ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା
କେନ୍ଦ୍ରାପଡ଼ା, ୧୩/୦୬: ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ କେନ୍ଦ୍ରାପଡ଼ା ବହୁ ପ୍ରାକୃତିକ ବିପର୍ଯ୍ୟୟକୁ ବାରମ୍ବାର ସାମନା କରିଆସିଛି । ତେଣୁ ସମ୍ଭାବ୍ୟ ବନ୍ୟା, ବାତ୍ୟା ଓ ମରୁଡ଼ିକୁ ଦୃଷ୍ଟିରେ ରଖି ଏହାର ସଫଳ ମୁକାବିଲା ନିମନ୍ତେ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ‘ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି’ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନବନିର୍ବାଚିତ ପାଟକୁରାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅରବିନ୍ଦ ମହାପାତ୍ର, କେନ୍ଦ୍ରାପଡ଼ାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଗଣେଶ୍ୱର ବେହେରା, ରାଜନଗରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଧ୍ରୁବ ଚରଣ ସାହୁ, ମହାକାଳପଡ଼ାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଦୁର୍ଗା ପ୍ରସନ ନାୟକ, ସମସ୍ତ ବ୍ଲକ୍ ଓ ପଟ୍ଟାମୁଣ୍ଡାଇ ମୁନିସିପାଲିଟିର ଚେୟାରମ୍ୟାନ୍, ଜନ ପ୍ରତିନିଧି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ନୀଲୁ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ପୀତାମ୍ବର ସାମଲ, ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରବିନ୍ଦ୍ର ପ୍ରଧାନ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ପଲ୍ଲବୀ ପାତ୍ର, ସମସ୍ତ ତହସିଲଦାର, ବିଡିଓ, ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ଲାଇନ ଡିପାର୍ଟମେଂଟ୍ର ଅଧିକାରୀ, ଅଗ୍ନିଶମ ବିଭାଗ, ଭାଗୀଦାର ନୋଡାଲ ଏନ୍ଜିଓର କର୍ମକର୍ତା ପ୍ରମୂଖ ଉପସ୍ଥିତ ଥିଲେ । ନବନିର୍ବାଚିତ ବିଧାୟକମାନେ କହିଥିଲେ, “ଆମେ ଭିନ୍ନ ଭିନ୍ନ ଦଳରେ ରାଜନୀତି କରୁଛୁ ସତ, କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆମେ ସମସ୍ତେ ଏକ । ଆମେ ସଂଘବଦ୍ଧଭାବେ ଜିଲ୍ଲା ପ୍ରଶାସନ ସହ ହାତରେ ହାତ ମିଶାଇ ବିପର୍ଯ୍ୟୟର ମୁକାବିଲା କରିବୁ ।” ଜିଲ୍ଲାପାଳ ଶ୍ରୀଯୁକ୍ତ ବିକାଶ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇ କହିଥିଲେ, “ପ୍ରାକୃତିକ ବିପର୍ଯ୍ୟୟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନାହିଁ । ବରଂ ସଫଳତାର ସହ ମୁକାବିଲା ପାଇଁ ବିପର୍ଯ୍ୟୟର ପୂର୍ବ ପ୍ରସ୍ତୁତି ଏପରି ଶାଣିତ କର ଯେପରି ବିପର୍ଯ୍ୟୟ ବେଳେ ସର୍ବନିମ୍ନ ସମୟ ମଧ୍ୟରେ ସର୍ବାଧିକ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ କରିହେବ । ରାଜ୍ୟ ସରକାରଙ୍କ ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟକୁ ହାସଲ କରିବା ପାଇଁ ସମସ୍ତଙ୍କ ସହଯୋଗ ପାଇଁ ବୈଠକରେ ଆହ୍ୱାନ ଜଣାଇଥିଲେ ଜିଲ୍ଲାପାଳ ।”
ସୂଚନାଯୋଗ୍ୟ, ଜିଲ୍ଲାରେ ରହିଛି ୧୨୩ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ । ମୋଟ୍ ୫୧ଟି ପାୱାର୍ ବୋଟ୍ ଥିବା ବେଳେ ଆଗାମୀ ଦିନରେ ଏହାର ସଂଖ୍ୟା ବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ । ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ଜିଲ୍ଲାର ସମସ୍ତ ବ୍ଲକ୍ ମୁଖ୍ୟାଳୟ ଓ ଦୁଇଟି ମୁନିସିପାଲିଟିକୁ ମିଶାଇ ମୋଟ୍ ୧୧ଟି ଜୋନ୍ ଗଠନ କରାଯାଇଛି । ଏହି ୧୧ଟି ଜୋନ୍ ଅଧିନରେ ରହିଛି ମୋଟ୍ ୧୬୩ଟି ଉପଜୋନ୍ । ୫୮୦୩ ପ୍ୟାକେଟ୍ ଏବଂ ୪୭୩ ଖଣ୍ଡ ପଲିଥିନ୍ ରୋଲ୍ ମହଜୁଦ୍ ରହିଛି । ଆବଶ୍ୟକତା ଅନୁସାରେ ଜେନେରେଟର୍, ଆସ୍କାଲାଇଟ୍, ଗଛକଟା ମେସିନ୍ ଆଦି ରଖାଯାଇଛି । ଗୃହପାଳିତ ପଶୁଙ୍କ ପାଇଁ ଟୀକାକରଣ ଉପରେ ଗୁରୁତ୍ୱାରୋପ କରାଯାଇଥିବା ବେଳେ ଆବଶ୍ୟକ ପରିମାଣର ଚୂଡ଼ା ମହଜୁଦ ରଖିବାକୁ ଜିଲ୍ଲା ବେସାମରିକ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ବିଶୁଦ୍ଧ ପାନୀୟଜଳ ପାଇଁ ଆବଶ୍ୟକ ପରିମାଣର କ୍ଲୋରିନ୍ ବଟିକା ବା ଟାଙ୍କି ଥିବା ସ୍ଥାନରେ କ୍ଲୋରିନ୍ଯୁକ୍ତ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବନ୍ଧ ମରାମତି, ଜଳନିଷ୍କାସନ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଆସନ୍ତା ଜୁନ୍ ୧୮ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଟେବୁଲ୍ ଟପ୍ ଏକ୍ସରସାଇଜ୍ ଆୟୋଜନ ହେବାକୁ ଚୂଡ଼ାନ୍ତ ହୋଇଥିବା ବେଳେ ଜୁନ୍ ୧୯ ତାରିଖରେ ସମସ୍ତ ବ୍ଲକ୍ ମୁଖ୍ୟାଳୟ ଏବଂ ବାତ୍ୟା ଆଶ୍ରୟସ୍ଥଳୀରେ ମକ୍ ଡ୍ରିଲ୍ କରାଯିବ । ଶେଷରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରବିନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!


