ହୁଳହୁଳି
ଶବ୍ଦ ବ୍ରହ୍ମ ନାଦ ଶାନ୍ତି ଦିଏ ମନେ
ଆଧ୍ୟାତ୍ମ ଚେତନା ଭରେ
ସେହି ଶବ୍ଦ ପୁଣି ମଣିଷ ମାନସେ
କ୍ରୋଧେ ଉତେଜିତ କରେ ||
ସେହି ଶବ୍ଦ ଅଛି ଉଚ୍ଚାରଣ କଲେ
ମୋକ୍ଷଦ୍ୱାର ଯାଏ ନିଏ
ସେହି ଶବ୍ଦ ଯୋଗୁଁ ଶାନ୍ତ ପରିବେଶ
ଅଶାନ୍ତ ଯେ ହୋଇ ଯାଏ ||
ହୁଳୁହୁଳି ଏକ ଶବ୍ଦ ବ୍ରହ୍ମ ଅଟେ
ଭକ୍ତି ଭାବ ମନେ ଜାଗେ
ମାତୃ ଜାତି ମୁଖେ ଓଷା ବ୍ରତ ବେଳେ
ମଙ୍ଗଳିକ କାର୍ଯ୍ୟ ଭାଗେ ||
ଆମ ପରମ୍ପରା ସାଥେ ହୁଳହୁଳି
ହରିବୋଲ ଶଙ୍ଖ ଧ୍ଵନି
ଶୁଭକାମେ ଏହି ହର୍ଷଧ୍ଵନି ଦେଇ
ପବିତ୍ର ଭାବକୁ ଆଣି ||
ସ୍ୱାଗତ ବେଳରେ ଧୂପ ଦୀପ ପୁଷ୍ପେ
ହୁଳହୁଳି ଦେଇଥାନ୍ତି
ଲଷ୍ମୀ ସରସ୍ବତୀ ନାରୀ ମୁଖେ ବସି
ସର୍ବ ଶୁଭ ମନାସନ୍ତି ||
ହରିବୋଲ ସାଥେ ହୁଳହୁଳି ଦେଇ
ମଙ୍ଗଳିକ କାର୍ଯ୍ୟ କଲେ
ସନ୍ତୁଷ୍ଟ ହୁଅନ୍ତି ସର୍ବ ଦେବା ଦେବୀ
ଆଶିଷ ମିଳଇ ଭଲେ ||
~~~~~~~~~~~~~~~~
ରତିନାରାୟଣ ରାଉତ |
ହରିଚନ୍ଦନପୁର, କେନ୍ଦୁଝର, ଓଡିଶା