ଫୁଲ ଫୁଟା ଫଗୁଣ
ଚୁଆ ଚନ୍ଦନର ଚଇତାଳି ତମେ
ଝରା ବଉଳର ବାସ
କୃଷ୍ଣଚୁଡାର କମ୍ର ଅଧରରେ
ମୋନାଲିସାର ହସ
ଋତୁରେ ଫଗୁଣ ମାସ
ମଧୁମଳୟର ମୃଦୁ ହିଲ୍ଳୋଳରେ
କନକଚମ୍ପାର ରାସ ।
ପଦ୍ମପଳାଶର ପାଖୁଡାରେ ତମେ
ରଂଗ ଅବିରର ରେଣୁ
ରକ୍ତ କରବୀର ଲଲାଟ ସିନ୍ଦୁର
ଗୋଧୂଳୀସଂଧ୍ୟାର ବେଣୁ
ବୄନ୍ଦାବନ କୁଞ୍ଜ ରାଇ
ରଙ୍ଗ ଅବିରର ବର୍ଣ୍ଣାଳୀ ଭିତରେ
ଉଜାଣି ଯମୁନା ନଈ ।
ମନହଂସପୁର ବନପିକ ତମେ
ତନ୍ମୟ ବୀଣାର ସୁର
ହଳଦୀବସନ୍ତ ଛାତିରେ ଲାଗିଛି
କାହା ପିଚକାରୀ ଧାର
ରଂଗ ଅବିରକୁ ଗୋଳି
ଆନମନା ତମ ଅନନ୍ୟା ତନୁରେ
ରଂଗ କେ ଦେଇଛି ବୋଳି ।
ଜୋଛନାନିଆଁରେ ଜଳୁଛି ତମର
ଜଉମୁଦ ଦିଆ ଚିଠି
ଫଗୁଣ ଢ଼ାଳୁଛି ପ୍ରଣୟ ତଇଳ
ରହିପାରୁନି ମୁଁ ଏଠି
ଅମାନିଆ ରଂଗ ହୋଲି
ଲାଜ ସରମକୁ ଛଡେଇ ନେଇଛି
ବସନ୍ତ ଆସୁଛି ବୋଲି ।
କାଙ୍ଗାଳୀ ଚରଣ ସେଠୀ
ଯାଜପୁର