ଦାଦନ ଗଡରେ ବଢି ଚାଲିଛି ଦାଦନ ମୃତ୍ୟୁ ! ନିଦାବିଷ୍ଣୁ ଶ୍ରମ ବିଭାଗ
ବଲାଙ୍ଗୀର ,୨୯/୦୨, ପୁଲିସ, ପ୍ରଶାସନ ଓ ଶ୍ରମ ବିଭାଗର ବାରମ୍ବାର ସଚେତନତା ସତ୍ତ୍ୱେ ଦାଦନ ସମସ୍ୟା ସମାଧାନ ହେଉନାହିଁ । ବିଶେଷ କରି ନିର୍ଯାତନାର ଶିକାର ହେଉଥିବା ଶ୍ରମିକ ବିନା ପଞ୍ଜୀକରଣରେ ଯାଉଥିବା ଜଣାପଡ଼ିଛି । ଶ୍ରମ ଅଧିକାରୀ ଓ ବିଭାଗୀୟ କର୍ମଚାରୀଙ୍କ ଅବହେଳା କାରଣରୁ ଅସାଧୁ ସର୍ଦ୍ଦାରମାନେ ଏହାର ଭରପୁର ଫାଇଦା ଉଠାଉଛନ୍ତି। ଅଣ ପଞ୍ଜିକୃତ ଶ୍ରମିକଙ୍କୁ ପ୍ରଲୋଭିତ କରି ରାଜ୍ୟ ବାହାରକୁ ପଠାଉଥିବା ଅଭିଯୋଗ ହେଉଛି । ମାଲିକ ପାଖରେ କିଛି ଦିନ କାମ କଲାପରେ ମାଲିକ ଅତ୍ୟଧିକ କାମ ଆଦାୟ ସହ ନିର୍ଯାତନା ଦେବା ଆରମ୍ଭ କରିଦେଉଛି । ଫଳରେ ଅନେକ ଶ୍ରମିକ ଜୀବନ ହରାଉଥିବା ମଧ୍ୟ ଉଦାହରଣ ରହିଛି । ଶ୍ରମିକ ସମ୍ବନ୍ଧୀୟ ତଥ୍ୟ ଜିଲା ଶ୍ରମ ବିଭାଗ ପାଖରୁ ସହଜରେ ଉପଲବ୍ଧ ହେଉ ନଥିବା ବେଳେ କୌଣସି ଖବର ପ୍ରକାଶିତ ହେଲେ ଜିଲା ଶ୍ରମ ଅଧୂକାରୀ ଗରଗର ହେଉଥିବା ସୂଚନା ମିଳିଛି । ଜିଲାରୁ ରାଜ୍ୟ ବାହାରକୁ ଯାଉଥିବା ଶ୍ରମିକଙ୍କ ପଞ୍ଜୀକରଣ ବାଧ୍ୟତାମୂଳକ କରିବାକୁ ଶ୍ରମ ବିଭାଗ ସୁନିଶ୍ଚିତ କରିବା ଆବଶ୍ୟକ କିନ୍ତୁ ଏବେ ମଧ୍ୟ ତାହା ହେଉନାହିଁ । ଗତ କିଛି ଦିନ ଆଗରୁ ବେଲପଡ଼ା ବ୍ଲକ ସୁଲେକେଲା ଗ୍ରାମର କାହ୍ନୁ ମଲ୍ଲିକ ହାଇଦ୍ରାବାଦ ସାତନଗର ଅଞ୍ଚଳକୁ ଦାଦନ ଖଟିବାକୁ ଯାଇଥିଲେ । ଅତ୍ୟଧିକ କାମ ହେବାରୁ ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିଲା । ପରେ ଇଟାଭାଟି ମାଲିକ ତାଙ୍କ ଝିଅକୁ ବନ୍ଧକ ରଖି କାହ୍ନୁ କୁ ଚିକିତ୍ସା ନ କରି ଘରକୁ ପଠାଇ ଦେଇଥିଲେ। ଫଳରେ କାହ୍ନୂର୍ ମୃତ୍ୟୁ ଘଟିଥିଲା। ବର୍ତମାନ ଏହି ବେଲପଡ଼ା ବ୍ଲକ ବେଛୁବାହାଲି ଗ୍ରାମର ରୂପଧର ମାଝି ବୟସ (୨୪) ଦାଦନ ଖଟିବାକୁ ସାତନଗର ହାଇଦ୍ରାବାଦକୁ ଯାଇଥିଲେ । ସେଠି କାର୍ଯ୍ୟରତ ଥିବା ସମୟରେ ତାଙ୍କ ପେଟରେ ଦରଦ ହେବା ଫଳରେ ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲା । ସେଠି ତାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ସ୍ତ୍ରୀ ଏବଂ ୨ ଛୁଆ ଏକ ଆମ୍ବୁଲାନ୍ସ ସାହାଯ୍ୟରେ ହାଇଦ୍ରାବାଦରୁ ତାଙ୍କ ସବ ନେଇ ବେଛୁବାହାଲି ପହଞ୍ଚିଛନ୍ତି । ରୁପଧର ମାଝି ଗତ ବର୍ଷ ନୂଆଖାଇ ସରିଲା ପରେ ଦାଦନ ଖଟିବା ପାଇଁ ହାଇଦ୍ରାବାଦ ସାତନଗର ଅଂଚଳର ଏକ ଇଟା ଭାଟି କୁ ଯାଇଥିଲେ । ସେ ପ୍ରଥମ ଥର ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟ ଯାଇଥିଲେ । ସେଠି ଅତ୍ୟଧିକ କାମ ହୋଇ ଯିବାରୁ ଦିନକୁ ଦିନ ତାଙ୍କ ଦେହ ଖରାପ ହେବାରେ ଲାଗିଲା । ପରେ ତାଙ୍କ ମୃତ୍ୟୁ ଘଟିଥିଲା। ଏଭଳି ଅନେକ ଦାଦନ ବାହାର ରାଜ୍ୟକୁ ଯାଇ ସବ ହୋଇ ଫେରୁଛନ୍ତି । ହେଲେ ହାତ ବାନ୍ଧି ବସିଛି ଶ୍ରମ ବିଭାଗ। ଏହି ଦାଦନ କାଗଜ ପତ୍ର କରି ବାହାର ରାଜ୍ୟକୁ ଚାଲାଣ କରାଯାଇଥିଲା ନା ବେଆଇନ ଭାବରେ ଚାଲାଣ କରାଯାଇଥିଲା ତାହା ତଦନ୍ତ ସାପେକ୍ଷ ଅଟେ । ବର୍ତ୍ତମାନ୍ ଘଟଣା ସ୍ଥଳରେ ବେଲପଡା ପୋଲିସ ପହଞ୍ଚିଥିବା ଦେଖିବାକୁ ମିଲିଛି । ପରିବାର ଲୋକେ ସହାୟତା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି।