ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର  ଙ୍କ ବ୍ୟଙ୍ଗ କବିତା ଇସ୍ତାହାର

ଇସ୍ତାହାର

ଜୟ କୁମାର ମିଶ୍ର 

 

ମୁଁ ନେତା ହେବି, ନିର୍ବାଚନ ଲଢ଼ିବି 

ସବୁରି ମଙ୍ଗଳ ପାଇଁ, 

ଅଭାବ କଷଣ, କରିବି ତାରଣ 

ରାତ୍ରଦିନ ମନେ ଧ୍ୟାୟୀ ll

ମୁଁ ବିରାଡ଼ି ପରାଏ, ହୋଇଛି ବୈଷ୍ଣବ 

କଞ୍ଚାରେ ଖାଏନା, କିଛି, 

ଲାଞ୍ଜ ମୁଣ୍ଡ ଛାଡି, ମଝି ଖଣ୍ଡ ଭିଡି 

ଖାଏ ମୁହିଁ ବାଛିବାଛି ll

ତ୍ୟାଗଟି ଅପାର, ମାଳମୂତ୍ର, ସାର 

ବୁଲି ବୁଲି ପଡିଆରେ, 

ସାଧୁ ଓ ସଚୋଟ, ନାହିଁଟି କପଟ 

ନାହିଁ ଭେଦଭାବ ପରେ ll

ଅହିଂସା ନୀତିରେ, ଉଦାର ସାଗରେ 

କରୁଅଛି ସନ୍ତରଣ, 

ପରସେବା ବ୍ରତ, ବିକାଶର ପଥ

ଅନୁସରି ଯାଏ ଜାଣ ll

ଏହି ଇସ୍ତାହାର, ମୋର ଅଙ୍ଗୀକାର 

କାୟ ମନୋବାକ୍ୟ ଏହି, 

କରୁଛି ଶପଥ,ଅନ୍ତରର ମତ 

ସର୍ବସାଧାରଣ ପାଇଁ ll

ଦେବି ହାତୀ, ଛତା, ସରଗକୁ ଯାତ୍ରା 

ସ୍ବଦେହରେ ସବୁ ଯିବ 

ଇନ୍ଦ୍ର ଭୁବନରେ, ସବୁ ନିରନ୍ତରେ ଆନନ୍ଦ ମଉଜ ନେବ ll

ଯମଙ୍କୁ କହିବି, ଗୁହାରୀ କରିବି 

ମରଣକୁ ହାରି ନେବି,  

ଯମ ଦୁଃଖକ୍ଳେଶ, ହୋଇବ ବିନାଶ 

ହେବେ ସବୁ ଚିରଞ୍ଜିବି ll

କାମ ଦେବଙ୍କୁ ମୁଁ, ବୁଝାଇ କହିବି 

ହଟାଇବି ଜରା, ବ୍ୟାଧି, 

ଚିର ଯଉବନ, ହେବ ଛନଛନ 

ଲଭିବ ସୌନ୍ଦର୍ଯ୍ୟ ନିଧି ll

ରୂପଟି ହୋଇବ, ସୁଠାମ ସୁନ୍ଦର 

ହେବ ହିରୋ, ହିରୋଇନ୍, 

ଘରର ଦାଣ୍ଡରେ, ଭିଡ଼ ଜମିଯିବ 

ସିନେମାରେ ନେବ ସ୍ଥାନ ll

ମାତା କମଳାଙ୍କୁ, ସବୁରି ଦୁଃଖକୁ 

ଗୋଟି, ଗୋଟି କହିଦେବି, 

ଦରିଦ୍ର ଦୁରାଇ, ସମ୍ପଦକୁ ଥୋଇ 

ଅଭାବ ଉଡାଇ ନେବି ll

ମାଆ ସାରଳାଙ୍କ, ପାଦପଦ୍ମେ ପଡି 

ମାଗୁଣି କରିବି ନିତ୍ୟ, 

ସବୁଙ୍କୁ ପଣ୍ଡିତ, କରିଦିଅ ମାତ

ଦେଇ ଆଶୀର୍ବାଦ ହାତ ll

ପରୀକ୍ଷାର ଭୟ, ନକରି ଅଥୟ 

ନିଶ୍ଚିନ୍ତ ହୋଇବେ ପିଲା, 

ପ୍ରଥମ ଶ୍ରେଣୀରେ, ପାସ ହୋଇଯିବେ 

ଯିଏ ଯେତେ ହେଉ ଢିଲା ll

ମୋର ଇସ୍ତାହାର, ଉନ୍ନତ ପ୍ରକାର 

କେତେ ଭାବିଚିନ୍ତି କଲି, 

ଗତ ପୁରାତ,କରି ମନଧ୍ୟାନ 

ଏସବୁକୁ ବରିନେଲି ll

ସବୁ ମତପାଇ, ହୋଇଲେ ବିଜୟୀ 

ସବୁ ଆଣିଦେବି ମୁହିଁ  

ନକର, ସନ୍ଦେହ,ଭରସାରେ ରୁହ 

ମୋର ପରାକ୍ରମ ଥୋଇ ll

ରାମ ରାଇଜର, ସପନ ସାକାର 

କରିବାକୁ ହରବର, 

ଶେଷ ରକ୍ତ ବିନ୍ଦୁ, ଥିବା ଯାଏ ଲଢ଼ି 

ଗଢ଼ିବି ସୁନା ସଂସାର ll

କରପତ୍ର ଯୋଡ଼ି,ମୋ ଭିକ୍ଷାର ପେଢ଼ି

ଖୋଲିମେଲି ରଖିଅଛି, 

ହୋଇ ଏକମତ ହୋଇଣ ସମ୍ମତ 

(ଦିଅ )ଅନୁରାଗେ ମତ ପୁଛି ll

ଜୟ କୁମାର ମିଶ୍ର
ଗ୍ରାମ-ବୁଦୁରା 

ଡାକ-ଗୋରିବନ୍ଧା, ମାଧ୍ଯମ -କାଶୀନଗର, ଜିଲ୍ଲା -ଗଜପତି 

ଓଡିଶା, 761206

 

Related posts

ଜୟ କୁମାର ମିଶ୍ର ଙ୍କ କବିତା ଶ୍ରାବଣୀ ଗୋ ତୁମେ

Sunil Chandra Nayak

କବିତା – ଏକାନ୍ତ ର ସମ୍ବାଦ

Sunil Chandra Nayak

ଇମାନୁଏଲ୍ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!