ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁ ଧର ସୁତାର ଙ୍କ କବିତା – ବସନ୍ତେ ରଙ୍ଗ ର ହୋଲି

ବସନ୍ତେ ରଙ୍ଗର ହୋଲି 

     ବେଣୁଧର ସୂତାର

 

ଯାଦୁ ନଗରୀର କୁହୁକ ପସରା

ଧରାରେ ବସନ୍ତ ଦେଇଛି ମେଲି

ସପନ ଫଗୁଣ ରୂପ ତରଙ୍ଗରେ

ପ୍ରୀତିରାସ ଛନ୍ଦ ତୋଳେ ରଙ୍ଗୋଲି

       ଚମକଇ ଚନ୍ଦ୍ରମଲ୍ଲୀ

ଫଗୁ ସାତରଙ୍ଗେ ଝୁମଇ ପ୍ରକୃତି

ଧରାରେ ବସନ୍ତ ଆସିଛି ବୋଲି ।।

 

ଚୋରା ମଳୟର ଚାରୁ ଚୁମ୍ବନରେ

ମହୁଲି ମାଦକ ତନୁରେ ଭରେ

ସହକାର କୁଞ୍ଜ ମୁକୁଳ ମଧୁର 

ମହମହ ବାସ୍ନା ମନକୁ ହରେ

     ମାଧୁର୍ଯ୍ୟ ମଧୁର ସୁରେ

ତନୁ ସୁକୁମାରୀ କୁସୁମ ମାଧୁରୀ

ଚାରୁ ଅଧରରୁ ଅମୃତ ଝରେ ।।

ଫୁଲ ଫଗୁଣର ପ୍ରୀତି ମନୋହର

ପ୍ରଣୟ ପରାଗ ମିଠା ସପନ

ରଙ୍ଗ ପଳାଶର ରୂପ ରୋଷଣିରେ

ଧରା ସାଜିଅଛି ନନ୍ଦନ ବନ

       କୋକିଳ ସ୍ବାଗତ ଗାନ

ପ୍ରୀତି ଫଲ୍ଗୁ ଧାରେ ତନୁମନ ହରେ

ମଧୁ ବସନ୍ତର ଏ ସମ୍ମୋହନ ।।

 

ଚାରୁ ଗୋଧୂଳିର ଚୁନାଚୁନା ରେଣୁ

ଅସ୍ତରାଗ ଝରା ରଙ୍ଗ ହିଲ୍ଲୋଳେ

ରକ୍ତକୃଷ୍ଣଚୂଡା ଲଲାମ ଅଧରେ

ପ୍ରେମ ପୀୟୂଷର ଧାରା ଉଛୁଳେ

        ପ୍ରଣୟ ଦୀପିକା ଜାଳେ

ଏ ମଧୁ ଯାମିନୀ ପ୍ରୀତି ମନ୍ଦାକିନୀ

ନୈଶ୍ୟ ଅଭିସାରେ ମୂର୍ଚ୍ଛନାତୋଳେ।।

ସୁଷମା ମଂଜୁଳ ପ୍ରକୃତିର କୋଳ

ଲୋଭନୀୟ ଶୋଭା ଏମହୀ ପୁର

ପ୍ରୀତି ସମ୍ମୋହନେ ଧରିତ୍ରୀଅଙ୍ଗନେ

ବସନ୍ତ ବୋଳିଛି ରଙ୍ଗ ଅବିର

      ରୂପ ରସ ସମାହାର

ଚାରୁ ପ୍ରକୃତିର ହସ ମାଧୁରୀମା

ପ୍ରୀତି ରାସମୟ ମହକ ଝର ।।

 

ଭୂମି ଠାରୁ ଭୂମା ବିଚିତ୍ର ଉପମା

ସତେ ମାଧୁର୍ଯ୍ୟର ସ୍ବପ୍ନ ନଗରୀ

ଧରା ପ୍ରାଣବନ୍ତ କରିଛି ବସନ୍ତ

ରଙ୍ଗେଇ ଦେଇଛି ରୂପ ମାଧୁରୀ

       ସୁଷମା ମୃଦୁ ମଞ୍ଜୁରୀ

ହୋଲି ରଙ୍ଗୋଲିର 

                    ଭବ୍ୟ ଉପହାରେ

ସାଜିଛି ମରତ ଅଳକାପୁରୀ ।।

କେଶଦୁରାପାଳ କେନ୍ଦୁଝର

 

Related posts

ପାନୀୟ ଜଳ ପାଇଁ ରାସ୍ତା ଅବରୋଧ କଲେ ମହିଳା ସମେତ ଗ୍ରାମବାସୀ

Sunil Chandra Nayak

ଢେଙ୍କାନାଳ ଖମାର ସାହି ସେବାଶ୍ରମ ସ୍କୁଲ ଉଚ୍ଛେଦକୁ ନେଇ ଉତ୍ତେଜନା, ଉଛେଦକୁ ସ୍ଥଗିତ ରଖିଲା ପ୍ରଶାସନ

Sunil Chandra Nayak

କଳାହାଣ୍ଡି ରେ ରବି ଋତୁ ଧାନ ସଂଗ୍ରହ ମଣ୍ଡି ଆରମ୍ଭ

Leave a Comment

error: Content is protected !!