ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଧାମୋହନ ପୂଜାହାରୀ ଙ୍କ କବିତା – ମୁଁ ଫୁଲଟିଏ….ମୋତେ ଫୁଟିବାକୁ ଦିଅ”

“ମୁଁ ଫୁଲଟିଏ….ମୋତେ ଫୁଟିବାକୁ ଦିଅ”

 

ଅସହ୍ୟ ଗ୍ରୀଷମ ଝାଞ୍ଜି ଖରାଟାରେ 

ସହରର ପଥପ୍ରାନ୍ତେ,

ଦେଖିଲି ସହସା ଭୟଙ୍କର ଏକ 

ଦୃଶ୍ୟ ଅତି ଭାରାକ୍ରାନ୍ତେ l (୧)

 

ପାଞ୍ଚଗୋଟି ଇଟା ମୁଣ୍ଡେଇ ଚାଲିଛି 

କୁସୁମ କଳିକା ଜଣେ,

ଇଟା ବୋଝ ସହି ନ ପାରି ତା’ ଦେହ 

ଥରୁଥିଲା ଗୋଟାପଣେ l (୨)

 

ଅସହ୍ୟ ତାତିରେ ସ୍ବେଦେ ତା’ କଅଁଳ 

ଦେହ ଭିଜି ଯାଉଥିଲା,

ଭୋକିଲା ପେଟରେ ଦାନା ମୁଠେ ପାଇଁ 

ଯନ୍ତ୍ରଣା ସେ ପାଉଥିଲା l (୩)

 

କଲମ ଖେଳଣା ଧରିବା ବୟସେ 

କର୍ମେ ପୋଷୁଥିଲା ପେଟ,

କାର୍ଯ୍ୟେ ଅବହେଳା ହେଲେ ମାଲିକ ଠୁ 

ଖାଉଥିଲା ପୁଣି ବେତ l (୪)

 

ବେତ ପାହାରର ଅସ୍ପଷ୍ଟ ଚିହ୍ନ ତା’

ଦେହୁ ହେଉଥିଲା ବାରି,

ଉଦ୍ଧାର ପାଇଁକି କ୍ଷୀଣ ସ୍ବରେ ମୋତେ

ଡାକୁଥିଲା ହାତ ଠାରି l (୫)

 

ମୋତେ ଦେଖି ତା’ର ପାଦ ଅଟକିଲା 

କ୍ଷଣିକ ସମୟ ପାଇଁ,

ରୋକି ପାରିଲିନି ନିଜକୁ ମୁଁ ନିଜେ 

ତା’ ପାଖକୁ ଗଲି ଧାଇଁ l (୬)

 

ତା’ ମଥା ଆଉଁସି ସ୍ନେହରେ କହିଲି 

ତୁହି ଲୋ ଅମୂଲ ମୂଲ,

ସଂସାରର ତୁ ଯେ ସୁନ୍ଦର ସୃଷ୍ଟି ଲୋ 

ସଦ୍ୟ ପ୍ରସ୍ଫୁଟିତ ଫୁଲ l (୭)

 

ସେହି ସଜଫୁଲ ମଉଳୁଛି ଆଜି 

ପେଟ ଚାଖଣ୍ଡକ ପାଇଁ,

ତା’ ପରି ଦୁଃଖିନୀ ଅଭାଗିନୀ କେହି 

ସଂସାରେ ନ ଥିବେ କାହିଁ l (୮)

 

ସ୍ବପ୍ନ ଭାଙ୍ଗୁଥାଏ ଥରକୁ ଥର ତା’ 

ଅଭିଳାଷା ମରୁଥାଏ,

ନୂଆ ଆଶା ନେଇ ପୁଣି ବଞ୍ଚିବାକୁ 

ତା’ ହୃଦୟ ଥରୁଥାଏ l (୯)

 

ଆଖି ଦୁଇଟି ତା’ କହୁଥିଲେ ମୋତେ 

ତା’ ଭଙ୍ଗା ହୃଦୟ କଥା,

ନୀରବେ ମୁଁ କିନ୍ତୁ ପଢ଼ି ପାରୁଥିଲି 

ତା’ ମନର ସବୁ ବ୍ୟଥା l (୧୦)

 

ପାଠ ପଢ଼ି ବଡ଼ ମଣିଷ ହେବାର

ଆଖି ତା’ ଦେଖେ ସପନ,

ମୁକ୍ତାକାଶେ ଡେଣା ମେଳି ଉଡ଼ିବାକୁ

ଚାହୁଁଥାଏ ତା’ର ମନ l (୧୧)

 

କିନ୍ତୁ ସ୍ଥିତି ଆଜି ସାଜେ ବଇରୀ ତା’

ଭାଗ୍ୟ ହୁଏ ବାଟବଣା,

ଭବିଷ୍ୟ ତା’ ଅମାଅନ୍ଧାରେ ନିଖୋଜ 

ପରିଚୟ ତା’ ଅଜଣା l (୧୨)

 

ତା’ ଭଙ୍ଗା ହୃଦୟ ଗୋଟେ ପରେ ଗୋଟେ 

ପ୍ରଶ୍ନ ମୋତେ କରୁଥିଲା,

ସେ ପ୍ରଶ୍ନରେ ତା’ର ଅବ୍ୟକ୍ତ ଯନ୍ତ୍ରଣା 

ଲହୁ ହୋଇ ଝରୁଥିଲା l (୧୩)

 

ସେ ଲହୁର ପ୍ରତି ବୁନ୍ଦା ଆଜି କହେ 

ଧିକ୍ ରେ ଦଇବ ତୋତେ ! 

ସର୍ବ ସୁଖ ହରି ଶାନ୍ତିରେ ଥରୁ ଟେ 

ବଞ୍ଚିବାକୁ ତୁ ଦେ’ ମୋତେ l (୧୪)

 

ହସି ହସାଇବି ମାଟି ମାଆକୁ ମୁଁ

ଏ ମାଟିର ସୁନା ଝିଅ,

ସୁନ୍ଦର ସୃଷ୍ଟିର ଫୁଲଟିଏ ମୁଁ ଯେ

ମୋତେ ଫୁଟିବାକୁ ଦିଅ l 

ମୋତେ ଫୁଟିବାକୁ ଦିଅ l (୧୫)

 

ରାଧାମୋହନ ପୂଜାହାରୀ

ବୀରମହାରାଜପୁର

ସୁବର୍ଣ୍ଣପୁର

Related posts

ନର୍ଲା ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଶ୍ବଶୁର ଘରୁ ଯୁବକ ନିଖୋଜ, ଦୁଇ ଦିନ ପରେ ମିଳିଲା ଶବ

Sunil Chandra Nayak

ରାଇରଙ୍ଗପୁରରେ ଏକ ଦିବସୀୟ ପ୍ରଧାନ ଶିକ୍ଷକ ଓ ଦିବ୍ଯାଙ୍ଗ ପିଲାଙ୍କ ସଂଚାର -୩ ସଚେତନତା ଶିବିର 

Sunil Chandra Nayak

Leave a Comment

error: Content is protected !!