୨॥
ମୁରୁକି ମୁରୁକି ହସେ ଚତୁର୍ଦିଶ
ସପ୍ତରଙ୍ଗ ବୋଳି ହୋଇ ,
ଫଗୁଣ ହାତରେ ଧରି ପିଚକାରୀ
ସତେ କି ଦେଲା ରଙ୍ଗେଇ l
॥ ୩॥
ମଳୟରେ ଭାସେ ପ୍ରସୂନ ସୁଗନ୍ଧ
ପ୍ରଣୟ ବାରତା ଦେଇ,
ବନ୍ଧୁ ପରିଜନ ଆନନ୍ଦ ଲଭିଲେ
ବସନ୍ତ ସଙ୍ଗୀତ ଗାଇ l
॥ ୪॥
ଜାତି ଧର୍ମ ବର୍ଣ୍ଣ ସର୍ବେ ଭୁଲିଯାଇ
ଭ୍ରାତୃତ୍ଵ ସନ୍ଦେଶ ପାଳି,
ବରଷ କେ ଥରେ ରଙ୍ଗର ପରବେ
ହେଲେ ପ୍ରେମେ କୋଳାକୋଳି l
॥ ୫॥
ଜୀବନରେ ସାରା ଦୁଃଖ କଷ୍ଟ ଲୁପ୍ତ
ଫଗୁଣର ସରୋବରେ,
ବେରଙ୍ଗୀ ଅବିର ତାକୁ ଧୋଇଦେଇ
ଖୁସିର ସମ୍ଭାର ଭରେ l
॥ ୬॥
ନାଚ ଗୀତ ଗାଇ ମିଷ୍ଟାନ୍ନ ବାଣ୍ଟିଣ
ପାଳିଥାନ୍ତି ଏହି ଦିନ,
ହୋଲି ପରଶରେ ଜନ ମନ ପ୍ରାଣ
ହୋଇଥାଏ ପ୍ରୀତିପୂର୍ଣ୍ଣ ll
ସ୍ଵାଗତିକା ମିଶ୍ର
କଣ୍ଟାବାଞ୍ଜି (ବଲାଙ୍ଗୀର)
ତାରିଖ :-19.03.22