ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁ ଧର ସୁତାର ଙ୍କ କବିତା – ବସନ୍ତେ ରଙ୍ଗ ର ହୋଲି

ବସନ୍ତେ ରଙ୍ଗର ହୋଲି 

     ବେଣୁଧର ସୂତାର

 

ଯାଦୁ ନଗରୀର କୁହୁକ ପସରା

ଧରାରେ ବସନ୍ତ ଦେଇଛି ମେଲି

ସପନ ଫଗୁଣ ରୂପ ତରଙ୍ଗରେ

ପ୍ରୀତିରାସ ଛନ୍ଦ ତୋଳେ ରଙ୍ଗୋଲି

       ଚମକଇ ଚନ୍ଦ୍ରମଲ୍ଲୀ

ଫଗୁ ସାତରଙ୍ଗେ ଝୁମଇ ପ୍ରକୃତି

ଧରାରେ ବସନ୍ତ ଆସିଛି ବୋଲି ।।

 

ଚୋରା ମଳୟର ଚାରୁ ଚୁମ୍ବନରେ

ମହୁଲି ମାଦକ ତନୁରେ ଭରେ

ସହକାର କୁଞ୍ଜ ମୁକୁଳ ମଧୁର 

ମହମହ ବାସ୍ନା ମନକୁ ହରେ

     ମାଧୁର୍ଯ୍ୟ ମଧୁର ସୁରେ

ତନୁ ସୁକୁମାରୀ କୁସୁମ ମାଧୁରୀ

ଚାରୁ ଅଧରରୁ ଅମୃତ ଝରେ ।।

ଫୁଲ ଫଗୁଣର ପ୍ରୀତି ମନୋହର

ପ୍ରଣୟ ପରାଗ ମିଠା ସପନ

ରଙ୍ଗ ପଳାଶର ରୂପ ରୋଷଣିରେ

ଧରା ସାଜିଅଛି ନନ୍ଦନ ବନ

       କୋକିଳ ସ୍ବାଗତ ଗାନ

ପ୍ରୀତି ଫଲ୍ଗୁ ଧାରେ ତନୁମନ ହରେ

ମଧୁ ବସନ୍ତର ଏ ସମ୍ମୋହନ ।।

 

ଚାରୁ ଗୋଧୂଳିର ଚୁନାଚୁନା ରେଣୁ

ଅସ୍ତରାଗ ଝରା ରଙ୍ଗ ହିଲ୍ଲୋଳେ

ରକ୍ତକୃଷ୍ଣଚୂଡା ଲଲାମ ଅଧରେ

ପ୍ରେମ ପୀୟୂଷର ଧାରା ଉଛୁଳେ

        ପ୍ରଣୟ ଦୀପିକା ଜାଳେ

ଏ ମଧୁ ଯାମିନୀ ପ୍ରୀତି ମନ୍ଦାକିନୀ

ନୈଶ୍ୟ ଅଭିସାରେ ମୂର୍ଚ୍ଛନାତୋଳେ।।

ସୁଷମା ମଂଜୁଳ ପ୍ରକୃତିର କୋଳ

ଲୋଭନୀୟ ଶୋଭା ଏମହୀ ପୁର

ପ୍ରୀତି ସମ୍ମୋହନେ ଧରିତ୍ରୀଅଙ୍ଗନେ

ବସନ୍ତ ବୋଳିଛି ରଙ୍ଗ ଅବିର

      ରୂପ ରସ ସମାହାର

ଚାରୁ ପ୍ରକୃତିର ହସ ମାଧୁରୀମା

ପ୍ରୀତି ରାସମୟ ମହକ ଝର ।।

 

ଭୂମି ଠାରୁ ଭୂମା ବିଚିତ୍ର ଉପମା

ସତେ ମାଧୁର୍ଯ୍ୟର ସ୍ବପ୍ନ ନଗରୀ

ଧରା ପ୍ରାଣବନ୍ତ କରିଛି ବସନ୍ତ

ରଙ୍ଗେଇ ଦେଇଛି ରୂପ ମାଧୁରୀ

       ସୁଷମା ମୃଦୁ ମଞ୍ଜୁରୀ

ହୋଲି ରଙ୍ଗୋଲିର 

                    ଭବ୍ୟ ଉପହାରେ

ସାଜିଛି ମରତ ଅଳକାପୁରୀ ।।

କେଶଦୁରାପାଳ କେନ୍ଦୁଝର

 

Related posts

ଗରୀବ ଶ୍ରେଣୀର ୩ରୁ ୭ ବର୍ଷର ପିଲାମାନଙ୍କୁ ବେସରକାରୀ ବିଦ୍ୟାଳୟ ଗୁଡିକରେ ନିଃଶୁଳ୍କ ଶିକ୍ଷା ପାଇଁ ଚୟନ

Sunil Chandra Nayak

ଦୁଇ ଶକ୍ତିପୀଠର ଶୁଭ ପୂଜନ କଲେ ବିଧାୟକ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଲଭ୍ ଇଜ୍ ଇଞ୍ଜୁରିୟସ ଟୁ ହେଲ୍‌ଥ

Sunil Chandra Nayak

Leave a Comment

error: Content is protected !!